ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର) : ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେନ୍ତୁଳିଖୁଣ୍ଟି ଅଞ୍ଚଳରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ତେନ୍ତୁଳିଖଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତିକଙ୍କ ଅଧ୍ୟକ୍ଷତାରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯାଳୟରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପଞ୍ଚାୟତ ସମିତି ଅଧକ୍ଷା ଦେବକୀ ନାୟକ, ଉପାଧ୍ୟକ୍ଷ ତନ୍ନୟ ସାଗର ନାୟକ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର, ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଟ ଡାକ୍ତର ସମଲାଇ ପ୍ରସାଦ ପଣ୍ଡାଙ୍କ ସମେତ ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା ଭଲି ଘଡ଼ିସନ୍ଧି ମୁହୂର୍ତ୍ତରେ ତେନ୍ତୁଳିଖୁଣ୍ଟି ବ୍ଲକକୁ କିଭଳି କରୋନା ମୁକ୍ତ ବ୍ଲକ ଭାବେ ସୁରକ୍ଷିତ ରଖିବା ସେନେଇଁ ବିସ୍ତୃତ ଆଲୋଚନା ହୋଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକର ସମସ୍ତ ପଞ୍ଚାୟତ ରେ ଯେଭଳି ଅଧିକ ପରିମାଣରେ କରୋନା ପରୀକ୍ଷା ହୋଇପାରିବ  ସେନେଇଁ ଆଲୋଚନା ହୋଇଥିଲା। ଏଥିପାଇଁ ସମସ୍ତ ସରପଞ୍ଚ, ପିଇଓ ୱାର୍ଡ ସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ସେମାନେ ଯେମିତି ଜନସାଧାରଣଙ୍କୁ ବୁଝେଇ କରୋନା ପରୀକ୍ଷା ପାଇଁ ସଚେତନତା କରେଇବା ସହ ଲୋକଙ୍କ ମନରୁ ଭୟ ଦୂର କରିବା ନେଇଁ ପ୍ରୟାସ କରିବା ଆବଶ୍ୟକ ବୋଲି ବିଡ଼ିଓ ସୁଶ୍ରୀ କାର୍ତିକ ବୈଠକରେ କହିଥିଲେ। ପର୍ଯ୍ୟାପ୍ତ ପରିମାଣରେ କରୋନା ପରୀକ୍ଷା ହୋଇ ପାରିଲେ ସେହି ଅନୁଯାୟୀ ଚିକିତ୍ସା ହେବା ସହ ଲୋକଙ୍କ ଭିତରେ ସଚେତନତା ଆସିପାରିବ।

ଗ୍ରାମାଞ୍ଚଳରେ ଲୋକେ କରୋନା ପରୀକ୍ଷା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। କରୋନା ଚି଼ହ୍ନଟ ହେଲେ ଚିକିତ୍ସା ପାଇଁ ରୁଦ୍ଧ କୋଠରୀ ମଧ୍ୟରେ ରଖିବା ସହ ସାହି ପଡ଼ିଶା ଅନ୍ୟ ଦୃଷ୍ଟିରେ ଦେଖଥୁବା କାରଣ ମନରେ ରହିଛି। ଏଣୁ ସାଧାରଣ ଜନତାଙ୍କୁ ସଚେତନତା କରି ପରୀକ୍ଷା ଯେଭଳି ଅଧିକ ମାତ୍ରାରେ ହୋଇପାରିବ ସେନେଇଁ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି ବୋଲି ବୈଠକ ରେ ଆଲୋଚନା ହୋଇଥିଲା।

ସେହିପରି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଦିଗରେ ସମସ୍ତ ଜନସାଧାରଣ ଯେଭଳି  ସଚେତନତା ରହିବେ ସେଥିପ୍ରତି ଧ୍ୟାନ ଦେବା ଉପରେ ଆଲୋଚନା ହୋଇଥିଲା।ୟ ଏଥି ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଥିବା ବେଳେ କମିଟିର ସଦସ୍ୟ ସଦସ୍ୟା ମାନେ କରୋନା ପରୀକ୍ଷା ନିମନ୍ତେ ଲୋକଙ୍କୁ ସଚେତନତା କରେଇବେ।

Comment