ଓଡ଼ିଶାଲାଇଭ୍ ବ୍ୟୁରୋ
ଇ-କମର୍ସ ସେବା ପ୍ରଦାନକାରୀ ସଂସ୍ଥା ଆମାଜନ୍ ନିକଟରେ ଆରମ୍ଭ କରିଛି ତା’ର ଡିଜିଟାଲ୍ ସୁନା ବିନିଯୋଗ ସେବା। ଏବେ ଆମାଜନ ପେ’ ମାଧ୍ୟମରେ ମାତ୍ର ୫ ଟଙ୍କା ବିନିଯୋଗ କରି ଉପଭୋକ୍ତାମାନେ ଡିଜିଟାଲ୍ ସୁନା କିଣି ପାରିବେ। ଏଥିପାଇଁ କମ୍ପାନି ‘ଗୋଲ୍ଡ ଭଲ୍ଟ’ ନାମରେ ଏକ ନୂଆ ଫିଚର୍ ଆରମ୍ଭ କରିଛି।
ଏହି ଫିଚର ଡିଜିଟାଲ୍ ସୁନା ବିନିଯୋଗ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ କାମ କରିବ। କେବଳ ସେତିକି ନୁହେଁ ଏହା ଉପଭୋକ୍ତାମାନଙ୍କର ମୂଲ୍ୟବାନ ଧାତୁକୁ ସେମାନଙ୍କ ପାଖରେ ନିରାପଦ ଭାବରେ ରଖିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ବୋଲି ଜଣାପଡ଼ିଛି।
ସାଧାରଣ ଭାବରେ ଯଦି କୌଣସି ବ୍ୟକ୍ତି ସୁନା କିମ୍ବା ଅନ୍ୟ କୌଣସି ମୁଲ୍ୟବାନ୍ ଧାତୁକୁ ନିଜ ପାଖରେ ରଖନ୍ତି ତେବେ ତାହା ସୁରକ୍ଷିତ ନ ଥାଏ। ଯଦି ସେ ବ୍ୟାଙ୍କରେ ଏହି ମୂଲ୍ୟବାନ୍ ସାମଗ୍ରୀ ରଖନ୍ତି ତେବେ ତାଙ୍କୁ ବ୍ୟକ୍ତିଗତ ଲକର୍ ସୁବିଧା ନେବା ପାଇଁ ପଡ଼େ। ହେଲେ ଏହି ଲକର୍ ସୁବିଧା ପାଇଁ ବ୍ୟାଙ୍କକୁ ଏକ ନିର୍ଦ୍ଦିଷ୍ଟ ଦେୟ ପ୍ରଦାନ କରିବାକୁ ପଡ଼େ। କିନ୍ତୁ ଡିଜିଟାଲ୍ ଲକରରେ ସୁନା ଏବଂ ମୂଲ୍ୟବାନ ଧାତୁ ରଖିବା ସଂପୂର୍ଣ୍ଣ ଭାବେ ଦେୟମୁକ୍ତ ହୋଇଥାଏ। କେବଳ ସେତିକି ନୁହେଁ ଡିଜିଟାଲ୍ ଲକରରେ ସୁନା ରଖିବା ଏବଂ ମୂଲ୍ୟବାନ ଧାତୁ କିଣିବା କିମ୍ବା ବିକ୍ରୟ କରିବା ପାଇଁ ଆମାଜନ ପେ’ ବ୍ୟବହାରକାରୀଙ୍କୁ ସ୍ୱତନ୍ତ୍ର ସିବିଧା ମଧ୍ୟ ମିଳିବ। ‘ଗୋଲ୍ଡ ଭଲ୍ଟ’ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି କମ୍ପାନି ତରଫରୁ କୁହାଯାଇଛି।ଉପଭୋକ୍ତାମାନେ ଏହି ପ୍ଲାଟଫର୍ମରେ ଅତି କମରେ ୫ ଟଙ୍କା ଦେଇ ମଧ୍ୟ ସୁନା କିଣିବାକୁ ସକ୍ଷମ ହେବେ। ଯେଉଁଥିପାଇଁ ଆମାଜନ କମ୍ପାନି ‘ସେଫ୍ ଗୋଲ୍ଡ’ ନାମକ ଏକ ସଂସ୍ଥା ସହ ସହଭାଗୀତା କରିଛି। ଡିଜିଟାଲ୍ ସୁନା ୯୯.୫ ପ୍ରତିଶତ ଶୁଦ୍ଧ ହେବା ସହିତ ୨୪ କ୍ୟାରେଟ୍ ବୋଲି କମ୍ପାନି କହିଛି।ଗତ କିଛି ସପ୍ତାହ ଭିତରେ ବିଶ୍ୱବଜାରରେ ଅସ୍ଥିରତା ଦେଖାଦେବା ସହ ଆମେରିକୀୟ ଡଲାର ଦୁର୍ବଳ ହେବା ହେତୁ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ସୁନାରେ ନିବେଶ କରିବା ନିଶ୍ଚିନ୍ତ ଭାବରେ ଲାଭଦାୟକ ବୋଲି କୁହାଯାଉଛି। ଆମାଜନ ଭଳି ପେଟିଏମ୍, ଫୋନ୍ ପେ, ଗୁଗୁଲ୍ ପେ ଏବଂ ମୋବିକୱିକ୍ କମ୍ପାନି ମଧ୍ୟ ପୂର୍ବରୁ ନିଜ ପ୍ଲାଟଫର୍ମମାନଙ୍କରେ ଡିଜିଟାଲ୍ ସୁନା କିଣାବିକାର ସୁବିଧା ପ୍ରଦାନ କରୁଛନ୍ତି। କରୋନା ମହାମାରୀ ସମୟରେ ଉଭୟ ଗ୍ରାହକ ଓ ଉପଭୋକ୍ତାମାନଙ୍କୁ ଏହି ଡିଜିଟାଲ୍ ସେବା ବେଶ୍ ପ୍ରଦାନ କରୁଛି।