ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାକୁ ପରାଜିତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ ପ୍ଲାଜମା। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଉତ୍ସାହିତ କରିଛନ୍ତି। ପ୍ଲାଜମା ସଂଗ୍ରହ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁବାର କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଜିଲ୍ଲାର ବିଧାୟକ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ପ୍ଲାଜମା ସଂଗ୍ରହ ଉପରେ ଆଲୋଚନା କରିଥିଲେ। ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧିମାନେ ଏହି ପ୍ଲାଜମା ସଂଗ୍ରହ ଅଭିଯାନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହାଛଡା ଜିଲ୍ଲାକୁ ଫେରିଥିବା ପ୍ରବାସୀମାନଙ୍କୁ କୃଷି କ୍ଷେତ୍ରରେ ନିୟୋଜନ କରି ସେମାନଙ୍କୁ ଜୀବିକା  ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। କୋଭିଡ ଯୁଦ୍ଧର ଯୋଦ୍ଧା ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ନର୍ସ, ଡାକ୍ତର ଆଦିଙ୍କୁ ଯଥା ସମ୍ମାନ ଦେବା ସହିତ ସେମାନଙ୍କ ପାଇଁ ଉପକରଣ ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଜିଲ୍ଲାରେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରାଯାଇ ସେଠାରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିବା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱ ଦେଇଥିଲେ।

ଏହି ଆଲୋଚନାରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ ଦେବ, ପାଟକୁରା ବିଧାୟିକାଙ୍କ ପୁଅ ସଞ୍ଜୟ ଅଗ୍ରୱାଲା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡ଼ା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment