ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଟକ ଜିଲ୍ଲା ପାଇଁ ୧୫ କୋଟି
  • ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ କୋଟି
  • କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ୨୦ କୋଟି ୬୪ ଲକ୍ଷ

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

CGU newଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ୧ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ। ହେଲେ ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି। ଏଥିପାଇଁ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ନୂଆ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକ୍ଟରମାନଙ୍କୁ ଆହ୍ୱାନ ଜଣାଇଥିଲେ। ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍‌ର ପରିକଳ୍ପନା କରାଯାଇଛି।

କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧା ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ କଟକ ଏସ୍‌ସିବିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Comment