ଓଡ଼ିଶାଲାଇଭ୍‌ ବ୍ୟୁରୋ


‘‘ସନ୍ଧ୍ୟା ପ୍ରାୟ ୬ଟା ହେବ। ମୁଁ ଘର ଭିତରେ ଥାଏ। ପ୍ରଥମେ ଘର ଭିତରେ ସବୁକିଛି ହଲିବାକୁ ଲାଗିଲା। ଭାବିଲି ଭୂକମ୍ପ ଆସିଛି। ସେଥିପାଇଁ ପୁଅ ଆଉ ସ୍ତ୍ରୀଙ୍କୁ ଘରୁ ବାହାରକୁ ଆସିବାକୁ କହିଲି। କିନ୍ତୁ ଟିକିଏ ପରେ ଏକ ବିରାଟ ବିସ୍ଫୋରଣ ଶବ୍ଦ ଶୁଭିଲା। କିଛି ଜଣା ପଡ଼ୁନଥାଏ। ଡରି ଡରି ବାହାରକୁ ଯାଇ ଦେଖେ ତ ବନ୍ଦର ଦିଗରେ ଆକାଶରେ ଲାଲ ରଙ୍ଗର ଧୁଆଁ ଉପରକୁ ଉଠୁଛି। ପରେ ଜାଣିଲି ଯେ ବନ୍ଦରରେ ଲଗାତର ଦୁଇଟି ବିସ୍ଫୋରଣ ହୋଇଛି’’, ଲେବାନନରେ ଘଟିଥିବା ଭୟଙ୍କର ବିସ୍ଫୋରଣକୁ ନେଇ ନିଜର ଅନୁଭୂତି ବାଣ୍ଟିଛନ୍ତି ସେଠାରେ ରହୁଥିବା ଓଡ଼ିଆ ପ୍ରଫେସର ଦିଗମ୍ବର ପାତ୍ର।

ପ୍ରଫେସର ପାତ୍ର ଦୀର୍ଘ ବର୍ଷରୁ ଲେବାନନରେ ରହୁଛନ୍ତି। ସେ ବେରୁଟରେ ଥିବା ଆମେରିକୀୟ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଛନ୍ତି।

‘‘୨୦୦୫ ମସିହାରେ ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ରତିଫ୍‌ ହରିଲିଙ୍କ ହତ୍ୟା କରାଯାଇଥିଲା। ଆର୍ନ୍ତଜାତିକ କୋର୍ଟରେ ଏବେ ଏହି ମାମଲା ରହିଛି। ଅଗଷ୍ଟ ୭ରେ ଏହି ମାମଲାର ରାୟ ଆସିବାକୁ ଯାଉଛି। ସେହିପରି କିଛି ଦିନ ପୂର୍ବରୁ ଲେବାନନର ଦକ୍ଷିଣରେ ଇସ୍ରାଏଲ ସହିତ ଏକ ଛୋଟିଆ ଲଢ଼େଇ ହୋଇଥିଲା। ଲେବାନନର ଆର୍ଥିକ ପରିସ୍ଥିତି ମଧ୍ୟ ଏବେ ଭଲ ନାହିଁ। ଏପରି ସ୍ଥିତିରେ ଏକ ବିରାଟ ବିସ୍ଫୋରଣ ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି’’, କହିଛନ୍ତି ଦିଗମ୍ବର ପାତ୍ର।

ଲେବାନନରେ ରାଜଧାନୀ ବେରୁଟରେ ମଙ୍ଗଳବାର ରାତିରେ ଘଟିଥିଲା ଏକ ଭୟଙ୍କର ବିସ୍ଫୋରଣ। ୨୦୧୪ ମସିହାରୁ କିଛି ଜାହାଜରୁ ଜବତ ହୋଇଥିବା ଆମୋନିୟମ ନାଇଟ୍ରେଟ ବନ୍ଦର ଷ୍ଟୋର ରୁମ୍‌ରେ ଗଚ୍ଛିତ ରହିଥିଲା। ଅତ୍ୟଧିକ ଚାପ ଓ ଉତ୍ତାପ ବୃଦ୍ଧି ଯୋଗୁଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ବନ୍ଦର ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣର ମାତ୍ର ଏତେ ଥିଲା ଯେ ବେରୁଟରେ ଭୂମିକମ୍ପ ସୃଷ୍ଟି ହୋଇଥିଲା।

ଏଥିରେ ପ୍ରାୟ ୮୦ ଜଣଙ୍କର ଜୀବନ ଯାଇଛି। ଏଥିସହ ପ୍ରାୟ ୩ ହଜାର ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେବି ନିଖୋଜ ଅଛନ୍ତି। ଫଳରେ ଲେବାନନରେ ପରିସ୍ଥିତି ସାଂଘାତିକ ହୋଇଛି। ଏମିତିକି ଲୋକେ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଖୋଜି ପାଉନାହାନ୍ତି। ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ନଥିବାରୁ ଲୋକଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି।

ଏହି ବିସ୍ଫୋରଣ ପରେ ଦେଶରେ ୨ ସପ୍ତାହ ପାଇଁ ଜରୁରୀ ପରିସ୍ଥିତି ଜାରି ହୋଇଛି। ଏହି ଘଟଣାକୁ ନେଇ ଜାତସଂଘ ମହାସଚିବ ଆଣ୍ଟୋନିୟ ମୁଟ୍ରେସ ଦୁଃଖ ପ୍ରକାଶ କରିଛନ୍ତି।

ଲେବାନନର ପ୍ରଧାମନ୍ତ୍ରୀ ହସନ ଦିଆବ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comment