ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି? ଜାଣନ୍ତୁ …

ସାରାଦେଶରେ ଏବେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। କରୋନା ମୁକାବିଲା ପାଇଁ ଏବେ ପ୍ଲାଜମା ଥେରାପିର ପ୍ରୟୋଗ କରାଯାଉଛି। ଓଡ଼ିଶାରେ ପ୍ଲାଜମା ଥେରାପି ଅନେକାଂଶରେ ସଫଳ ହେଉଛି। ତେବେ ଏହି ପ୍ଲାଜମା ଥେରାପି କ’ଣ, ଏହା କିପରି କରାଯାଏ ଏସମ୍ପର୍କରେ ବିସ୍ତୃତ ଭାବେ ଆସନ୍ତୁ ଜାଣିବା।

ପ୍ଲାଜମା ଥେରାପି କ’ଣ

‘‘ଆମ ରକ୍ତରେ ଆରବିସି, ଡବ୍ଲ୍ୟୁବିସି ଭଳି କେତେକ କଣିକା ଥାଏ। ଯେତେବେଳେ ଶରୀରରୁ ରକ୍ତ କାଢ଼ି ଏକ ଟେଷ୍ଟଟ୍ୟୁବରେ ରଖାଯାଏ ସେତେବେଳେ ଏହି ରକ୍ତ କଣିକା ସବୁ ତଳେ ବସିଯାଏ। ଉପରେ ଯେଉଁ ଲାଲ ରଙ୍ଗର ତରଳ ପଦାର୍ଥ ଦେଖାଯାଏ ତାହାକୁ ପ୍ଲାଜମା କୁହାଯାଏ। ଅର୍ଥାତ ରକ୍ତରୁ କୋଷଗୁଡ଼ିକ ଅଲଗା ହୋଇଗଲା ପରେ ବାକି ଯେଉଁ ତରଳ ନଦାର୍ଥ ରହିଲା ତାହା ହିଁ ପ୍ଲାଜମା’’, କହିଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା

ଓଡ଼ିଆ ସ୍ୱାସ୍ଥ୍ୟ ପୋର୍ଟାଲ ‘ସ୍ଵାସ୍ଥ୍ୟପ୍ଲସ୍‌’କୁ ସାକ୍ଷାତକାର ଦେଇ ଡାକ୍ତର ଜ୍ୟୋତିରଞ୍ଜନ ପ୍ଲାଜମା ଥେରାପି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଡାକ୍ତର ଜ୍ୟୋତି ରଞ୍ଜନଙ୍କ କହିବା ଅନୁସାରେ, ଯେତେବେଳେ ଜଣେ ଲୋକ କୌଣସି ରୋଗରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୁଏ , ସେତେବେଳେ ତାଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡି ପ୍ଲାଜମାରେ ଥାଏ। ଯାହା ରୋଗ ସହ ଲଢ଼ିବାକୁ ଶକ୍ତି ଯୋଗାଏ। କରୋନା କ୍ଷେତ୍ରରେ ବି ଠିକ୍‌ ସେମିତି ଏହି ପ୍ଲାଜମା ଥେରାପି କରାଯାଉଛି।

କରୋନାରୁ ସୁସ୍ଥ ହୋଇଥିବା ଲୋକର ପ୍ଲାଜମାକୁ ଜଣେ ଗୁରୁତର ରୋଗୀ ଶରୀରକୁ ଟ୍ରାନ୍ସଫର କରାଯାଉଛି। ଫଳରେ ରୋଗୀ ଶରୀରରେ ଆଣ୍ଟିବଡି ତିଆରି ହେଉଛି ଓ ରୋଗୀ ଭୂତାଣୁ ବିରୋଧରେ ଲଢ଼ି ପାରୁଛି।

କିଏ ପ୍ଲାଜମା ଦାନ କରିପାରିବେ?

କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବ୍ୟକ୍ତି ୨୮ ଦିନ ପରେ ପ୍ଲାଜମା ଦେବା ପାଇଁ ଉପଯୋଗୀ। ଉକ୍ତ ବ୍ୟକ୍ତି ସୁସ୍ଥ ହେବା ସହ ତାଙ୍କ ବୟସ ୧୮ରୁ ୫୫ ବର୍ଷ ହୋଇଥିବା ଦରକାର। ଏହାଛଡ଼ା ସେହି ବ୍ୟକ୍ତି ଅନ୍ୟ କୌଣସି ରୋଗ ଯେପରିକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ନଥିବେ। ଏହାସହ ତାଙ୍କ ହିମୋଗ୍ଲୋବିନ୍‌ ୯ରୁ ଉପରକୁ ଥିବା ଦରକାର।

ଯଦି ଜଣେ ଗର୍ଭବତୀ ମହିଳାଙ୍କର ପ୍ଲାଜମା ଅସୁସ୍ଥ ରୋଗୀଙ୍କୁ ଦିଆଯାଏ, ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟା ରହିବାର ଆଶଙ୍କା ରହିଛି।

‘‘ଜଣେ ବ୍ୟକ୍ତି ଥରକରେ ୪୦୦ ମିଲିଲିଟର ପ୍ଲାଜମା ଦାନ କରେ। ସେ ଚାହିଁଲେ ଏକାଧିକ ଥର ପ୍ଲାଜମା ଦାନ କରିପାରିବେ।’’, କହିଛନ୍ତି ଡାକ୍ତର ଜ୍ୟୋତିରଞ୍ଜନ।

କିଏ ପ୍ଲାଜମା ଥେରାପି ନେଇପାରିବେ?

ଯେଉଁମାନଙ୍କର ଶ୍ୱାସ ନେବାରେ ବାଧା ହେଉଛି ବା ନିଶ୍ୱାସ ପ୍ରଶ୍ୱାସ ବେଗ ବଢ଼ିଯାଉଛି, ନିମୋନିଆ ହେବାର ଆଶଙ୍କା ରହୁଛି, କିନ୍ତୁ ଭେଣ୍ଟିଲେଟରକୁ ରୋଗୀ ଯାଇନାହାନ୍ତି, ସେମାନେ ପ୍ଲାଜମା ଥେରାପି ନେଇପାରିବେ।

ପ୍ଲାଜମା ଥେରାପିର ପାର୍ଶ୍ଵପ୍ରତିକ୍ରିୟା?

ସବୁବେଳେ ଡାକ୍ତରଙ୍କ ତତ୍ୱାବଧାନରେ ପ୍ଲାଜମା ଥେରାପି ଦେବା ଦରକାର। ପ୍ଲାଜମା ଥେରାପିରେ ରକ୍ତ ଜନିତ ସମସ୍ୟା ହେବାର ଆଶଙ୍କା ଥାଏ। କିନ୍ତୁ, ବର୍ତ୍ତମାନ ପ୍ଲାଜମା ଦେଉଥିବା ଲୋକଙ୍କର ସମସ୍ତ ପରୀକ୍ଷା କରାଯାଇ ପ୍ଲାଜମା ଦାନ କରାଯାଉଛି।

ବାରମ୍ବାର ରକ୍ତ ନେଉଥିବା ଲୋକଙ୍କଠାରେ ଫୁସ୍‌ଫୁସ୍‌ ସମସ୍ୟା ଦେଖାଦେଇଥାଏ। ତେଣୁ ପ୍ଲାଜମା ନେଲା ପରେ ବି ଫୁସ୍‌ଫୁସ୍‌ ସମସ୍ୟା ଦେଖାଦେଇପାରେ। ବର୍ତ୍ତମାନ ଏହି ସମସ୍ୟା ଅଳ୍ପ ଦେଖାଦେଉଛି।

କରୋନା ଭାଇରସରୁ ରୋଗୀ ସୁସ୍ଥ ହେବାର ଅନ୍ୟ ଏକ ରାସ୍ତା ହେଉଛି ପ୍ଲାଜମା ଥେରାପି। ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି।

LEAVE A REPLY

Please enter your comment!
Please enter your name here