ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଭାରତରେ ଶସ୍ତାରେ ହୋଇପାରିବ କରୋନା ଟେଷ୍ଟିଂ। ଦିଲ୍ଲୀ ଆଇଆଇଟି ପକ୍ଷରୁ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ଡାଇଗ୍ନୋଷ୍ଟିକ କିଟ୍ ପ୍ରସ୍ତୁତ କରାଯାଇଛି। ମାତ୍ର ୩୯୯ ଟଙ୍କାରେ କରୋନା ଟେଷ୍ଟିଂ ହୋଇପାରିବ। ଏହାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଉନ୍ମୋଚନ କରିଛନ୍ତି। ଏହି କିଟ୍କୁ ଆଇସିଏମ୍ଆର ଏବଂ ଡିସିଜିଆଇ ଅନୁମୋଦନ କରିଛି।
‘‘ଦିଲ୍ଲୀ ଆଇଆଇଟି ପକ୍ଷରୁ ବିକଶିତ ହୋଇଥିବା ଏହି କୋଭିଡ-୧୯ କିଟ୍ ‘କରୋସିଓର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ଟେଷ୍ଟିଂର ଆବଶ୍ୟକତା ରହିଛି। ଏହାଦ୍ୱାରା କରୋନା ମହାମାରୀ ସଂକ୍ରମଣକୁ ରୋକାଯାଇପାରିବ’’, କହିଛନ୍ତି ରମେଶ ପୋଖରିୟାଲ ନିଶଙ୍କ।
ସଂପୂର୍ଣ୍ଣ ଦେଶୀ କାରିଗରୀ ଜ୍ଞାନକୌଶଳରେ ‘କରୋସିଓର’ କିଟ୍ ତିଆରି ହୋଇଛି। ଏହା ଅନ୍ୟାନ୍ୟ କିଟ୍ଠାରୁ ଯଥେଷ୍ଟ ଶସ୍ତା। ପ୍ରଧାନମନ୍ତ୍ରୀ ସର୍ବଦା ଏକ ସୁସ୍ଥ ଭାରତ ଗଠନ, ବିଶେଷକରି କୋଭିଡ ମହାମାରୀର ମୁକାବିଲା ପାଇଁ ଅଭିନବ ଉପାୟ ବାହାର କରିବାକୁ ଯୁବ ସମାଜକୁ ସବୁବେଳେ ଉତ୍ସାହିତ କରୁଛନ୍ତି। ଏହି କିଟ୍ ଆଇସିଏମ୍ଆରର ଅନୁମୋଦନ ଲାଭ କରିଛି ଏବଂ ଏହାର ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଡିସିଜିଆଇ ଉଚ୍ଚପ୍ରଶଂସା କରିଛି ।
ପ୍ରଫେସର ବିବେକାନନ୍ଦ ପେରୁମଲ ଏବଂ ତାଙ୍କ ଟିମ୍ର ଗବେଷଣାରେ ଏହି କିଟ୍ ନିର୍ମିତ ହୋଇଛି। ଏଥିରେ ଗବେଷକ ପ୍ରଶାନ୍ତ ପ୍ରଧାନ, ଆଶୁତୋଷ ପାଣ୍ଡେ, ପ୍ରବୀଣ ତ୍ରିପାଠୀଙ୍କ ସମେତ ଡକ୍ଟର ଅଖିଳେଶ ମିଶ୍ର, ଡକ୍ଟର ପାରୁଲ ଗୁପ୍ତା, ଡକ୍ଟର ସୋନମ୍ ଧମିଜା, ପ୍ରଫେସର ମନୋଜ ମେନନ, ପ୍ରଫେସର ବିଶ୍ୱଜିତ କୁଣ୍ଡୁ ଓ ପ୍ରଫେସର ଜେମ୍ସ ଗୋମ୍ସ ପ୍ରମୁଖ ସାମିଲ ହୋଇଥିଲେ।
ଦିଲ୍ଲୀ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଭି. ରାମଗୋପାଳ ରାଓ କହିଛନ୍ତି ଯେ, ଏହି କିଟ୍ ନିର୍ମାଣରେ ଭାରତ ସରକାର ଏବଂ ଆଇସିଏମ୍ଆର ପକ୍ଷରୁ ସହଯୋଗ ମିଳିଥିଲା। ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସହଯୋଗ ଫଳରେ ଏଭଳି ଏକ ଉଚ୍ଚମାନର ଏବଂ ଶସ୍ତା କିଟ୍ ବିକଶିତ ହୋଇପାରିଛି।















