ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ବାବଦରେ ରାଜ୍ୟ ସରକାରଙ୍କୁ ସୂଚନା ମାଗିଲେ ହାଇକୋର୍ଟ।

କଟକ: ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲିବା ନେଇ ରୁଜୁ ଦୁଇଟି ମାମଲାର ଏକତ୍ର ଶୁଣାଣି ସୋମବାର କରାଯିବା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ତ୍ରିଲୋଚନ ରଥ ପ୍ରଥମେ ରୁଜୁ କରିଥିବା ମାମଲା ଆଜି ଶୁଣାଣି ପାଇଁ ଉଠିଥିଲା। ଏହି ମାମଲାର ଶୁଣାଣି ବେଳେ କଟକର ସମାଜସେବୀ ଜୟନ୍ତ କୁମାର ବଳ ରୁଜୁ କରିଥିବା ମାମଲାର ଶୁଣାଣି ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଥିଲା।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସୋମବାରକୁ ଉଭୟ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସୂଚନା ପ୍ରଦାନ ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ରଥ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ ଯେ, କରୋନାକୁ ନେଇ ପ୍ରାୟ ଦୁଇ ମାସର କଡ଼ା କଟକଣା ପରେ କେନ୍ଦ୍ର ସରକାର ଗତ ମେ’ ୩୦ ତାରିଖରୁ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ। କେଉଁ କେଉଁ ଅନୁଷ୍ଠାନ ଖୋଲାଯିବ ଏବଂ କେଉଁଗୁଡ଼ିକ ଖୋଲିବ ନାହିଁ ସେସବୁର ଏକ ତାଲିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏହି ତାଲିକାରେ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ଖୋଲାଯାଇ ପାରିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ଧର୍ମ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ନାହାନ୍ତି।

ଦୋକାନ, ଜିମ୍, ମଲ୍ ଆଦି ଖୋଲିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ଯଦି ଏସବୁ ସଂସ୍ଥା ଖୋଲାଯାଇ ପାରୁଛି ତାହେଲେ ମନ୍ଦିର ଖୋଲିବା ଉପରେ କଟକଣା ଲାଗିବ କାହିଁକି ବୋଲି ଆବେ଼ନକାରୀ ପ୍ରଶ୍ନ କରିଛନ୍ତି। ଝାଡଖଣ୍ଡର ପ୍ରସିଦ୍ଧ ବୈଦ୍ୟନାଥ ମନ୍ଦିର ଖୋଲିବା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା।  ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଯଦି ଅନ୍ୟ ସମସ୍ତ ସଂସ୍ଥା ବା ଅନୁଷ୍ଠାନକୁ ଖୋଲିବା ଲାଗି ଅନୁମତି ଦିଆଯାଇ ପାରୁଛି ତାହେଲେ ମନ୍ଦିର ଖୋଲିବା ନେଇ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ଦେଇଥିଲେ। ତେଣୁ ଏସବୁକୁ ବିଚାରକୁ ନେଇ ହାଇକୋର୍ଟ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନକୁ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟତମ ଆବେ଼ନକାରୀ ଜୟନ୍ତ କୁମାର ବଳ ମଧ୍ୟ ସମାନ ଆବେଦନ କରିଛନ୍ତି। ଆଜି ମାମଲାକୁ ବିଚାର ପାଇଁ କୋର୍ଟ ଗ୍ରହଣ କରିଛନ୍ତି। ଆବେନକାରୀ ତ୍ରିଲୋଚନ ରଥଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ଏବଂ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Comment