ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
  • ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ଗୁରୁତ୍ୱ
  • ବିପର୍ଯ୍ୟୟ ଦୃଷ୍ଟିରୁ ଅକ୍ଟୋବର ମାସ ବହୁତ ଗୁରୁତ୍ୱପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟରୁ ମୁକ୍ତି ପାଇବା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଭିନ୍ନ ବିପର୍ଯ୍ୟୟରେ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି।”

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ। ଗତବର୍ଷ ଓଡ଼ିଶା ଫନି ଓ ବୁଲବୁଲ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲ୍ଲାଗୁଡିକ ମହାବାତ୍ୟା ଅମ୍ଫନ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ବିପର୍ଯ୍ୟୟରୁ ଆମେ ଶିକ୍ଷା ଗ୍ରହଣ କରିଆସିଛୁ ଓ ଏଥିରୁ ମୁକୁଳିବାକୁ ନିରନ୍ତର ଚେଷ୍ଟା ଜାରି ରହିଛି ବୋଲି ନବୀନ କହିଛନ୍ତି।ଏଥିସହିତ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଏହିସବୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଏଥିସହ ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ତା’ସହିତ ବିଭିନ୍ନ ନଦୀବନ୍ଧମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ସେମାନଙ୍କ ମଧ୍ୟରୁ ୭୯୬ଟିର ମରାମତି କରାଯାଇଛି ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି।

ଶୁକ୍ରବାର ଆୟୋଜିତ ଏହି ଭିଡିଓ କନ୍‌ଫରେନ୍ସିଂରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହ ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Comment