ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗଞ୍ଜାମରୁ ୨ ଜଣ, ଗଜପତିରୁ ଜଣେ ଏବଂ ଅନୁଗୁଳରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଗଞ୍ଜାମର ୨ ମୃତକ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି।
ସେହିପରି ଆଜି କରୋନାରେ ଆକ୍ରାନ୍ତ ଥାଇ ଆଉ ଦୁଇ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କ ମୃତ୍ୟୁ କରୋନାରେ ନହୋଇ ଅନ୍ୟ ରୋଗ ଯୋଗୁଁ ହୋଇଛି ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ମୃତକଙ୍କ ମଧ୍ୟରେ ଯାଜପୁର ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି। ଫଳରେ ରାଜ୍ୟରେ ଅଣକୋଭିଡ୍ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬,୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦,୮୭୭ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୫୧୨୪ଟି ଆକ୍ଟିଭ୍ କେସ୍ ଥିବାବେଳେ ୧୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୮୩ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୨୬ ଜଣ କରୋନା ରୋଗୀଙ୍କର ଭିନ୍ନ କାରଣରୁ ମୃତ୍ୟୁ ହୋଇଛି।














