ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଦୃଷ୍ଟିରୁ ଓଡ଼ିଶାର ସବୁଠାରୁ ନିରାପଦ ଜିଲ୍ଲା କିଏ ବୋଲି ପଚାରିଲେ ତାହାର ସିଧା ଉତ୍ତର ମିଳିବ ଦେବଗଡ଼। ଯଦିଓ ଦେବଗଡ଼ରେ ବହୁତ ଆଗରୁ ପଜିଟିଭ୍ ବାହାରିଥିଲା କିନ୍ତୁ ଏହି ଜିଲ୍ଲାରେ କରୋନା ହତାଶ ଅବସ୍ଥା ସୃଷ୍ଟି କରି ପାରିନାହିଁ। ଏପର୍ଯ୍ୟନ୍ତ ମାତ୍ର ୨୦୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଜିଲ୍ଲାରେ ଜଣେ ବି କେହି ପ୍ରାଣ ହରାଇନଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଉଛି ଦେବଗଡ଼ ଜିଲ୍ଲାର ଚାରିପଟେ ହଟ୍‌ସ୍ପଟ୍ ଜିଲ୍ଲା ରହିଥିଲେ ହେଁ ଖୁବ୍ ସଫଳ ଭାବେ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ରୋକି ପାରିଛନ୍ତି। ଏପଟେ ସମ୍ବଲପୁର ଓ ସେପଟେ ସୁନ୍ଦରଗଡ଼ ଜିଲ୍ଲା ଥିବା ସତ୍ତ୍ୱେ ସଂକ୍ରମଣ ଦେବଗଡ଼ ଜିଲ୍ଲାବାସୀଙ୍କୁ ସ୍ପର୍ଶ କରି ପାରିନାହିଁ।

ଦେବଗଡ଼ରେ ପ୍ରଥମ କେସ୍ ବାହାରିଥିଲା ବାସୁଦେବପୁର ଗାଁରେ। ଜଣେ ଡ୍ରାଇଭର କରୋନାରେ ଆକ୍ରାନ୍ତ ହୋଇଥିଲେ। ମେ ମାସରେ ଅବଶ୍ୟ ଏକାଥରକେ ଶହେରୁ ଅଧିକ ମାମଲା ଆସିଥିଲା। ଯେତେବେଳେ ପ୍ରବାସୀ ଶ୍ରମିକ ଫେରିଲେ ସେହି ସମୟରେ ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଗଲା। କିନ୍ତୁ ତା’ ପରେ ଦେବଗଡ଼ରୁ ଆଉ କୌଣସି ନୂଆ କେସ୍ ବହାରିନାହିଁ। କଣ ଏହାର କାରଣ?ରାଜ୍ୟର ସବୁଠୁ ଛୋଟ ଜିଲ୍ଲା ହୋଇଥିବାରୁ ଓ ଜନସଂଖ୍ୟା ସୀମିତ ଥିବା ସତ୍ତ୍ୱେ ଦେବଗଡ଼ ସବୁ କଥା ପାଇଁ ସମ୍ବଲପୁର ଓ ସୁନ୍ଦରଗଡ଼ ଉପରେ ନିର୍ଭର କରିଥାଏ। ପ୍ରତିଦିନ ଦେବଗଡ଼ର ଲୋକେ ଏଠାକୁ ଯାଇଥା’ନ୍ତି। ତା’ ସତ୍ତ୍ୱେ ଯଦି କରୋନା ସଂକ୍ରମଣକୁ ଦୁରେଇ ରଖା ଯାଇପାରିଛି ତାର କାରଣ ଦକ୍ଷ ରଣନୀତି ଓ ଶୃଙ୍ଖଳିତ ପରିଚାଳନା।

ପ୍ରଶାସନ ପକ୍ଷରୁ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଇଥିଲା ଯେ ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିଥିଲେ ସେମାନଙ୍କୁ ନିଜ ବ୍ଲକ୍‌ରେ ନ ରଖି ଅନ୍ୟ ବ୍ଲକ୍‌ର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ଯାହାଫଳରେ କି ସେମାନେ ଘର ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଲେ ନାହିଁ। ପ୍ରଥମେ ଅବଶ୍ୟ ଏହି ନିଷ୍ପତ୍ତିକୁ ଲୋକମାନେ ବିରୋଧ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏହାର ଆବଶ୍ୟକତାକୁ ବୁଝିଥିଲେ। ଖାଲି ସେତିକି ନୁହେଁ ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ନଥିଲା ସେମାନଙ୍କୁ ୭ ଦିନ ବଦଳରେ ୧୦ ଦିନ ଆଇସୋଲେସନ୍‌ରେ ରଖାଯାଇଥିଲା। ଏହା ବ୍ୟତୀତ କଣ୍ଟାକ୍ଟ ଟ୍ରେସିଂ ଜୋରଦାର ହୋଇଥିଲା।ଆହୁରି ମଧ୍ୟ ଜିଲ୍ଲାର ଆଶା କର୍ମୀ, ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ବ୍ୟକ୍ତି ଏବଂ ପ୍ରଶାସନ ସମସ୍ତେ ନିଷ୍ଠାର ସହିତ ଓ ସଂକଳ୍ପବଦ୍ଧ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here