ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତା ପରେ ସଫଳତା ସାଉଁଟି ଚାଲିଛି କିଟ୍ ବିଶ୍ଵବିଦ୍ୟାଳୟ। ଜାତୀୟ ସ୍ତରରେ କିଟ୍ ଲାଭ କରିଛି ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଂ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ଅନ୍ ଇନୋଭେସନ୍ ଆଚିଭ୍ମେଣ୍ଟ୍(ଏଆର୍ଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ଶ୍ରେଷ୍ଠ ବିବେଚିତ ହୋଇଛି।
ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ଯ୍ୟକମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡ଼ୁ ଏହି ଘୋଷଣା କରଛିନ୍ତି।
ଏହି ରାଙ୍କିଂର ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଚେନ୍ନାଇର ଏସ୍ଆର୍ଏମ ବିଶ୍ୱବିଦ୍ୟାଳୟ ଏବଂ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ଟେକ୍ନୋଲୋଜି (ଭିଆଇଟି) ରହିଛି।
ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ସୃଜନ ଓ ଔଦ୍ୟୋଗିକ ବିକାଶ ସଂପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ରାଙ୍କିଂ ପ୍ରଦାନ କରିଥାନ୍ତି। ପୂର୍ବରୁ ୨୦୧୯ ମସିହାରେ କିଟ୍ ଏହି ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ରହିଥିଲା।
ଗବେଷଣା ଓ ସୃଜନ କ୍ଷେତ୍ରରେ କିଟ୍ର ପ୍ରୟାସକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସ୍ୱୀକୃତି ପ୍ରଦାନ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିୟାଲ୍ ନିଶଙ୍କ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସାମାରାଓ ଧୋତ୍ରେ, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ, କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖେରେ ପ୍ରମୁଖ ଉପସ୍ଥିତ ଥିଲେ।


















