ଓଡିଶାଲାଇଭ ବ୍ୟୁରୋ
ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ। ଆଜି ମୋଟ ୨୫ରୁ ୨୩ ଆକ୍ରାନ୍ତ କେବଳ ସ୍ଥାନୀୟ ଅଞ୍ଚଳରୁ।
କରୋନା ମହାମାରୀ ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲାଣି। ଯେଉଁ ଭୟ ମାର୍ଚ୍ଚ ଅଧାରୁ ଏପ୍ରିଲ ଶେଷ ଯାଏ ରହିଥିଲା ଏବେ ସେହି ଭୟ ଜୁନ୍ ମାସରେ ଦେଖିବାକୁ ମିଳିଛି। ଯେଉଁ ହାରରେ କରୋନା ଭୁବନେଶ୍ୱରରେ ମାଡ଼ି ଚାଲିଛି ଯଦି ନିୟନ୍ତ୍ରଣକୁ ନଆସେ ତାହାଲେ ବିସ୍ଫୋରଣ ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ କହୁଛନ୍ତି।
ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି। ଜୁନ୍ ୨୯ ତାରିଖର ରିପୋର୍ଟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ଜୁନ୍ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଥିଲା। ହେଲେ ଜୁନ୍ ମାସରେ ଏହି ସଂଖ୍ୟା ୨୦୦ ଛୁଇଁବା ଲୋକଙ୍କ ମନରେ ଭୟ ବଢ଼ାଇଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି।
ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ସତ, ହେଲେ ସ୍ଥାନୀୟ ସଂକ୍ରମଣ ନଥିଲା। ଯିଏ ବି ଚିହ୍ନଟ ହେଉଥିଲେ ସେମାନେ ଅନ୍ୟ ରାଜ୍ୟ କିମ୍ବା ଦେଶରୁ ଆସିଥିବାରୁ ସଂକ୍ରମିତ ହୋଇଥିଲେ। ହେଲେ ଜୁନ୍ ମାସରେ ଏହି ଧାରା ବଦଳିଛି। ଯେଉଁ ଲୋକାଲ୍ କେସ୍ ଚିହ୍ନଟ ହେଉଛି ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏଣୁ ଗୋଷ୍ଠୀ ସଂକ୍ରମଣ ବଢୁଥିବା ଚର୍ଚ୍ଚା ହେଉଛି।
ମେ’ ମାସ ଯାଏ ସ୍ଥାନୀୟ ସଂକ୍ରମଣ ଭୁବନେଶ୍ୱରରୁ ଚିହ୍ନଟ ହେଉ ନଥିଲେ। ଜୁନ୍ ଆରମ୍ଭ ହେଉ ହେଉ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଲେ। ଜୁନ ୪ ତାରିଖରେ ୩ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୫ରେ ୬ ଜଣ, ୬ରେ ଜଣେ ଲୋକାଲ କେସ୍ ବାହାରିଥିଲା। ଏହାପରେ ୧୧ ତାରିଖ ଯାଏ ଭୁବନେଶ୍ୱରରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ହେଲେ ସ୍ଥାନୀୟ କେସ୍ କିଛି ନଥିଲା। ହୋମକ୍ୱାରେଣ୍ଟାଇନରୁ ହିଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରବାସୀ ଟିକେ ଆଶ୍ୱସ୍ତ ହୋଇଥିଲେ।
୧୨ ତାରିଖରୁ ୨୯ ତାରିଖ ଯାଏ ଯେଉଁ ରିପୋର୍ଟ ଆସିଲା ତାକୁନେଇ ଚାରିଆଡ଼େ ଭୟ ଖେଳିଯାଇଛି। ୧୨ ତାରିଖରେ ଜଣେ ସ୍ଥାନୀୟ ସଂକ୍ରମିତ ପୁଣି ବାହାରିଥିଲେ। ୧୩ରେ ଜଣେ ସ୍ଥାନୀୟ ସଂକ୍ରମିତ, ୧୪ରେ ୨ ଜଣ, ୧୫ରେ ୨ ଜଣ, ୧୬ରେ ୨ ଜଣ, ୧୭ରେ ତିନି ଜଣ, ୧୮ରେ ୫ ଜଣ ଚିହ୍ନଟ ହୋଇଥିଲେ।
୧୮ରେ ଯେଉଁ ୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ ସେମାନଙ୍କ ଭିତରେ ୩ ଜଣ ଥିଲେ କରୋନା ଯୋଦ୍ଧା। ସେହିପରି ୧୯ରେ ୩ ଜଣ, ୨୦ରେ ୧୫ ଜଣ, ୨୩ରେ ଜଣେ, ୨୪ରେ ୧୯ ଜଣ, ୧୫ରେ ୧୩ ଜଣ, ୨୬ରେ ୧୪ ଜଣ, ୨୭ରେ ୫ ଜଣ, ୨୮ରେ ୩ ଜଣ, ୨୯ରେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବିଶେଷକରି ବସ୍ତି ଅଞ୍ଚଳରୁ ନୂଆ ନୂଆ ରୋଗୀ ବାହାରୁଥିବାରୁ ଭୟ ବଢ଼ିଛି।
ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ବିଏମ୍ସି ପଦକ୍ଷେପ ନେଇଛି। ପ୍ରତି ୱାର୍ଡରେ ସଚେତକ କମିଟି ଗଠନ କରାଯାଇଛି। ଏହି କମିଟି ସଂପୃକ୍ତ ୱାର୍ଡକୁ ଜଗିଛନ୍ତି। ଯାହା ପାଖରେ କରୋନା ଲକ୍ଷଣ ଦେଖାଗଲେ କିମ୍ବା କିଏ ବାହାରୁ ଆସିଲେ ସେ ସମ୍ପର୍କରେ ବିଏମ୍ସିକୁ ସୁଚନା ଦେବ ଏହି କମିଟି। ଏପଟେ ପ୍ରତି ବସ୍ତିରେ ଘର ଘର ବୁଲି ସର୍ଭେ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କର ଥର୍ମାଲ ସ୍କାନ କରୁଛନ୍ତି। ୫ଟି ହଟସ୍ପଟ ଜିଲ୍ଲା ଗଞ୍ଜାମ, ଗଜପତି, କଟକ, ବାଲେଶ୍ୱର, ଯାଜପୁରରୁ ବସ୍ତି ଅଞ୍ଚଳକୁ ଆସୁଥିବା ଲୋକ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟମତାମୂଳକ ବୋଲି ବିଏମ୍ସି କଟକଣା ଜାରି କରିଛି। ଏତେସବୁ ପରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବା ଲୋକଙ୍କ ମନାର ଭୟ ସୃଷ୍ଟି କରିଛି।








ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ। ଆଜି ମୋଟ ୨୫ରୁ ୨୩ ଆକ୍ରାନ୍ତ କେବଳ ସ୍ଥାନୀୟ ଅଞ୍ଚଳରୁ।





