ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ସମୟରେ ବିବାହ ଉତ୍ସବ ଭଳି ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି କି? ଜାଣନ୍ତୁ, ରାଜ୍ୟ ସରକାର ଏଥିପାଇଁ କ’ଣ କଟକଣା ଜାରି କରିଛନ୍ତି?

ବାହାଘର ଏବଂ ଏ ସମ୍ପର୍କୀତ କୌଣସି ଉତ୍ସବର ଆୟୋଜନ କରିବାକୁ ଚାହୁଁଥିଲେ ପ୍ରଥମେ ସ୍ଥାନୀୟ ଥାନାରୁ ଲିଖିତ ଭାବେ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଆୟୋଜକ ଇମେଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏଭଳି ଉତ୍ସବ ଲାଗି ଅନୁମତି ଦେବାକୁ ସ୍ଥାନୀୟ ଥାନାକୁ କ୍ଷମତା ଦିଆଯାଇଛି।

  • ବିବାହ ଉତ୍ସବ ଭଳି କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ବ୍ୟକ୍ତି ଯୋଗ ଦେଇପାରିବେ। ଏଥିରୁ ଅଧିକ ହେଲେ ଅନୁମତି ମିଳିବ ନାହିଁ
  • ବାହାଘର ବେଳେ ପ୍ରୋସେସନ ବା ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ (ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ)
  • ବାହାଘର ହେଉଥିବା ସ୍ଥାନରେ (ଅର୍ଥାତ୍ ଘର ବା ମଣ୍ଡପ) ସର୍ବାଧିକ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ। ବର, କନ୍ୟା, ସାଙ୍ଗସାଥୀ, ବନ୍ଧୁବାବନ୍ଧବ, ଅତିଥି, ପୁରୋହିତ, ରୋଷେୟା, କ୍ୟାଟରିଂ ସମସ୍ତଙ୍କୁ ମିଶାଇ ଏହି ସଂଖ୍ୟା ୫୦ ଜଣଙ୍କ ଭିତରେ ସୀମିତ ରହିବ।
  • ବାହାଘର ହେଉଥିବା ସ୍ଥାନରେ ଯେପରି ୫୦ରୁ ଅଧିକ ଲୋକଙ୍କର ସମାଗମ ହେବ ନାହିଁ, ସେ ନେଇ ସ୍ଥାନୀୟ ପୋଲିସ ସୁନିଶ୍ଚିତ କରିବେ।
  • ଏହିଭଳି ପାଇଁ ଯଦି ଅନ୍ୟ କିଛି ବିଷୟରେ ଅତିରିକ୍ତ ଅନୁମତିର ଆବଶ୍ୟକତା ରହିଥାଏ ତେବେ ଆୟୋଜକଙ୍କୁ ତା’ ଲାଗି ଥିବା ଆନୁସଙ୍ଗିକ ନିୟମ ପାଳନ କରିବାକୁ ହେବ।
  • ଯେଉଁ ଲୋକଙ୍କ ଶରୀରରେ କୋଭିଡ ଭଳି କୌଣସି ଲକ୍ଷଣ (ଯଥା ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାଜନିତ ସମସ୍ୟା) ରହିଥିବ ସେମାନଙ୍କୁ ବାହାଘର ସ୍ଥାନକୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ।
  • ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ୧୦ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳାଙ୍କୁ ବାହାଘର ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
  • ବାହାଘର ହେଉଥିବା ସ୍ଥାନରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଅତିକମରେ ୨ ମିଟର ଦୂରତା ରକ୍ଷା କରିବେ।
  • ବାହାଘର ସମୟରେ ଉପସ୍ଥିତ ଥିବା ସମସ୍ତ ଲୋକ କେବଳ ଖାଇବା ସମୟକୁ ଛାଡ଼ିଦେଲେ ବାକି ପୂରା ସମୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
  • ବାହାଘର ଉତ୍ସବ ସମୟରେ କେହି ପାନ, ଗୁଟୁଖା ଖାଇ ଏଣେ ତେଣେ ଛେପ ପକାଇବେ ନାହିଁ। ଏଥିପ୍ରତି ବରର ବାପା କିମ୍ବା ବରପକ୍ଷର ଗୁରୁଜନ ଲୋକ ସ୍ୱତନ୍ତ୍ର ନଜର ରଖିବେ।
  • ବାହାଘର ହେଉଥିବା ସ୍ଥାନରେ ହାତ ଧୋଇବା ପାଇଁ ଠିକଣା ବ୍ୟବସ୍ଥା କରାଯିବା ଦରକାର ବିଶେଷକରି, ଆବଶ୍ୟକତା ଅନୁଯାୟୀ ସାବୁନ, ପାଣି ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବ।
  • ଭୋଜି ଖାଇବା ସମୟରେ ମଧ୍ୟ ସାମାଜିକ ଦୂରତା ସୁନିଶ୍ଚିତ କରାଯିବ। ଅର୍ଥାତ୍ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାରେ ଗୋଟିକରୁ ଅନ୍ୟ ଆସନ ମଧ୍ୟରେ ୨ ମିଟର ବ୍ୟବଧାନ ରହିବ।

ଊଲ୍ଲଙ୍ଘନ ଲାଗି ଦଣ୍ଡ ବ୍ୟବସ୍ଥା

  • ବିବାହ ଉତ୍ସବ ସମୟରେ ଯଦି କେହି କୋଭିଡ୍ ନିୟମ ଉଲ୍ଲଘଂନ କରନ୍ତି, ତେବେ ବାହାଘରର ଆୟୋଜକ, ବାହାଘର ହେଉଥିବା ସ୍ଥାନ ବା ମଣ୍ଡପର ମାଲିକ କିମ୍ବା ମ୍ୟାନେଜରଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  • ଏହା ସହ ବାହାଘରରେ ଉପସ୍ଥିତ ଥିବା ଲୋକ ଯଦି କୌଣସି ପ୍ରକାର ନିୟମ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ଉପରେ ମଧ୍ୟ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

CGU newପୁରୋହିତ, ଟେଣ୍ଟ ହାଉସ୍ ଏବଂ କ୍ୟାଟରିଂ ସଂସ୍ଥାର କର୍ମଚାରୀଙ୍କ ପାଇଁ କଟକଣା

ବାହାଘର ଏବଂ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମ ବେଳେ ପୁରୋହିତ, ଟେଣ୍ଟ ହାଉସ୍ କର୍ମଚାରୀ ଏବଂ କ୍ୟାଟରିଂ ବା ଭୋଜି ଦାୟିତ୍ୱରେ ଥିବା ଲୋକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ କୋଭିଡ୍-୧୯ ମହାମାରୀ ବ୍ୟାପିବାକୁ ରୋକିବା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କୋଭିଡ୍ ନିୟମାବଳୀରେ ସେମାନଙ୍କ ପାଇଁ ଦାୟିତ୍ୱ ସ୍ଥିର କରିଛନ୍ତି।

ପୁରୋହିତଙ୍କ ଦାୟିତ୍ୱ:

  • ବାହାଘର କିମ୍ବା ଶୁଦ୍ଧିକ୍ରିୟା ଆୟୋଜନ ବେଳେ ପୁରୋହିତମାନଙ୍କର ବଡ଼ ଭୂମିକା ରହିଛି। ତେଣୁ ସେମାନେ କୋଭିଡ୍-୧୯ ନିୟମର କଡ଼ାକଡ଼ି ପାଳନ ଲାଗି ଆୟୋଜକଙ୍କୁ ପରାମର୍ଶ ଦେବେ।
  • ଏହି ସବୁ ସାମାଜିକ କାର୍ଯ୍ୟର ଆୟୋଜନ ସମୟରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ସାମାଜିକ ଦୂରତା ରକ୍ଷା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁହଁରେ ମାସ୍କ ପିନ୍ଧିବେ।
  • ବାହାଘର ବେଦୀ ଏବଂ ବସିବା ବ୍ୟବସ୍ଥା ଏପରି କରାଯିବ, ଫଳରେ ବର, କନ୍ୟା ଓ କର୍ତ୍ତା ଏବଂ ଉପସ୍ଥିତ ସମସ୍ତ ଅତିଥି ପରସ୍ପରଠାରୁ ୨ ମିଟର ଦୂରତା ରଖିବେ। ସେହିପରି ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି କି ନାହିଁ ସେଥିପ୍ରତି ପୁରୋହିତ ମଧ୍ୟ ଧ୍ୟାନ ଦେବା ଦରକାର।
  • ବାହାଘରରେ ୫୦ରୁ ଅଧିକ ଲୋକ ଏବଂ ଶୁଦ୍ଧିକ୍ରିୟା ବେଳେ ୨୦ରୁ ଅଧିକ ଲୋକଙ୍କୁ ନଡାକିବା ପାଇଁ ପୁରୋହିତ କର୍ତ୍ତାଙ୍କୁ ପରାମର୍ଶ ଦେବା ସହ କୋଭିଡ୍ ନିୟମ ସଂପୂର୍ଣ୍ଣ ମାନିବାକୁ ପରାମର୍ଶ ଦେବେ। ଯଦି କୌଣସି ସ୍ଥାନରେ ଏହା ପାଳନ କରା ନଯାଏ ତେବେ ପୁରୋହିତ ସେସ୍ଥାନରେ ଯୋଗଦେବେ ନାହିଁ।

ଟେଣ୍ଟ ହାଉସ୍ କର୍ମଚାରୀଙ୍କ ଦାୟିତ୍ୱ:

  • ବାହାଘର ବେଳେ ନିୟୋଜିତ ଟେଣ୍ଟ ହାଉସର ମାଲିକ, ପରିଚାଳକ ବା କର୍ମଚାରୀମାନେ ସାମାଜିକ ଦୂରତା ନିୟମ ରକ୍ଷା କରିବେ। ଉତ୍ସବ ପାଇଁ କାମ କଲା ବେଳେ ମାସ୍କ ପିନ୍ଧିବା ସହ ପାନ ବା ଗୁଟୁଖା ଖାଇ ଛେପ ପକାଇବେ ନାହିଁ। ଏଥିପ୍ରତି ଟେଣ୍ଟ ହାଉସ୍ ମାଲିକ ବା ପରିଚାଳକ ନଜର ରଖିବେ।
  • ଯଦି ସଂପୃକ୍ତ ଟେଣ୍ଟ ହାଉସ୍ ବାହାଘର ବା ଶୁଦ୍ଧିକ୍ରିୟା ବେଳେ ରୋଷେଇ, ଖାଦ୍ୟ ବିତରଣ ଏବଂ ସଫେଇ ଆଦିର ଦାୟିତ୍ୱ ନେଇଛି ତାହେଲେ ସେହିସବୁ କାମରେ ନିୟୋଜିତ ବ୍ୟକ୍ତି ଯେପରି କୋଭିଡ୍ କଟକଣା ପାଳନ କରିବେ ତାହା ସୁନିଶ୍ଚିତ କରିବେ।
  • ଯଦି ଟେଣ୍ଟ ହାଉସର କୌଣସି କର୍ମଚାରୀଙ୍କର କୋଭିଡ ଭଳି କୌଣସି ଲକ୍ଷଣ (ଯଥା ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାଜନିତ ସମସ୍ୟା) ରହିଥାଏ ତେବେ ସେମାନଙ୍କୁ ଏଭଳି ଉତ୍ସବ ଲାଗି କାମରେ ନିୟୋଜିତ କରାଯିବ ନାହିଁ।
  • ଟେଣ୍ଟ ବାନ୍ଧିବା ଲାଗି ଯୋଜନା କଲା ବେଳେ ବାହାଘର ହୋଇଥିଲେ ସର୍ବାଧିକ ୫୦ ଜଣ ଏବଂ ଶୁଦ୍ଧିକ୍ରିୟା ବେଳେ ୨୦ ଜଣରୁ ଅଧିକ ଲୋକଙ୍କ ପାଇଁ ଟେଣ୍ଟ୍‌ ବ୍ୟବସ୍ଥା ନକରିବାକୁ ଟେଣ୍ଟ ହାଉସ୍ ମାଲିକ କିମ୍ବା ମ୍ୟାନେଜର କର୍ତ୍ତାଙ୍କୁ ପରାମର୍ଶ ଦେବେ।
  • ଯଦି କୋଭିଡ ନିୟମରେ କୌଣସି ପ୍ରକାର ଉଲ୍ଲଘଂନ ହୁଏ ତେବେ ଟେଣ୍ଟ୍‌ ହାଉସର ମାଲିକ, ପରିଚାଳକ ବା ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ଖାଦ୍ୟ ପ୍ରସ୍ତୁତି, ବିତରଣ ଏବଂ କ୍ୟାଟରିଂ ସଂସ୍ଥାଙ୍କ ଦାୟିତ୍ୱ:

  • ବାହାଘର କିମ୍ବା ଶୁଦ୍ଧିକ୍ରିୟା ବେଳେ ଭୋଜି ରାନ୍ଧିବା ଏବଂ ବିତରଣ କରିବାର ଦାୟିତ୍ୱ ନେଇଥିବା ସଂସ୍ଥାର କର୍ମଚାରୀମାନେ ବି କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବେ ସଂପୃକ୍ତ କର୍ମଚାରୀମାନେ ମାସ୍କ ବ୍ୟବହାର କରିବା ସହ ସାମଜିକ ଦୂରତା ବଜାୟ ରଖିବେ ତା’ ସାଂଗକୁ ପାନ ବା ଗୁଟୁଖା ଆଦି ଖାଇ ସର୍ବସାଧାରଣ ସ୍ଥାନରେ ଛେପ ପକାଇବେ ନାହିଁ।
  • ଯଦି କୌଣସି କର୍ମଚାରୀଙ୍କର କୋଭିଡ ଭଳି କୌଣସି ଲକ୍ଷଣ (ଯଥା ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାଜନିତ ସମସ୍ୟା) ରହିଥାଏ ତେବେ ସେମାନଙ୍କୁ ଏଭଳି ଉତ୍ସବ ଲାଗି କାମରେ ନିୟୋଜିତ କରାଯିବ ନାହିଁ।
  • କ୍ୟାଟରିଙ୍ଗ ସଂସ୍ଥା ବାହାଘର ବେଳେ ୫୦ ଜଣ ଏବଂ ଶୁଦ୍ଧିକ୍ରିୟା ହୋଇଥିଲେ ୨୦ ଜଣରୁ ଅଧିକ ଲୋକଙ୍କ ଖାଦ୍ୟ ପାଇଁ ଅର୍ଡର ନେଇପାରିବେ ନାହିଁ।
  • ଯଦି କୋଭିଡ ନିୟମରେ କୌଣସି ପ୍ରକାର ଉଲ୍ଲଘଂନ ହୁଏ ତେବେ କ୍ୟାଟରିଂ ସଂସ୍ଥାର ମାଲିକ, ପରିଚାଳକ ବା ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

(ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳ, ପୋଲିସ ଏସ୍‌ପି, ସମସ୍ତ ମୁନିସିପାଲ୍ କର୍ପୋରେସନର କମିସନର ଏବଂ ଭୁବନେଶ୍ୱର-କଟକ ପୋଲିସ କମିସନରଙ୍କୁ ୬ ଜୁଲାଇ ୨୦୨୦ରେ ଜାରି କରିଥିବା ଚିଠି ଅନୁଯାୟୀ)

LEAVE A REPLY

Please enter your comment!
Please enter your name here