ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ପାଇଁ ନୂଆ ଚାଲେଞ୍ଜ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।
କରୋନା ମହାମାରୀ ଏବେ ପ୍ରଶାସନ ଏବଂ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗୋଟିଏ ଜାଗାକୁ ଜଗିବା ବେଳେ ଆଉ ଗୋଟିଏ ଜାଗାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ପ୍ରଶାସନ ପାଇଁ ପ୍ରତିଦିନ ନୂଆ ନୂଆ ଚାଲେଞ୍ଜ ସୃଷ୍ଟି ହେଉଛି। ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ନର୍ସଙ୍କୁ ରକ୍ଷା କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ପାରଳାଖେମୁଣ୍ଡି ବ୍ୟାଙ୍କ ମ୍ୟାନେଜର କରୋନା ଆକ୍ରାନ୍ତ ହୋଇଛନ୍ତି।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ବ୍ୟାଙ୍କ ସିଲ୍ କରିବା ସହ ଗ୍ରାହକଙ୍କ ଆତଯାତ ଉପରେ କଟକଣା ଲଗାଇଛି। ବ୍ୟାଙ୍କ ମ୍ୟାନେଜରଙ୍କ ସଂସ୍ପର୍ଶରେ କିଏ ଆସିଥିଲେ ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।
ଡାକ୍ତରଖାନା ଭଳି ବ୍ୟାଙ୍କ ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନ। ପ୍ରତିଦିନ ବିଭିନ୍ନ ବ୍ୟାଙ୍କରେ ଭିଡ଼ ଲାଗୁଛି। ବ୍ୟାଙ୍କ କର୍ମଚାରୀ ମଧ୍ୟ ଲୋକଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି। ବ୍ୟାଙ୍କ କର୍ମଚାରୀ କରୋନା କବଳରୁ ସୁରକ୍ଷିତ ନୁହନ୍ତି ବୋଲି ଆଜି ପାରଳାଖେମୁଣ୍ଡି ଘଟଣାରୁ ସ୍ପଷ୍ଟ ହୋଇଛି।
ଏପଟେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଛି। ପ୍ରଶାସନ ଏହାକୁ ନେଇ ତତ୍ପର ହୋଇ ଉଠିଛି। ସଂକ୍ରମଣ ରୋକିବା ପାଇଁ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ କରିଛି।
ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଜପତି ଜିଲ୍ଲାରୁ ୨୯ ଜଣ ଥିଲେ। ୨୨ ଜଣ କଣ୍ଟେନମେଣ୍ଟ ଅଞ୍ଚଳରୁ ଥିବା ବେଳେ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଭଳି ଗଜପତିରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୧୦ ଆକ୍ରାନ୍ତଙ୍କ ଭିତରୁ ୩୬ଟି ଲୋକାଲ କେସ୍ ହୋଇଥିବା ବେଳେ ୧୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ବି କରୋନା ସ୍ଥିତି ବେହାଲ ହେଲାଣି। ଆଜି ୩୮ ଆକ୍ରାନ୍ତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ୧୩ ଲୋକାଲ କେସ୍ ହୋଇଥିବା ବେଳେ ୨୫ ଜଣ ହୋମ୍କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।
ଗତକାଲି ଭୁବନେଶ୍ୱର ବ୍ଲୁ ହୁଇଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଆଜି ୧୦ଟି ଘରୋଇ ହସ୍ପିଟାଲରେ ଯାଞ୍ଚ କରାଯାଇଛି। ଏହି ହସ୍ପିଟାଲରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ, ଡାକ୍ତର ଓ ନର୍ସଙ୍କୁ ପିପିଇ କିଟ୍ ସମେତ ଅନ୍ୟ ଉପକରଣ ଦିଆଯାଉଛି କି ନାହିଁ ସେନେଇ ଯାଞ୍ଚ କରାଯାଇଥିଲା। ଯେଉଁ ହସ୍ପିଟାଲ କୋଭିଡ୍ ନିୟମ ପାଳନ କରୁ ନଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ଏବେ କରୋନା ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ କାଠିକର ପାଠ ହୋଇଗଲାଣି। କ୍ୱାରେଣ୍ଟାଇନ ସେଣ୍ଟ କରି କୋଭିଡ୍ ନିୟନ୍ତ୍ର କରିବାକୁ ସରକାର ଚେଷ୍ଟା କରିଥିଲେ। ହେଲେ କ୍ୱାରେଣ୍ଟାଇନ ସେଣ୍ଟର ବାହାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାକୁ କେମିତି ନିୟନ୍ତ୍ରଣ କରାଯିବ ସେନେଇ ଚିନ୍ତା ବଢ଼ିଛି। ଜୁନ୍ ପରେ ଜୁଲାଇ ମାସରେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଜୁଲାଇ ମାସ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ଥିବାରୁ ରାଜ୍ୟ ସରକାର ଆଉ କ’ଣ ନୂଆ ଗାଇଡ୍ଲାଇନ୍ ଆଣୁଛନ୍ତି ତା’ ଉପରେ ନଜର ରହିଛି।








ସରକାରଙ୍କ ପାଇଁ ନୂଆ ଚାଲେଞ୍ଜ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।





