ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଜଟଣୀ ରାକ୍ଷୀ ବଜାର ଉପରେ କରୋନା ମାଡ଼। ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମାରେ ଜଟଣୀ ରାକ୍ଷୀର ବେଶ୍ ଚାହିଦା ରହିଥାଏ। ବ୍ୟବସାୟୀମାନେ ରାକ୍ଷୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥା’ନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ଥିବାରୁ ରାକ୍ଷୀ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି।

ଜଟଣୀର ରାକ୍ଷୀ ବ୍ୟବସାୟୀମାନେ ରାକ୍ଷୀ ବିକ୍ରି କରି ନିଜ ପରିବାରକୁ ଚଳାଇବା ସହିତ ଆଉ ୭-୮ଜଣଙ୍କୁ ରୋଜଗାର ଯୋଗାଉଥିଲେ। ମାତ୍ର ଚଳିତବର୍ଷ କୋରନା ମାଡ଼ରେ ସବୁକିଛି ବର୍ବାଦ ହୋଇଯାଇଛି। ଜଟଣୀ ରାକ୍ଷୀ ଗୋଦାମରେ ଗଦା ଗଦା ହୋଇ ଭଳିକି ଭଳି ରକ୍ଷୀ ତିଆରି ଚାଲିଛି। କିନ୍ତୁ କରୋନା କଟକଣା ଯୋଗୁଁ ବ୍ୟବସାୟ ହେବ କି ନା ନାହିଁ  ସେନେଇ ଅନିଶ୍ଚିତତା ଦେଖାଦେଇଛି। ଏହାକୁ ନେଇ ଜଟଣୀ ହୋଲସେଲର ବ୍ୟବସୟୀମାନେ ଚିନ୍ତାରେ ପଡ଼ିଛନ୍ତି।ସେହିପରି ଜଟଣୀ ରାକ୍ଷୀ ଉପରେ ଅଖପାଖ ୪ଟି ଜିଲ୍ଲାର ଖୁଚୁରା ବ୍ୟବସୟୀମାନେ ନିର୍ଭର କରନ୍ତି। ଜଟଣୀରୁ କମ୍ ଦରରେ ରାକ୍ଷୀ କିଣି ତାହାକୁ ବିକ୍ରି କରିଥାନ୍ତି। କିନ୍ତୁ ଏବର୍ଷ କରୋନା କଟକଣା, ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଯୋଗୁଁ ସେମାନେ ମଧ୍ୟ ରାକ୍ଷୀ କିଣି ପାରୁନାହାନ୍ତି। ଏଥିସହ ଦୋକାନ ବଜାର ବନ୍ଦ ଥିବାରୁ ରାକ୍ଷୀ ବିକ୍ରି ହୋଇପାରୁନାହିଁ।

ରାକ୍ଷୀପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ କିପରି ରାକ୍ଷୀ ବାନ୍ଧିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେହି କେହି ଅନ୍‌ଲାଇନ୍‌ରୁ ରାକ୍ଷୀ କିଣୁଥିବା ବେଳେ ଆଉ କେହି ଘରେ ରାକ୍ଷୀ ତିଆରି କରିବାକୁ ବାଧ୍ୟ ହେଉଛନ୍ତି।

Comment