ଓଡ଼ିଶାଲାଇଭ୍ ବ୍ୟୁରୋ
୨୮ ବର୍ଷ ତଳେ ଅଯୋଧ୍ୟାରେ ମାଟିରେ ମିଶିଥିଲା ବାବ୍ରି ମସ୍ଜିଦ୍। ଜାଣନ୍ତୁ କେମିତି ଭଙ୍ଗା ହେଲା ଷୋଡ଼ଶ ଶତାବ୍ଦୀର ପ୍ରାଚୀନ ବାବ୍ରି ମସ୍ଜିଦ୍।
ଭାରତ ପାଇଁ ଆଜି ଥିଲା ଏକ ଐତିହାସିକ ଦିନ। ବହୁ ବାଦ, ବିବାଦ ସଂଘର୍ଷ ପରେ ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା। ବର୍ଷ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲେ କୋଟି କୋଟି ଭାରତୀୟ। ଏହି ଖୁସିର ଅବସରରେ ବାବ୍ରି ମସଜିଦ୍ ଭଙ୍ଗା ଘଟଣାକୁ କେହି ବି ଭୁଲି ପାରିନାହାଁନ୍ତି। ତେବେ ୨୮ ବର୍ଷ ତଳର ସେହି ଅଭୁଲା କାହାଣୀ କ’ଣ ଥିଲା ଆସନ୍ତୁ ଜାଣିବା।
ମୁହଁରେ ଥିଲା ‘ଜୟ ଶ୍ରୀରାମ’ର ନାରା। ହାତରେ ଥିଲା ବହୁ ପାରମ୍ପାରିକ ଅସ୍ତ୍ର। ଗୋଟିଏ ନିଶ୍ୱାସରେ ଦେଶର କୋଣ ଅନୁକୋଣରୁ କର ସେବକମାନେ ଧାଇଁ ଆସିଥିଲେ ଅଯୋଧ୍ୟା। ଲକ୍ଷ୍ୟ ଥିଲା ବାବ୍ରି ମସ୍ଜିଦ୍ ଭାଙ୍ଗି ରାମ ମନ୍ଦିର ନିର୍ମାଣ କରିବା। ରାମ ମନ୍ଦିର ତ ନିର୍ମାଣ ହୋଇପାରିଲା ନାହିଁ, ହେଲେ ପ୍ରାୟ ଅଢ଼େଇ ଲକ୍ଷ କର ସେବକଙ୍କ ପାହାରରେ ମାଟିରେ ମିଶିଗଲା ଷୋଡ଼ଶ ଶତାବ୍ଦୀର ପ୍ରାଚୀନ ବାବ୍ରି ମସ୍ଜିଦ୍।
ବାବ୍ରି ମସ୍ଜିଦ୍ର କାହାଣୀ
କୁହାଯାଏ ଅଯୋଧ୍ୟା ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନ। ଏଣୁ ଅଯୋଧ୍ୟାର ଯେଉଁ କୋଣକୁ ଯିବେ ସେଠି ରାମନାମ ଶୁଣିବାକୁ ମିଳିବ। କିନ୍ତୁ ୧୫୦୦ ମସିହା ପରେ ରାମଜନ୍ମଭୂମି ବିବାଦକୁ ଆସିଥିଲା। ଅଯୋଧ୍ୟା ମୁଗଲ ଶାସକଙ୍କ ଅଧୀନକୁ ଚାଲି ଯାଇଥିଲା। ବାବର ନାମକ ମୁଗଲ ଶାସନ ଅଯୋଧ୍ୟାରେ ରାଜୁତି କରୁଥିବା ବେଳେ ରାମଜନ୍ମଭୂମିରେ ୧୫୨୮ରେ ସେ ମସଜିଦ ନିର୍ମାଣ କରିଥିବା କୁହାଗଲା। ଏହାକୁ ନେଇ ହିଁ ହିନ୍ଦୁ-ମସଲମାନଙ୍କ ଭିତରେ ବିବାଦ ବଢ଼ିଥିଲା।
୧୮୫୩ରେ ପ୍ରଥମଥର ପାଇଁ ଏହି ବିବାଦୀୟ ସ୍ଥଳକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ବିବାଦ ବଢ଼ିବାରୁ ଏବଂ ସମାଧାନ ହୋଇ ନପାରିବାରୁ ୧୮୫୯ରେ ବ୍ରିଟିସ ଶାସକ ଏଠଶରେ ପାଚେରୀ ନିର୍ମାଣ କରିଦେଲେ। ବିବାଦୀୟ ସ୍ଥଳର ଭିତରେ ମୁସଲମାନମାନଙ୍କୁ ଏବଂ ବାହାରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ।
ବ୍ରିଟିଶ ଶାସକ ଯେଉଁ ଭାଗବଣ୍ଟା କଲେ ତାକୁ ନେଇ ବିବାଦ ବଢ଼ିଲା ପଛେ କମିଲା ନାହିଁ। ୧୯୪୯ରେ ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି। କେତେଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା ମୁସଲମାନମାନେ ଅଭିଯୋଗ କରିଥିଲେ। ଏହାପରେ ଉଭୟ ପକ୍ଷ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଦେଲେ।
ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣର ଅଭିଯାନ
ଏହି ବିବାଦୀୟ ସ୍ଥଳରେ ସରକାର ତାଲା ପକାଇ ଦେଇଥିଲେ ମଧ୍ୟ ବିବାଦ ଥମି ନଥିଲା। ଦିନ ଯେତିକି ଗଡୁଥିଲା ରାମ ସମର୍ଥକଙ୍କ ଭିତରେ ମନ୍ଦିର ନିର୍ମାଣର ଝୁଙ୍କ୍ ସେତିକି ବଢ଼ୁଥିଲା। ଶେଷରେ ଏହି ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା। ଏଥିରେ ରାଜନୀତିର ରଙ୍ଗ ଲାଗିଲା।
ବିଜେପି, ବିଶ୍ୱହିନ୍ଦୁ ପରିଷଦ ଏବଂ ଆଉ କିଛି ଧାର୍ମିକ ସଙ୍ଗଠନ ରାମ ମନ୍ଦିର ନିର୍ମାଣ ପାଇଁ ଜଳୁଥିବା ନିଆଁରେ ଘିଅ ଢାଳିଥିବା କୁହାଗଲା। ରାମ ମନ୍ଦିର ନିର୍ମାଣ ଲାଗି ୧୯୮୪ରେ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କରାଗଲା। ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ। ଶେଷରେ ୧୯୮୬ରେ ହିନ୍ଦୁମାନଙ୍କୁ ପ୍ରର୍ଥନା କରିବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖୋଲିଥିଲେ। ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରି ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା।
୧୯୯୦ରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ବ୍ରାବି ମସଜିଦର କିଛି ଅଂଶକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିବାଦ ବଢ଼ିବାରୁ ଏହା ସଫଳ ହୋଇ ନଥିଲା।
ମାଟିରେ ମିଶିଲା ମସ୍ଜିଦ୍
ବାବ୍ରି ମସ୍ଜିଦ୍ ଭାଙ୍ଗିବା ପାଇଁ ୧୯୮୪ରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ୧୯୯୨ ଡିସେମ୍ବର ୬ରେ ସଫଳ ହୋଇଥିଲା। ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଥିବା ରାମଙ୍କ କର ସେବକମାନଙ୍କୁ ଏକାଠି କରାଗଲା। ଯିଏ ଯେଉଁଠି ଥିଲେ ଟ୍ରେନ୍ ଏବଂ ବସ୍ରେ ଅଯୋଧ୍ୟା ଛୁଟିଲେ। ଏତେ ସଂଖ୍ୟାରେ କରସେବକମାନେ ଅଯୋଧ୍ୟା ଆସିଲେ ଯେ ପ୍ରଶାସନ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଲା।
ପ୍ରଶାସନ କିଛି ପଦକ୍ଷେପ ନେବା ପୂର୍ବରୁ ବାବ୍ରି ମସ୍ଜିଦ୍ ମାଟିରେ ମିଶି ଯାଇଥିଲା। ମସ୍ଜିଦ୍ ଭାଙ୍ଗିବା ପରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗାରେ ଉଭୟ ପକ୍ଷରୁ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ରାମ ମନ୍ଦିର ଓ ରାଜନୀତି
ବ୍ରାବି ମସ୍ଜିଦ୍ ଭଙ୍ଗା ହେବା ପୂର୍ବରୁ ୧୯୮୯ରେ ଦେଶରେ ଅନୁଷ୍ଠିତ ହୋଇଥିଲା ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ବିଜେପି ରାମ ମନ୍ଦିରକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ରାମ ମନ୍ଦିର ନିର୍ମାଣ କରିବାକୁ କହି ବିଜେପି ଭୋଟରଙ୍କ ନିକଟତର ହୋଇଥିଲା। ଫଳରେ ୮୫ଟି ଆସନରେ ବିଜୟୀ ହୋଇଥିଲା ବିଜେପି।
ବିଜେପିର ସମର୍ଥନରେ ଜନତା ଦଳ କେନ୍ଦ୍ରରେ ସରକାର ଗଠନ କରିଥିଲା ଏବଂ ଭି ପି ସିଂହ ହୋଇଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ବିଜେପିର କଠୋରପନ୍ଥୀ ନେତା ଭାବେ ପରିଚିତ ଲାଲକୃଷ୍ଣ ଆଡଭାନି ରାମ ମନ୍ଦିର ପ୍ରସଙ୍ଗକୁ ଛାଡ଼ି ନଥିଲେ। ଗୁଜୁରାଟର ସୋମନାଥରୁ ଅଯୋଧ୍ୟା ରାମ ଜନ୍ମଭୂମି ପର୍ଯ୍ୟନ୍ତ ରଥଯାତ୍ରା କରିବାକୁ ଆଡଭାନି ଘୋଷଣା କରିଥିଲେ।
ଗୁଜୁରାଟରୁ ଅଯୋଧ୍ୟା ଆଡଭାନିଙ୍କ ରଥଯାତ୍ରା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କଲା। ଜନମତ ସଂଗ୍ରହ କରିବା ପାଇଁ ଏବଂ ଲୋକମାନଙ୍କୁ ଏକାଠି କରିବା ପାଇଁ ଆଡଭାନି ୧୯୯୦ ଅକ୍ଟୋବର ୨୫ରୁ ‘ରାମ ରଥଯାତ୍ରା’ ଆରମ୍ଭ କରିଥିଲେ। ଗୁଜୁରାଟର ସୋମାନାଥରୁ ଅଯୋଧ୍ୟା ଯାଏଁ ଗଡ଼ିଥିଲା ଆଡ଼ଭାନିଙ୍କ ରଥ।
ଏହି ରଥଯାତ୍ରାରେ ସାମିଲ ହୋଇଥିଲେ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତାମାନେ। ଆଡଭାନିଙ୍କ ରଥ ଯେଉଁ ଯେଉଁ ବାଟ ଦେଇ ଅଯୋଧ୍ୟା ଆସୁଥିଲା ସେଠି ବିପୁଳ ଜନ ସମର୍ଥନ ମିଳୁଥିଲା।
ଆଡଭାନିଙ୍କ ରଥ ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର ଆଦି ରାଜ୍ୟ ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରୁଥିଲା ରଥ। କାରଣ ଅକ୍ଟୋବର ୩୦ରେ ରଥ ଅଯୋଧ୍ୟାରେ ପହଞ୍ଚିବାର ଥିଲା। କିନ୍ତୁ ଅଯୋଧ୍ୟାରେ ପହଞ୍ଚିବା ପୂର୍ବରୁ ଆଡଭାନିଙ୍କୁ ଗିରଫ କରାଯାଇଥିଲା।
ଆଡଭାନି ଗିରଫ ହେବା ପରେ ସାଧୁ ସନ୍ଥଙ୍କ ଭିତରେ ଆକ୍ରୋଶ ବଢ଼ିଲା। ଯେଉଁ ବିଜେପିର ସମର୍ଥନ ବଳରେ କେନ୍ଦ୍ରରେ ଭି ପି ସିଂହଙ୍କ ସରକାର ଶାସନ ଗାଦିରେ ବସିଥିଲା ତାକୁ ଗଡ଼େଇବା ପାଇଁ ବିଜେପି ଦିଲ୍ଲୀରେ ଯୋଜନା କଲା। ଭି ପି ସିଂହ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲା।
ଲକ୍ଷାଧିକ କର ସେବକମାନେ କିନ୍ତୁ ନିର୍ଦ୍ଧାରିତ ତାରିଖ ଅକ୍ଟୋବର ୩୦ରେ ଅଯୋଧ୍ୟାରେ ପହଞ୍ଚିଗଲେ। ପ୍ରଶାସନ ଅଣାୟତ୍ତ ହୋଇଗଲା। କର ସେବକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠି ମାଡ଼ ଓ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। କିନ୍ତୁ ଲକ୍ଷ ଲକ୍ଷ କର ସେବକଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ସମ୍ଭବ ହେଲାନି। ପୋଲିସ ଉପରକୁ ଇଟା, ପଥର ମାଡ଼ ହେଲା।
ନଭେମ୍ବର ୨ରେ କର ସେବକମାନଙ୍କୁ ବଳ ଦେବା ପାଇଁ ଅଯୋଧ୍ୟାରେ ପହଞ୍ଚିଗଲେ ଉମା ଭାରତୀ। ଭାଷଣ ଦେଇ କର ସେବକମାନଙ୍କ ଭିତରେ ଜୋସ୍ ଭରିଲେ। କର ସେବକମାନଙ୍କ ଉପରେ ପୋଲିସର ପାହାର ପଡ଼ିଲା। ସାରା ଦେଶରୁ ଆସିଥିବା କର ସେବକମାନେ ଅଯୋଧ୍ୟା ଛାଡ଼ି ଚାଲି ଯାଇଥିଲେ।
୧୯୯୨ରେ ପୁଣି କର ସେବା
୧୯୯୦ରୁ ୯୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବାବ୍ରି ମସ୍ଜିଦ୍ ଆକ୍ସନ କମିଟିର ନେତାମାନଙ୍କ ସହ ଆଲୋଚନା କଲେ। ଶାନ୍ତି ପୂର୍ଣ୍ଣ ଭାବେ ବିବାଦର ସମାଧାନ କରିବାକୁ ନିବେଦନ କଲେ। କିନ୍ତୁ ରାମ ମନ୍ଦିର ନିର୍ମାଣ ଜିଦ୍ରେ ଅଟଳ ରହିଥିଲେ ବିଶ୍ୱହିନ୍ଦୁ ପରିଷଦ ଏବଂ ବିଜେପିର ନେତାମାନେ। ୧୯୯୨ରେ ପୁଣି କର ସେବା ଘୋଷଣା ହୋଇଥିଲା। ସାରା ଦେଶରୁ ଲକ୍ଷ ଲକ୍ଷ କର ସେବକ ଅଯୋଧ୍ୟା ଆସିଲେ। ଡିସେମ୍ବର ୬ରେ ବାବ୍ରି ମସ୍ଜିଦ୍ ମାଟିରେ ମିଶିଲା।
ବାବ୍ରି ମସଜିଦ୍ ଭଙ୍ଗା ହେବା ପରେ ମାମଲା ଆହ୍ଲାବାଦ କୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମକୋର୍ଟରେ ମାମଲା ଦୀର୍ଘ ଦିନ ଧରି ଚାଲିବା ପରେ ନଭେମ୍ବର ୯ରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ।
ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ସହ ଅନ୍ୟ ୫ ଏକର ଜାଗାରେ ମସ୍ଜିଦ୍ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।