ଓଡିଶାଲାଇଭ ବ୍ୟୁରୋ
ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର ସରକାର ବଢ଼ାଇଲେ ଲକ୍ଡାଉନ୍ ଅବଧି। ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍ଡାଉନ୍ ଘୋଷଣା କରିଛନ୍ତି ଉଦ୍ଧବ ଠାକ୍ରେଙ୍କ ସରକାର। ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇଯାଇଥିବାରୁ ଏହାକୁ ରୋକିବା ପାଇଁ ଲକ୍ଡାଉନ୍ ବଢ଼ାଇଛନ୍ତି ମହାରାଷ୍ଟ୍ର ସରକାର।
ଲକ୍ଡାଉନ୍ ଅବଧି ବଢ଼ାଇବା ସହିତ କିଛି ସର୍ତ୍ତାବଳୀ ମଧ୍ୟ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା, ଭିଡ଼ ନକରିବା, ବାହାଘର ଏବଂ ଶବଦାହ ବେଳେ ୫୦ରୁ ଅଧିକ ଲୋକ ଏକାଠି ନହେବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରିବାକୁ ସର୍ତ୍ତାବଳୀରେ ଉଲ୍ଲେଖ ରହିଛି।
ଅଫିସ୍ରେ ଯେତେ ସମ୍ଭବ ୱାର୍କ ଫ୍ରମ ହୋମ୍ କରିବାକୁ ସର୍ତ୍ତାବଳୀ ରହିଛି। କର୍ମଚାରୀମାନଙ୍କ ସ୍କ୍ରିନଂ ସହିତ ସେମାନଙ୍କ ସ୍ୱଚ୍ଛତା ବଜାୟ ଉପାର ଗୁରୁତ୍ୱାରୋପ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଖୋଲିବ। ମାର୍କେଟ କମ୍ପ୍ଲେକ୍ସ ଏବଂ ମଲ୍ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ଇ କମର୍ସ, ଖାଦ୍ୟ ପାଇଁ ହୋମ ଡେଲିଭରି, ନିର୍ମାଣ କାର୍ଯ୍ୟ ପୂର୍ବ ଭଳି ଚାଲୁ ରହିବ।
ମହାରାଷ୍ଟ୍ରରେ କରୋନାର ସ୍ଥିତି ବେହାଲ ହୋଇଯାଇଛି। ଗତ ୨୪ ଘଣ୍ଟା ଭିତରେ ୫ ହଜାର ୪୯୩ ନୂଆ କେସ୍ ସାମ୍ନାକୁ ଆସିଛି। ୧୫୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।















