ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • କରୋନା କାଳରେ ଭିନ୍ନକ୍ଷମମାନଙ୍କ ସମସ୍ୟା
  • ବଲାଙ୍ଗୀରରେ ଭିନ୍ନକ୍ଷମ ସାଜିଲେ କରୋନା ଯୋଦ୍ଧା

କୋଭିଡ୍‌-୧୯ ମହାମାରୀ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଛି। କିଏ ଜୀବିକା ହରାଇଛି ତ ପୁଣି କିଏ ପାଠପଢ଼ାରୁ ବଞ୍ଚିତ ହୋଇଛି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କରୋନା ସମସ୍ୟା ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ କରୋନା ପ୍ରଭାବ ପକାଇଥିବା ବେଳେ ଆମ ସମାଜର ଭିନ୍ନକ୍ଷମ ବ୍ୟକ୍ତିମାନେ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସମୟରେ ଭିନ୍ନକ୍ଷମମାନେ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ପାଇଁ ସମାଧାନର ରାସ୍ତା କ’ଣ ଅଛି ତାହା ଏଥରର ରେଡିଓ ଧାରାବାହିକ କେତେ ନୂଆବାଟରେ ସ୍ଥାନ ପାଇଛି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଅଗଷ୍ଟ ୨ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ଦଶମ ଅଧ୍ୟାୟରେ କୋଭିଡ୍‌ ସମୟରେ ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି।

ଦିବ୍ୟାଙ୍ଗମାନେ ସବୁବେଳେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନଙ୍କ ଯିବା ଆସିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଓ ସୁରକ୍ଷା ନେଇ ଆଗରୁ ଅନେକ ଅସୁବିଧା ରହିଥିଲା। ଏବେ କରୋନା ସମୟରେ ଏହି ସମସ୍ୟା ଆହୁରି ବଢ଼ି ଯାଇଛି।  ତେବେ ଏହି ସଙ୍କଟ ବେଳେ ଭିନ୍ନକ୍ଷମମାନେ କ’ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ କହିଛନ୍ତି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାମ କରୁଥିବା ଓଏଏସ୍ ଅଫିସର୍ ସନ୍ନ୍ୟାସୀ କୁମାର ବେହେରା। ସନ୍ନ୍ୟାସୀ ବେହେରା ଦୃଷ୍ଟି ବାଧିତ ହୋଇ ମଧ୍ୟ ଆଜି ସକ୍ଷମତାର ଉପର ପାହାଚରେ ଠିଆ ହୋଇଛନ୍ତି।

‘‘ସାଧାରଣ ଲୋକଙ୍କ ପରି ଦିବ୍ୟାଙ୍ଗମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଖାନାଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ଭିନ୍ନକ୍ଷମମାନେ ଅସୁବିଧାରେ ପଡୁଛନ୍ତି। ଦିବ୍ୟାଙ୍ଗ ପିଲାମାନେ ସ୍ମାର୍ଟ ଫୋନ୍‌ ସହିତ ଅଭ୍ୟସ୍ତ ନଥିବାରୁ ବର୍ତ୍ତମାନ ଚାଲିଥିବା ଅନଲାଇନ ପାଠପଢ଼ାରୁ ସେମାନେ ବଞ୍ଚିତ ହେଉଛନ୍ତି। ସାମାଜିକ ଦୂରତାର ନିୟମ ଥିବାରୁ ଡାକ୍ତରଖାନାକୁ ଏକୁଟିଆ ଯିବା ସମ୍ଭବ ହେଉନି। ଏହାସହ ଯେଉଁମାନେ ନିୟମିତ ଥେରାପି ନେଉଥିଲେ ତାହା ବି କରୋନା କାଳରେ ବନ୍ଦ ହୋଇଯାଇଛି’’, କହିଛନ୍ତି ସନ୍ନ୍ୟାସୀ ବେହେରା।

ଓଡ଼ିଶାର ପୂର୍ବତନ ଭିନ୍ନକ୍ଷମ କମିସନର କସ୍ତୁରୀ ମହାପାତ୍ର ମଧ୍ୟ ରେଡିଓ ଧାରାବାହିକ ‘କେତେ ନୂଆବାଟ’ରେ ଭାଗନେଇ କହିଛନ୍ତି ଯେ, ‘‘କରୋନା କାଳରେ ବିଭିନ୍ନ ଆହ୍ୱାନକୁ ସାମ୍ନା କରୁଛନ୍ତି ଭିନ୍ନକ୍ଷମମାନେ। ସେମାନଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ଏବେ ବଡ଼ ଆହ୍ୱାନ ପାଲଟିଛି। ଏହାସହ ସେମାନଙ୍କ ଜୀବିକା ଓ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।‘‘

କରୋନା ସଙ୍କଟ ବେଳେ ଦିବ୍ୟାଙ୍ଗମାନଙ୍କ ଅସୁବିଧା ଦୂର କରିବା ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ବିଷୟରେ ସୂଚନା ଦେଇଛନ୍ତି  ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ।

‘‘କୋଭିଡ୍‌-୧୯ ବେଳେ ଭିନ୍ନକ୍ଷମ ପିଲାଙ୍କ ସୁରକ୍ଷା ହେଉଛି ସମସ୍ତଙ୍କର ପ୍ରଥମ ଦାୟିତ୍ୱ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଭିନ୍ନକ୍ଷମଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ତାକୁ ରାଜ୍ୟ ସରକାର ପାଳନ କରିଛନ୍ତି। ଭିନ୍ନକ୍ଷମମାନେ ବିଭିନ୍ନ ସରକାରୀ ସୁବିଧା କେମିତି ପାଇବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି’’, କହିଛନ୍ତି ସୁଲୋଚନା ଦାସ।

କରୋନା ସଙ୍କଟ ବେଳେ ସରକାରଙ୍କ ସହ ମିଶି ଦିବ୍ୟାଙ୍ଗମାନଙ୍କ ଜୀବନକୁ ସରଳ କରିବା ପାଇଁ ପ୍ରୟାସ ଜାରି ରଖିଛି ୟୁନିସେଫ୍। କିପରି ସେମାନଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଁଚିବ, କିପରି ଶିକ୍ଷା କ୍ଷେତ୍ରରେ ଏମାନେ ପଛରେ ପଡ଼ିଯିବେ ନାହିଁ, ଏସବୁ କଥା ନେଇ ଅନେକ ପଦକ୍ଷେପ ନିଆଯାଇଛି ଏ ସଂପର୍କରେ କହିଛନ୍ତି ୟୁନିସେଫର ଏଜୁକେସନ୍ ସ୍ପେସାଲିଷ୍ଟ୍ ଲଳିତା ପଟ୍ଟନାୟକ।

‘‘କରୋନା ସଙ୍କଟ ବେଳେ ଭିନ୍ନକ୍ଷମମାନଙ୍କ ବିକାଶରେ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି। କରୋନା କଟକଣା ଯୋଗୁଁ ଏମାନେ ବିଭିନ୍ନ କ୍ଷେତ୍ରରେ ଅସୁବିଧାରେ ପଡୁଛନ୍ତି। ଏଥିପାଇଁ ୟୁନିସେଫ୍‌ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହି ବର୍ଗର ବ୍ୟକ୍ତିମାନଙ୍କ ପାଖରେ କିପରି ସଠିକ୍‌ ସୂଚନା ପହଞ୍ଚିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନବାଡ଼ିରେ ଯେଉଁ ପିଲାମାନେ ଯାଉଛନ୍ତି ସେମାନଙ୍କ ପାଇଁ ଘରେ ଘରେ ଅରୁଣିମା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଲେଣ୍ଡର ଏବଂ ସ୍କୁଲ ପିଲାଙ୍କ ପାଇଁ ଅଡିଓ ବହି ଦେବା ପାଇଁ ବ୍ୟବସ୍ଥା ରହିଛି’’, କହିଛନ୍ତି ଲଳିତା ପଟ୍ଟନାୟକ।

କରୋନା ସଙ୍କଟ ବେଳେ ଦିବ୍ୟାଙ୍ଗମାନେ କେବଳ ନିଜେ ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି, ଅନ୍ୟମାନଙ୍କୁ ସହାୟତା କରି କରୋନା ଯୋଦ୍ଧା ପାଲଟିଛନ୍ତି। ଏମିତି ଜଣେ  ଭିନ୍ନକ୍ଷମ ହେଉଛନ୍ତି  ବଲାଙ୍ଗୀର ଚୂଡ଼ାପାଲିର ଅଙ୍ଗନବାଡ଼ି ଦିଦି ମମତାରାଣୀ ପଣ୍ଡା। ଭିନ୍ନକ୍ଷମ ହୋଇ ମଧ୍ୟ ସେ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି ନୂଆ ବାଟ ଖୋଜୁଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫର ଆର୍ଥିକ ସାହାଯ୍ୟ ବଳରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ କିଛିଦିନ ତଳେ ଖୋଲିଛି ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ବା ଆଡଭାନ୍ସଡ୍‌ ରିହାବିଲିଟେସନ୍ ସେଂଟର୍’। ଭୁବନେଶ୍ୱର ପରେ ଏହା ରାଜ୍ୟରେ ଦ୍ୱିତୀୟ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ଭିନ୍ନକ୍ଷମମାନଙ୍କ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ ପାଇଁ ବିଶେଷ ବ୍ୟବସ୍ଥା ରହିଛି। କୋଭିଡ-୧୯ ସମୟରେ ଏହି ଅନୁଷ୍ଠାନ କ’ଣ ଭୂମିକା ନିର୍ବାହ କରୁଛି ସେ ସଂପର୍କରେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

‘‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କେବଳ ସୁନ୍ଦରଗଡ଼ ନୁହେଁ, ଦମଗ୍ର ପଶ୍ଚିମ ଓଡ଼ିଶା ପାଇଁ ବରଦାନ ସଦୃଶ। ଆଗରୁ ଯେଉଁମାନେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସାର୍ଟିଫିକେଟ୍‌ ଦିଆଯାଉଥିଲା। ଫଳରେ ସରକାର ସେମାନଙ୍କୁ ଭତ୍ତା ଏବଂ ଅନ୍ୟାନ୍ୟ ଉପକରଣ ବଣ୍ଟନ କରୁଥିଲେ। ହେଲେ ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନ ସହ ବଞ୍ଚିବାର ସୁଯୋଗ ଦେବା ପାଇଁ ଏବଂ ସେମାନେ ନିଜେ କେମିତି ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ ସେଥିପାଇଁ ଏହି ପୁନର୍ବାସ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ବ୍ୟବସ୍ଥା ରହିଛି’’, କହିଛନ୍ତି ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment