ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ। ଗଞ୍ଜାମରେ ସ୍ଥିତି ବିଗୁଡୁଛି।
ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେଉଛି ପଛେ ନିୟନ୍ତ୍ରଣକୁ ଆସୁନି। ଚାହୁଁ ଚାହୁଁ ଓଡ଼ିଶାରେ କରୋନା ଗ୍ରାଫ୍ ବଢ଼ି ଚାଲିଛି। ଗୋଟିଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖା ୨୬ ହଜାର ୮୯୨ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୭ ଛୁଇଁଛି। ସବୁଠୁ ଏବେ ୬ ଜିଲ୍ଲାକୁ ନେଇ ଚିନ୍ତା ବଢ଼ିଛି। ଏହି ୬ଟି ଜିଲ୍ଲା ଏବେ ନିୟନ୍ତ୍ରଣକୁ ଆସୁନି।
ଏହି ୬ଟି ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଗଜପତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଓ ମୃତକ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଏହି ଜିଲ୍ଲାରେ ୧୦ ହଜାର ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୩ ଛୁଇଁଛି।
ଗଞ୍ଜାମ ଜିଲ୍ଲା ଏବେ ରାଜ୍ୟ ସରକାରଙ୍କ ଫୋକସ୍ରେ ରହିଛି। ଏହି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଡୋର ଟୁ ଡୋର ସର୍ଭେ କରାଯାଉଥିବା ବେଳେ ମାଳମାଳ ଡାକ୍ତର ଓ ଅଫିସରଙ୍କୁ ନିୟୋଜିତ କରାଯାଇଛି। ହେଲେ ସ୍ଥିତି ସୁଧୁରୁନି। ଆଜି ଗଞ୍ଜାମ ଜିଲ୍ଲାରେ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୨୬୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ଏହି ଜିଲ୍ଲାରେ ବଢ଼ି ଚାଲିଛି। ଗଞ୍ଜାମ ପଛକୁ ଏହି ଜିଲ୍ଲା ଦ୍ୱିତୀୟରେ ରହିଥିବାରୁ ଚିନ୍ତା ବଢ଼ିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୟ ବଢ଼ିଛି। ଭୁବନେଶ୍ୱରରେ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ଜିଲ୍ଲାରେ ବି ସ୍ଥିତି ବାହାରେ। ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ମୁହାଁ ହୋଇଛି। ବର୍ତ୍ତମାନସୁଦ୍ଧା ଏହି ଜିଲ୍ଲାରୁ ୧୮୨୫ ଆକ୍ରାନ୍ତ ଚିହ୍ନଟ ହେବା ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଆଜି କଟକ ଜିଲ୍ଲାରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଯାଜପୁର, ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲାରେ ବି ସ୍ଥିତି ଚିନ୍ତାଜନକ। ଏହି ୪ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଯାଜପୁରରେ ୧୧୪୭ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୧୦, ଗଜପତିରେ ୧୦୫୬ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯାଜପୁରରେ ଆଜି ୫୧, ଗଜପତିରେ ୭୩, ସୁନ୍ଦରଗଡ଼ରେ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।








୬ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ। ଗଞ୍ଜାମରେ ସ୍ଥିତି ବିଗୁଡୁଛି।






