ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପାଇଁ ଖୁସି ଖବର। ଚଳିତବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ରାଜ୍ୟକୁ ମିଳିଛି ଦୁଇଟି ପୁରସ୍କାର। ଏନେଇ ରାଜ୍ୟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଦେଶର ବିଭିନ୍ନ ସହରକୁ ନେଇ ଏହି ସ୍ୱଚ୍ଛ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ଦେଶର ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଛି। ସେହିଭଳି ୩ରୁ ୧୦ ଲକ୍ଷ ଲୋକସଂଖ୍ୟା ବିଶିଷ୍ଠ ମଧ୍ୟମ ସହର ଭିତରେ ସର୍ବଶ୍ରେଷ୍ଠ ହୋଇଛି ବ୍ରହ୍ମପୁର ସହର।
ଏନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବିଭିନ୍ନ ସହରକୁ ନେଇ ଏହି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ କରାଯାଇଥିଲା। ଏଥିରେ ଆଜି ଓଡ଼ିଶାକୁ ଦୁଇଟି ପୁରସ୍କାର ମିଳିଛି। ଦେଶର ଅଗ୍ରଗାମୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନମ୍ବର ୱାନ ହୋଇପାରିଛି ବୋଲି ସେ କହିଛନ୍ତି।ଏହି ପୁରସ୍କାର ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରତ୍ୟେକ କର୍ମଚାରୀ ଏବଂ ମ୍ୟୁନିସିପାଲ୍ କର୍ପୋରେସନର ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି। ଏଥିରେ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ପୁରସ୍କୃତ ହୋଇଛି। ସେହିପରି ସୁରତ ଦ୍ୱିତୀୟ ଓ ନଭି ମୁମ୍ବାଇ ତୃତୀୟ ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛନ୍ତି।