ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀଙ୍କ ଅନ୍ତର୍ଜାତୀୟ ସଂସ୍ଥା ଜେ-ପାଲ୍‌ ସହ ହାତ ମିଶାଇଲେ ଓଡ଼ିଶା ସରକାର।

ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ସାମଗ୍ରିକ ମୌଳିକ ଆୟର ବ୍ୟବସ୍ଥା। ଏହା ଉପରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ଓ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ଜେ-ପାଲ୍ ସଂସ୍ଥା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏହି ପାଇଲଟ ପ୍ରୋଜେକ୍ଟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିବ। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ୨ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଥିବାରୁ ପ୍ରାଥମିକ ଭାବେ ଏହି ୨ ଜିଲ୍ଲାକୁ ବଛାଯାଇଛି।

ଏହି ପାଇଲଟ ପ୍ରୋଜେକ୍ଟ ସାମଗ୍ରିକ ବିକାଶ ଉପରେ କାର୍ଯ୍ୟ କରିବ। ଖୁବଶୀଘ୍ର ଖଣିଜ ସମୃଦ୍ଧ କିନ୍ତୁ ଗରିବ ଜିଲ୍ଲାର ଲୋକେ ଏହି ନିଶ୍ଚିତ ରୋଜଗାରର ଫାଇଦା ପାଇବେ। ଗରିବ ପରିବାରର ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାସିକ ୧୦୦ ଟଙ୍କା ଲେଖାଏଁ ଡିପୋଜିଟ୍ ହେବ। ଓଡ଼ିଶା ସରକାରଙ୍କ ସୂତ୍ର ଅନୁସାରେ, ଅବଦୁଲ ଲଥିଫ୍ ଜମିଲ ପଭର୍ଟି ଆକ୍ସନ ଲାବ୍(ଜେ-ପାଲ) ରାଜ୍ୟର ୩ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲା। ରାଜ୍ୟରେ ପ୍ରଭାବୀ ଢଙ୍ଗରେ ଗରିବି ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜେ-ପାଲ୍ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ପ୍ରକଳ୍ପ ଅଧୀନରେ ଏହି ଜିଲ୍ଲାଗୁଡ଼ିକର ପ୍ରାୟ ୪୦୦ ପଞ୍ଚାୟତର ଲୋକଙ୍କ ପାଇଁ ସାମଗ୍ରିକ ମୌଳିକ ରୋଜଗାରର ବ୍ୟବସ୍ଥା ହେବ। ୨ ବର୍ଷ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେବ, ଏବଂ ଏଥିପାଇଁ ୨ ବର୍ଷରେ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ତେପେ ଯେଉଁ ନାବାଳକ ନାବାଳିକାଙ୍କ ଆକାଉଣ୍ଟ ନଥିବ, ସେ କ୍ଷେତ୍ରରେ ସେମାନଙ୍କ ମାଆଙ୍କ ଆକାଉଣ୍ଟରେ ଡିପୋଜିଟ୍ କରାଯିବ। ଏଥିପାଇଁ ରାଜ୍ୟ ଜିଡିପିର ଏକ ପ୍ରତିଶତ ଖର୍ଚ୍ଚ ହେବ ବୋଲି ସଂସ୍ଥା ଆକଳନ କରିଛି।

ଜେ-ପାଲ୍ ସଂସ୍ଥା ୩ଟି ଜିଲ୍ଲାରେ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଦେଇଥିବା ବେଳେ, ସରକାର କେବଳ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ହିଁ ଏହି ପାଇଲଟ ପ୍ରୋଜେକ୍ଟର ଆରମ୍ଭ କରିପାରିବେ। ଏହି ଦୁଇ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରିହେବ।

ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି, “ଆମେ ପ୍ରୋଜେକ୍ଟ ରିପୋର୍ଟ ପାଇସାରିବା ପରେ, ଦୁଇ ଜିଲ୍ଲାର ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ଏହା କାର୍ଯ୍ୟକାରୀ ହୋଇ ପାରିବ କି ନାହିଁ ତା’ର ସମୀକ୍ଷା କରିବେ। ଯଦି ଯୁକ୍ତିଯୁକ୍ତ ଲାଗିବ ତେବେ ଯାଇ ଏହାକୁ ମଞ୍ଜୁରି ମିଳିପାରିବ’’।

ରାଜ୍ୟ ସରକାରଙ୍କ ସର୍ଭେ ହିସାବରେ ସୁନ୍ଦରଗଡ଼ର ୬୫ ପ୍ରତିଶତ ଓ କେନ୍ଦୁଝରର ୬୯ ପ୍ରତିଶତ ଲୋକ ଗରିବି ସୀମାରେଖା ତଳେ ରହିଛନ୍ତି। ଜେ-ପାଲର ପ୍ରସ୍ତାବ କହିବା ଅନୁସାରେ ବର୍ତ୍ତମାନର ଅର୍ଥନୈତିକ ମାନ୍ଦାବସ୍ଥାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବହୁତ ଫାଇଦା ମିଳିବ। ଏତେ ଛୋଟ ପରିମାଣର ନିୟମିତ ଆୟ, କେବଳ ସାମଗ୍ରିକ ସାମାଜିକ ସୁରକ୍ଷା ଯୋଗାଇଦେବ। ଏହା ଗରିବଙ୍କ ଖର୍ଚ୍ଚ ପାଇଁ ବେଶ ସହାୟକ ହେବ। ଏହି ସାମଗ୍ରିକ ମୌଳିକ ଆୟ ଯୋଗୁ ଗରିବଙ୍କ ମାସିକ ଖର୍ଚ୍ଚରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି କରାଇବ। ଏହା ସହିତ ଗ୍ରାମାଞ୍ଚଳ ଜନସଂଖ୍ୟାର ୧୦ପ୍ରତିଶତ ଗରିବଙ୍କ ମାସିକ ଖର୍ଚ୍ଚ କରିବାର କ୍ଷମତାକୁ ବଢ଼ାଇବ। ଏହି ଯୋଜନାରେ ସମସ୍ତଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହେବ। ପିଲାମାନଙ୍କ ଟଙ୍କା ମାଆମାନଙ୍କର ଆକାଉଣ୍ଟରେ ଡିପୋଜିଟ୍ ହେବ। ତେଣୁ ଓଡ଼ିଶାର ମହିଳାମାନଙ୍କ ଅର୍ଥନୀତି ସମୃଦ୍ଧ ହେବ।

ଯୋଜନା ସପକ୍ଷରେ ଯୁକ୍ତି

ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସମସ୍ତଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ଯିବ। ଡାଲି ଚାଉଳ ଭଳି ଏହା ଲୋକଙ୍କ କର୍ମ ପ୍ରବଣତାକୁ ନଷ୍ଟ କରିବ ନାହିଁ। ଏହାକୁ ଏକ ଅତିରିକ୍ତ ଆୟ ଭାବେ ହିତାଧିକାରୀ ଗ୍ରହଣ କରିବ।

ନିର୍ଦ୍ଦିଷ୍ଟ ପରିମାଣର ଆୟ ସୁନିଶ୍ଚିତ ହେଉଥିବାରୁ, ଲୋକଟିଏର ଖର୍ଚ୍ଚ  କରିବାର କ୍ଷମତା ବୃଦ୍ଧି ହେବ। ଯାହା ପରୋକ୍ଷରେ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବ।

Comment