ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ଜିଲ୍ଲାକୁ ଅଗଷ୍ଟ ୭ ତାରିଖ ଯାଏଁ ଲକ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆଜି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜିଠୁ ଏହି ନିୟମ ଲାଗୁ ହେବ। ୧୦ ଦିନ ପାଇଁ ସହରର ସମସ୍ତ ପ୍ରବେଶପଥ ସିଲ୍ କରାଯିବ। ଯିଏ ସହର ଦେଇ ଯିବାକୁ ଚାହିଁବେ ସେମାନେ ଉପଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ।
ଏହି ଲକ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ସକାଳ ୭ଟାରୁ ଦିନ ୧ଟା ଯାଏଁ ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲା ରହିବ। ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।
କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୨୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨୦୬ ଜଣ ସକ୍ରିୟ ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ହୋଇଥିବା ବେଳେ ୪ ଜଣ ହେଉଛନ୍ତି ମହିଳା। ଚକାପାଦରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଦାରିଙ୍ଗବାଡ଼ିରୁ ଜଣେ, ବାଲିଗୁଡ଼ାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।















