ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେସାହାରା ଶିଶୁଙ୍କୁ କୋଳେଇ ନେଇ ସେମାନଙ୍କୁ ସମାଜରେ ନୂଆ ପରିଚୟ ଦେଉଛି ‘ଆଦୃତା ଶିଶୁ ସଦନ’।

ଅବିବାହିତ ମା’ଙ୍କଠାରୁ ଜନ୍ମ ହେଉଥିବା ଶିଶୁ, ପରିତ୍ୟକ୍ତ ଏବଂ ଅବହେଳିତ ଶିଶୁଙ୍କୁ ନୂଆ ଜୀବନ ଏବଂ ପରିଚୟ ଦେବା ପାଇଁ ଯେଉଁ କେତେକ ସାମାଜିକ ଅନୁଷ୍ଠାନ ଓଡ଼ିଶାରେ ଆଗେଇ ଆସିଛନ୍ତି ସେମାନଙ୍କ ଭିତରେ ‘ଆଦୃତା ଶିଶୁ ସଦନ’ ହେଉଛି ଅନ୍ୟତମ। ଏଠାରେ କେବଳ ପିଲାମାନଙ୍କୁ ଆଶ୍ରୟ ଦିଆଯାଏନି, ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏମାନଙ୍କୁ ପ୍ରସ୍ତୁତି କରିଥାଏ ଏହି ଅନୁଷ୍ଠାନ। ବିଭିନ୍ନ କ୍ଷେତ୍ରରେ ଆଗକୁ ଯିବା ପାଇଁ ରାସ୍ତା ଦେଖାଯାଏ।

ଓଡ଼ିଶାର ୧୦ଟି କେନ୍ଦ୍ରରେ ୫୧୫ରୁ ଅଧିକ ପିଲା ଥିବା ଏହି ଅନୁଷ୍ଠାନ ଉପରେ ଏବେ କରୋନାର ଗଭୀର ପ୍ରଭାବ ପଡ଼ିଛି। ଏହି ଅନୁଷ୍ଠାନରେ ରହୁଥିବା ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଦାନ ଦେବାକୁ ଭାରତ ତଥା ଭାରତ ବାହାରେ ଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି ଆଦୃତା ଶିଶୁ ସଦନର ଅଧ୍ୟକ୍ଷ ଡକ୍ଟର ଆଦିତ୍ୟ କୁମାର ମହାନ୍ତି।

‘‘ପ୍ରତ୍ୟେକ ଶିଶୁମାନଙ୍କୁ ସୁସ୍ଥ ପରିବେଶ ଭିତରେ ରଖିବା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶ କରିବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ପାଠ ପଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ହେବା ପାଇଁ ସେମାନଙ୍କୁ ଶିକ୍ଷା ଦିଆଯାଉଛି। ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ନୂଆ ପରିଚୟ ଦେବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ’’, କହିଛନ୍ତି ଡକ୍ଟର ଆଦିତ୍ୟ କୁମାର ମହାନ୍ତି।

ଏହି ଅନୁଷ୍ଠାନ ବିଭିନ୍ନ ବ୍ୟକ୍ତି ଏବଂ କର୍ପୋରେଟ୍‌ ସେକ୍ଟରରୁ ଆସୁଥିବା ଦାନରେ ଚାଲିଥାଏ। ହେଲେ କରୋନା ମହାମାରୀ ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ପକାଇଛି। ଫଳରେ ଆଗରୁ ଯେତିକି ଦାନ ଆସୁଥିଲା ତାହା କରୋନା ଯୋଗୁଁ ହ୍ରାସ ପାଇଛି। ସ୍ଥାନୀୟ ଲୋକମାନେ ମଧ୍ୟ ଟଙ୍କା ସହିତ ବିଭିନ୍ନ ଜିନିଷ, ଖାଦ୍ୟସାମଗ୍ରୀ ଦାନ କରୁଥିଲେ। ହେଲେ ଲୋକମାନେ କରୋନା ଳକ୍‌ଡାଉନ୍‌ ପାଇଁ ବାହାରକୁ ଆସିପାରୁ ନାହାନ୍ତି। ଫଳରେ ଆଦୃତା ଶିଶୁ ସଦନରେ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ ଭବିଷ୍ୟତ ଗଠନ ଉପରେ ପ୍ରଶ୍ନବାଚୀ ଉଠିଛି। ଏହି ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏବଂ ସେମାନଙ୍କ ଖାଇବା, ରହିବା, ପାଠପଢ଼ିବା ପାଇଁ ଦାନ ଦେବାକୁ ଜନସାଧାରଣଙ୍କୁ ଡକ୍ଟର ମହାନ୍ତି ଅନୁରୋଧ କରିଛନ୍ତି।

‘‘ଆଦୃତା ଶିଶୁ ସଦନ ଏହି ପିଲାମାନଙ୍କର ବିକାଶ ସହିତ ସମାଜକୁ ମଧ୍ୟ ସଚେତନ କରିଥାଏ। କୋଭିଡ୍‌-୧୯ ମହାମାରୀ ସମୟରେ ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ପିଲାମାନଙ୍କର ଉତ୍ତମ ଭବିଷ୍ୟତ ଗଠନ କରିବାକୁ ଚାହୁଁଥାନ୍ତି ସେମାନେ ଟଙ୍କା କିମ୍ବା କୌଣସି ସାମଗ୍ରୀ ଦାନ ଦେଇପାରନ୍ତି’’, କହିଛନ୍ତି ଡକ୍ଟର ଆଦିତ୍ୟ କୁମାର ମହାନ୍ତି।

ସ୍ଥାନୀୟ ଅଞ୍ଚଳରେ ଯେଉଁମାନେ ଦାନ ଦେବାକୁ ଚାହୁଁଛନ୍ତି ସେମାନେ ସ୍ୱେଚ୍ଛାସେବୀଙ୍କ ଜରିଆରେ ଦେଇପାରିବେ। ଏହି ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଘର ପାଖକୁ ଯାଇ ଦାନ ଆଣିପାରିବେ। ଏହାସହ ଭାରତରେ ରହୁଥିବା ଜନସାଧାରଣ ଏବଂ ଅନୁଷ୍ଠାନ ଯଦି ଦାନ ଦେବାକୁ ଚାହୁଁଛନ୍ତି ତାହାଲେ ସେମାନେ ବ୍ୟାଙ୍କ ଜରିଆରେ ଦେଇପାରିବେ। ଏହି ଦାନ ବାବଦରେ ସେମାନଙ୍କୁ ଆୟକର ନିୟମ ୮୦ (ଜି) ଅଧୀନରେ ରିହାତି ମିଳିପାରିବ।

Account Details:

Name: RAWA Academy

AC No: 30007404640

IFSC: SBIN0004414

SBI, Fortune Towers, Bhubaneswar

ଆମେରିକାରେ ରହୁଥିବା ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଦାନ ଦେବାକୁ ଚାହୁଁଛନ୍ତି ତାହାଲେ ସେମାନେ ଆଇସିଏ (ଇଣ୍ଡିଆନ୍‌ସ ଫର୍‌ କଲେକ୍ଟିଭ୍‌ ଆକ୍ସନ) ଜରିଆରେ ଅନଲାଇନ୍‌ ଦାନ ଦେଇପାରିବେ। ସେମାନେ ୧୦୦ ପ୍ରତିଶତ ଆୟକର ରିହାତି ପାଇପାରିବେ।

Account Details

Name: RAWA Academy

AC No: 0240101000161701

IFSC: UTIB0000024

Axis Bank, Satya Nagar, Bhubaneswar

ବିଗତ ଦିନମାନଙ୍କରେ ଅନେକ ପ୍ରତିଭାବାନ ପିଲା ଏହି ଆଦୃତା ଶିଶୁ ସଦନରୁ ବାହାରି ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇ ସଫଳତା ହାସଲ କରିଛନ୍ତି। ଏଣୁ ବେସାହାରା ଶିଶୁଙ୍କ ପାଇଁ ସାହାରା ପାଲଟିଥିବା ଏହି ଅନୁଷ୍ଠାନକୁ କୋଭିଡ୍‌ ସଙ୍କଟ ବେଳେ ସହାୟତାର ହାତ ବଢ଼ାଇବାକୁ ଆଦୃତା ଶିଶୁ ସଦନର ଅଧ୍ୟକ୍ଷ ଡକ୍ଟର ମହାନ୍ତି ଅପିଲ୍‌ କରିଛନ୍ତି।

Comment