ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଭଲ ଖବର। ଗତ ୧୦ ଦିନ ଭିତରେ ୫୦ ପ୍ରତିଶତ ସଂକ୍ରମଣ ହାର କମିଲା।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୧୦ ଦିନର ରିପୋର୍ଟକୁ ଅନୁଶୀଳନ କଲେ ତାହା ଜଣାପଡୁଛି। ଏହି ୧୦ ଦିନ ଭିତରେ ୫୦ ପ୍ରତିଶତ ସଂକ୍ରମଣ ହାର କମିଥିବା ରିପୋର୍ଟ କହୁଛି। ବର୍ତ୍ତମାନ ସଂକ୍ରମଣ ହାର ଯେଉଁଭଳି ଭାବେ ହ୍ରାସ ପାଉଛି ତାହା ଓଡ଼ିଶା ପାଇଁ ଶୁଭସଙ୍କେତ ବୋଲି କୁହାଯାଉଛି। ଆଗାମୀ ଦିନରେ ସମ୍ଭବତଃ ସଂକ୍ରମଣ ହାର ଆହୁରି ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି।
ଓଡ଼ିଶାରେ ସଂକ୍ରମଣ ହାର କମୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ। ଗତ କିଛିଦିନ ତଳେ ଆର୍ଏମ୍ଆର୍ସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଓଡ଼ିଶାଲାଇଭ୍କୁ ସାକ୍ଷାତକାର ଦେଇ ମଧ୍ୟ ସମାନ କଥା କହିଥିଲେ। ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମର ଉଦାହରଣ ଦେଇ ସଂକ୍ରମଣ ହାର କମୁଥିବା ସେ କହିଥିଲେ। ତେବେ ରାଜ୍ୟରେ ସଂକ୍ରମଣ ହାର କେମିତି ଅଛି ତାହା ଜାଣିବା ପାଇଁ ‘ଓଡ଼ିଶାଲାଇଭ୍ ଟିମ୍’ ପ୍ରୟାସ କରିଥିଲା। ସ୍ୱାସ୍ଥ୍ୟ ବିଭାଗର କରୋନା ଡ୍ୟାସ୍ ବୋର୍ଡରୁ ଗତ ୧୦ ଦିନର ତଥ୍ୟ ସଂଗ୍ରହ କରାଯାଇଥିଲା। ଅଗଷ୍ଟ ୮ ତାରିଖରୁ ୧୭ ତାରିଖ ସୁଦ୍ଧା ଯେଉଁ ରିପୋର୍ଟ ମିଳିଛି ସେଥିରୁ ଜଣାପଡ଼ିଛି ଯେ ସଂକ୍ରମଣ ହାର ପ୍ରାୟ ୫୦ ପ୍ରତିଶତ କମିଛି।
‘‘ଗତ କିଛିଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ଗଞ୍ଜାମ ଜିଲ୍ଲାରେ ବି ଏହି ହାର କମି ଚାଲିଛି। ପଜିଟିଭ୍ ସଂଖ୍ୟା ଯଦିଓ ବଢୁଛି, ହେଲେ ସଂକ୍ରମଣ ହାର କମି ଚାଲିଛି। ଟେଷ୍ଟିଂ ସଂଖ୍ୟା ବଢ଼ିବା, ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବା ଏବଂ ଜନସଧାରଣ ସତର୍କ ରହିବା ଫଳରେ ଏହି ହାର ହ୍ରାସ ପାଇଛି। ଯଦି ଏଭଳି ସ୍ଥିତି ଜାରି ରୁହେ ତାହାଲେ ଆଗାମୀ ଦିନରେ ସଂକ୍ରମଣ ହାର ଅଧିକ ହ୍ରାସ ପାଇବାର ସମ୍ଭାବନା ରହିଛି’’, ଓଡ଼ିଶାଲାଇଭ୍କୁ କହିଥିଲେ ଡାକ୍ତର ସଂଘମିତ୍ରା ପତି।
୧୦ ଦିନରେ ୫୦ ପ୍ରତିଶତ କମିଲା ସଂକ୍ରମଣ ହାର
ଅଗଷ୍ଟ ୮ ତାରିଖରେ କରୋନା ସଂକ୍ରମଣ ହାର ୧୦.୭୭ ପ୍ରତିଶତ ଥିଲା। ୯ ଦିନ ପରେ ଏହି ହାର ୫୦ ପ୍ରତିଶତ ହ୍ରାସ ପାଇଛି। କରୋନା ଡ୍ୟାସ୍ ବୋର୍ଡର ରିପୋର୍ଟ ଅନୁଯାୟୀ ୧୭ ତାରିଖରେ ସଂକ୍ରମଣ ହାର ୪.୪୩ ପ୍ରତିଶତ ରହିଛି। ୧୦ ଦିନ ଭିତରେ ସଂକ୍ରମଣ ହାର ୫୦ ପ୍ରତିଶତ ତଳକୁ ଖସିବା ରାଜ୍ୟ ପାଇଁ ଭଲ ଖବର କୁହାଯାଇପାରେ। ଟେଷ୍ଟିଂ ସଂଖ୍ୟା ବଢ଼ିବା ଯୋଗୁଁ ସଂକ୍ରମଣ ହାର କମିଥିବା କୁହାଯାଉଛି। ଗତ ୮ ତାରିଖରେ ୧୬ ହଜାର ୯୩ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୧୭୩୪ଟି କେସ୍ ପଜିଟିଭ୍ ଆସିଥିଲା। ୧୭ ତାରିଖ ସୁଦ୍ଧା ନମୁନା ପରୀକ୍ଷଣ ସଂଖ୍ୟା ୩ ଗୁଣା ବଢ଼ିଯାଇଛି। ମୋଟ ୫୦ ହଜାର ୫୨୫ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୨୩୯ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୪.୪୩ ପ୍ରତିଶତ ରହିଛି।
ଗତ ୩ ଦିନ ହେଲା ୫ ପ୍ରତିଶତ ତଳେ ସଂକ୍ରମଣ ହାର
ଗତ ୫ ମାସ ହେଲା କରୋନା ମାହାମାରୀକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ିଥିବା ବେଳେ ଏବେ ସଂକ୍ରମଣ ହାର କମୁଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହେଉଛନ୍ତି। ଗତ ୧୦ ଦିନ ଭିତରେ ୫୦ ପ୍ରତିଶତ ସଂକ୍ରମଣ ହାର କମିଥିବା ବେଳେ ଗତ ତିନି ଦିନ ହେଲା ଏହି ହାର ୫ ପ୍ରତିଶତ ତଳେ ରହୁଛି। ଗତ ୧୫ ତାରିଖରେ ସଂକ୍ରମଣ ହାର ୪.୩୯ ପ୍ରତିଶତ ରହିଥିବା ବେଳେ ୧୬ରେ ୪.୪୫ ପ୍ରତିଶତ ଏବଂ ୧୭ ତାରିଖରେ ୪.୪୩ ପ୍ରତିଶତ ରହିଛି।
ସେହିପରି ଏହି ତିନି ଦିନ ହେଲା ଟେଷ୍ଟିଂ ସଂଖ୍ୟା ବି ବଢ଼ିଛି। ୧୫ ତାରିଖରେ ୪୭ ହଜାର ୮୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ୧୬ରେ ୫୨ ହଜାର ୧୬୫ ଏବଂ ୧୭ ତାରିଖରେ ୫୦ ହଜାର ୪୨୧ଟି ନମୁନା ପରୀକ୍ଷା କରାଯାଇଥିଲା। ରାଜ୍ୟରେ ଗତ ୩ ଦିନ ହେଲା ଟେଷ୍ଟିଂ ସଂଖ୍ୟା ୫୦ ହଜାର ପାଖାପାଖି ରହୁଥିବାରୁ ସଂକ୍ରମଣ ହାର ମଧ୍ୟ କମି ଚାଲିଛି।
କେଉଁଦିନ କେତେ ଥିଲା ସଂକ୍ରମଣ ହାର?
ଗତ ୧୦ ଦିନର ରିପୋର୍ଟକୁ ଅନୁଶୀଳନ କଲେ ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି। ୮ ତାରିଖରେ ସଂକ୍ରମଣ ହାର ୧୦.୭୭ ପ୍ରତିଶତ ଥିବା ବେଳେ ୯ ତାରିଖରେ ଏହା ଖସି ୮ ପ୍ରତିଶତ ହୋଇଥିଲା। କିନ୍ତୁ ୧୦ ଏବଂ ୧୧ ତାରିଖରେ ଏହି ହାରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ସଂକ୍ରମଣ ହାର ସିଧା ୩ ପ୍ରତିଶତ ଖସିଥିଲା। ୧୦ରେ ୫.୮୨ ଏବଂ ୧୧ରେ ୫.୮୫ ପ୍ରତିଶତ ରହିଥିଲା ସଂକ୍ରମଣ ହାର।
୧୨ ଓ ୧୩ ତାରିଖରେ ମଧ୍ୟ ସଂକ୍ରମଣ ହାର ଆହୁରି ଖସିଥିଲା। ୫ ପ୍ରତିଶତ ତଳକୁ ଖସିଥିଲା ହାର। ୧୨ ତାରିଖରେ ୪.୮୬ ପ୍ରତିଶତ ଏବଂ ୧୩ରେ ୪.୬୨ ପ୍ରତିଶତ ସଂକ୍ରମଣ ହାର ରହିଥିଲା। ୧୪ ତାରିଖରେ ସଂକ୍ରମଣ ହାର ସାମାନ୍ୟ ବଢ଼ି ୫.୨୧ ପ୍ରତିଶତ ହୋଇଥିଲା। ହେଲେ ୧୫, ୧୬ ଏବଂ ୧୭ ତାରିଖରେ ଲଗାତାର ଭାବେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି।
ଟେଷ୍ଟିଂ ବଢୁଛି
ରାଜ୍ୟରେ ଏବେ ବ୍ୟାପକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଆର୍ଏମ୍ଆର୍ସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତିଙ୍କ କହିବା ଅନୁଯାୟୀ ଏବେ ଟେଷ୍ଟିଂ ପାଇଁ ସ୍ପିଡ୍, ନମ୍ବର ଏବେ ରିଚ୍ ଉପରେ ଫୋକସ୍ କରାଯାଉଛି। ଏହି କ୍ରମରେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରିବା ସମ୍ଭବ ହୋଇପାରିଛି।
ଗତ ୮ ତାରିଖରେ ଯେଉଁଠି ୧୬ ହଜାର ୯୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ୧୦ ଦିନ ଭିତରେ ସେହି ସଂଖ୍ୟା ୫୦ ହଜାରରେ ପହଞ୍ଚି ପାରିଛି। ୮ ତାରିଖରେ ୧୬ ହଜାର ୯୩, ୯ରେ ୧୯ ହଜାର ୮୩, ୧୦ରେ ୨୩ ହଜାର ୩୫, ୧୧ରେ ୩୨ ହଜାର ୫୩, ୧୨ରେ ୪୦ ହଜାର ୭୧୧, ୧୩ରେ ୪୨ ହଜାର ୭୬୧, ୧୪ରେ ୪୭ ହଜାର ୮୮୭, ୧୫ରେ ୫୨ ହଜାର ୧୬୫, ୧୬ରେ ୫୦ ହଜାର ୪୨୧ ଏବଂ ୧୭ରେ ୫୦ ହଜାର ୫୨୫ରେ ପହଞ୍ଚିଛି।
‘‘ଓଡ଼ିଶାରେ ଏବେ ଟେଷ୍ଟିଂ ସଂଖ୍ୟା ବଢ଼ିଛି। ଆର୍ଟିପିସିଆର୍ ଟେଷ୍ଟିଂ, ଟ୍ରୁନାଟ୍ ଟେଷ୍ଟିଂ ସହିତ ଆଣ୍ଟିଜେନ୍ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଫଳରେ ସଂକ୍ରମିତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରୁଛି’’, ଓଡ଼ିଶାଲାଇଭ୍କୁ କହିଥିଲେ ଡାକ୍ତର ସଂଘମିତ୍ରା ପତି।
ସେରୋଲୋଜିକାଲ ସର୍ଭେ ଉପରେ ଗୁରୁତ୍ୱ
କରୋନା ନିୟନ୍ତ୍ରଣରେ ସେରୋଲୋଜିକାଲ ଟେଷ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେତେ ପଜିଟିଭ କେସ୍ ଆସୁଛି, ପଜିଟିଭ କେସ୍ କମୁଛି କି ନାହିଁ, ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢ଼ିଲାଣି, ଆଣ୍ଟିବଡି କେତେ ଉନ୍ନତ ହେଲାଣି ତାହା ଏହି ସର୍ଭେରୁ ଜଣାପଡ଼ିବ।
ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇସାରିଛି। ପୁରୀ ରଥଯାତ୍ରା ବେଳେ ପ୍ରଥମେ ସେରୋ ସର୍ଭେ ଆରମ୍ଭ ହୋଇଥିଲା।
ଏହାପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବ୍ରହ୍ମପୁରରେ ସର୍ଭେ କରାଯାଇଥିଲା। ଏବେ ଅନ୍ୟ ସ୍ଥାନରେ ଏହି ସର୍ଭେ କରିବା ପାଇଁ ପ୍ରୟାସ କରାଯାଉଛି। କରୋନା ଯୋଦ୍ଧା ଓ ଜନସାଧାରଣଙ୍କ ସମର୍ଥନ ଯୋଗୁଁ ଏହି ସର୍ଭେ ସଫଳତାର ସହ ହେଉଛି ବୋଲି ଡାକ୍ତର ପତି କହିଛନ୍ତି।
‘‘ସେରୋ ସର୍ଭେ ଗୋଟିଏ ଥରରେ ସରେନାହିଁ। ଆଜି ଗୋଟିଏ ପର୍ଯ୍ୟାୟ ହେଲେ, ଏହାର ୪ ସପ୍ତାହ ପରେ ପୁଣି ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତି କେତେ ବଢ଼ିଛି, ତାହା ଦେଖାଯାଏ’’, କହିଥିଲେ ସଂଘମିତ୍ରା ପତି।
ସାରା ଦେଶରେ ସଂକ୍ରମଣ ହାର କମି ଚାଲିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ରାଜେଶ ଭୂଷଣ କହିଛନ୍ତି। ଏବେ ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍ ହାର କମୁଥିବା ସେ କହିଛନ୍ତି। ଗତ ସପ୍ତାହରେ ସଂକ୍ରମଣ ହାର ୧୦.୦୩ ଥିବା ବେଳେ ଚଳିତ ସପ୍ତାହରେ ୭.୭୨ ପ୍ରତିଶତ ରହିଥିବା ସେ କହିଛନ୍ତି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମିବା ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ଖବର।
















