ଏହି ଆପ୍ର ଆବଶ୍ୟକତା ଏବଂ ବିଭିନ୍ନ ଫିଚର ସଂପର୍କରେ ବୁକିଙ୍ଗଜିନିର ସିଇଓ ଶିବାଶିଷ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।
କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହାର ପ୍ରଭାବ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ସାଂଘାତିକ ଭାବରେ ପଡ଼ିଛି। ଅନେକ ଦିନ ସଂପୂର୍ଣ୍ଣ ବନ୍ଦ ରହିବା ପରେ ଏବେ ଧୀରେ ଧୀରେ ହୋଟେଲ ଖୋଲିବା ଆରମ୍ଭ କରିଛି। ତେବେ କୋଭିଡ୍ ସମୟରେ ଅତିଥିମାନଙ୍କ ପାଇଁ ହୋଟେଲଗୁଡ଼ିକ କିଭଳି ସୁରକ୍ଷିତ ହେବ ସେହି ପ୍ରଶ୍ନ ଅନେକଙ୍କ ମନକୁ ଆସୁଛି।
ବାସ୍ତବରେ କୋଭିଡ୍ ଆଜି ସାରା ପୃଥିବୀରେ ହୋଟେଲ ଏବଂ ପର୍ଯ୍ୟଟନ କ୍ଷେତ୍ରର କାମ କରିବାର ଷ୍ଟାଇଲ୍କୁ ବଦଳାଇ ଦେଇଛି। ଏମିତି ଏକ ସମୟରେ ହୋଟେଲ ଏବଂ ଗ୍ରାହକଙ୍କ ମଧ୍ୟରେ ସଂପର୍କକୁ ଏକ ନୂଆ ରୂପ ଦେ ବା ପାଇଁ ସଫ୍ଟଓ୍ୱେୟାର କମ୍ପାନି ‘ବୁକିଙ୍ଗଜିନି’ ତା’ର ନୂଆ ଆପ୍ ବଜାରରେ ଲଂଚ୍ କରିବାକୁ ଯାଉଛି।
ଅଗଷ୍ଟ ୨୪ରେ ଏହି ନୂଆ ଆପ୍ ଲଞ୍ଚ୍ ହେବାକୁ ଯାଉଛି। ଜଣେ ଅତିଥି କୌଣସି ହୋଟେଲ ରୁମ୍ ବୁକିଂ କଲା ବେଳେ ଏଣିକି ଆପ୍ରେ ଦେଖିପାରିବେ ରୁମ୍ ଭିତର ଓ ବାହାରର ଦୃଶ୍ୟ। ସେହିପରି ହୋଟେଲ୍ ଏବଂ ଅତିଥିଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁସ୍ଥ ଓ ଟଚ୍ଲେସ୍ କରିବ ବୁକିଙ୍ଗ ଜିନିର ଏହି ନୂଆ ଆପ୍।
ବୁକିଙ୍ଗ୍ଜିନିର ନୂଆ ଆପ୍ କାହିଁକି? ଏଥିରେ କ’ଣ ସୁବିଧା ପାଇବେ ଅତିଥି?
ଶିବାଶିଷ ମିଶ୍ର: ଏହି ଆପ୍ ଜରିଆରେ ଅତିଥି ଘରେ ବସି ହୋଟେଲରେ ରୁମ୍ ବୁକ୍ କରିପାରିବେ। ସେମାନେ ଆପ୍ ଜରିଆରେ କେଉଁ ହୋଟେଲର, କେଉଁ ଫ୍ଲୋରରେ ଏବଂ କେଉଁ ରୁମ୍ରେ ରହିବେ ତାହା ଜାଣିପାରିବେ। ଏହା ସହିତ ସେମାନେ ରୁମ୍ ଭିତରର ଦୃଶ୍ୟ ମଧ୍ୟ ଦେଖିପାରିବେ।
କେବଳ ସେତିକି ନୁହେଁ, ଏହି ଆପ୍ ହୋଟେଲରେ ରହିଣି ସମୟରେ ତାଙ୍କର ସାଥୀ ବା ସହଯୋଗୀ ଭାବେ କାମ କରିବ। ଆଗରୁ ଜଣେ ଅତିଥି ହୋଟେଲ ବୁକ୍ କରୁଥିଲେ ସତ କିନ୍ତୁ ହୋଟେଲରେ ପହଞ୍ଚିବା ପରେ ହିଁ ରୁମ୍ ଭିତରର ବାସ୍ତବ ଚିତ୍ର ଦେଖିପାରୁଥିଲେ। ତେଣୁ, ଜଣେ ଅତିଥି ଏଣିକି ଖାଲିଥିବା ରୁମ ଭିତରୁ ନିଜ ପସନ୍ଦର ରୁମ ଆଗୁଆ ବାଛି ପାରିବେ।
ତା’ ଛଡ଼ା ଯେଉଁସବୁ ଅନଲାଇନ ଟ୍ରାଭେଲ ଏଜେଣ୍ଟ (ଓଟିଏ) ଅଛନ୍ତି, ତାଙ୍କ ମଧ୍ୟମରେ ଯେତେବେଳେ ଜଣେ ହୋଟେଲ ବୁକ୍ କରୁଥିଲେ ସେତେବେଳେ ହୋଟେଲଠାରୁ ସେମାନେ (ଓଟିଏ) ୩୦ ପ୍ରତିଶତ ପର୍ଯ୍ୟନ୍ତ କମିସନ୍ ନେଉଥିଲେ। କିନ୍ତୁ ଏହି ନୂଆ ପ୍ଲାଟଫର୍ମରେ ହୋଟେଲକୁ କମିସନ ଦେବାକୁ ପଡ଼ିବ ନାହିଁ। ତେଣୁ ଏହା ଫଳରେ ଆଗାମୀ ଦିନରେ ହୋଟେଲମାନେ ଲୋକଙ୍କୁ ଭଲ ରେଟ୍ ଅଫର କରିପାରନ୍ତି। ତେଣୁ ଏହି ଆପ୍ ଉଭୟ ଗ୍ରାହକ ଏବଂ ହୋଟେଲ ପାଇଁ ଫାଇଦା ଆଣିଦେବ।
ତେବେ ବୁକିଂଜିନି ଆପ୍ରେ ହୋଟେଲ ବୁକ୍ କଲା ବେଳେ ଗ୍ରାହକ କେମିତି ବା କାହାକୁ ପେମେଣ୍ଟ କରିବେ?
ଶିବାଶିଷ ମିଶ୍ର: ଏହି ଆପ୍ ଜରିଆରେ ଜଣେ ଅତିଥି ସିଧାସଳଖ ହୋଟେଲକୁ ହିଁ ପେମେଣ୍ଟ କରିବେ। ତେଣୁ ଏଥିରେ ଅତିଥିଙ୍କୁ ଅନ୍ୟ କୌଣସି ମାଧ୍ୟମ ବା ବୁକିଂଜିନି ବାଟ ଦେଇ ଦେଇ ପେମେଣ୍ଟ କରିବାକୁ ପଡ଼ିବ ନାହିଁ।
ଦେଶର ପ୍ରାୟ ସବୁ ଆଡ଼େ ଆପଣଙ୍କର ଉପସ୍ଥିତି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ହୋଟେଲଙ୍କ ସହ ବୁକିଙ୍ଗଜିନି କାମ କରୁଛି?
ଶିବାଶିଷ ମିଶ୍ର: କରୋନା ପୂର୍ବରୁ ୧୮୦୦ରୁ ଅଧିକ ହୋଟେଲ ସହ ବୁକିଙ୍ଗଜିନି କାମ କରୁଥିଲା। ଏବେ ଆମର ନୂଆ ଆପ୍ ଆସୁଛି। ଆଗାମୀ ଦିନରେ ୧ ହଜାରରୁ ଅଧିକ ହୋଟେଲକୁ ଆମେ ଆମ ସେବା ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛୁ। ଆଗରୁ ଆମେ କେବଳ ବି-ଟୁ-ବି ମୋଡ୍ରେ ଥିଲୁ। ଏବେ କିନ୍ତୁ ଆମେ ଗ୍ରାହକ ଏବଂ ହୋଟେଲିୟର ଉଭୟଙ୍କୁ ଏହି ଆପ୍ ମାଧ୍ୟମରେ ବିଭିନ୍ନ ସେବା ଦେବୁ। ହୋଟେଲମାନେ ମଧ୍ୟ ମାଗଣାରେ ବୁକିଂଜିନି ଆପ୍ ବ୍ୟବହାର କରିପାରିବେ।
ଆପଣ ଅନଲାଇନ ଟ୍ରାଭେଲ ଏଜେଣ୍ଟମାନଙ୍କ କଥା ଉଠାଉଥିଲେ। ତେବେ ସେମାନଙ୍କଠାରୁ ବୁକିଙ୍ଗ୍ଜିନି କେମିତି ଅଲଗା?
ଶିବାଶିଷ ମିଶ୍ର: ପୃଥିବୀରେ ପ୍ରାୟ ୨୦୦ରୁ ଅଧିକ ଓଟିଏ ବା ଅନଲାଇନ୍ ଟ୍ରାଭେଲ ଏଜେଣ୍ଟ କାମ କରୁଛନ୍ତି। ସେମାନେ ପ୍ରତି ବୁକିଂ ବବଦରେ ହୋଟେଲଠାରୁ କିଛି କମିସନ ନେଇଥାନ୍ତି। କିନ୍ତୁ ବୁକିଙ୍ଗଜିନି କୌଣସି କମିସନ ନେବ ନାହିଁ। ପୂର୍ବରୁ ବୁକିଙ୍ଗଜିନିର ଆପ୍ କେବଳ ହୋଟେଲିୟରମାନେ ବ୍ୟବହାର କରୁଥିଲେ। ଏବେ ହୋଟେଲ୍ ବୁକିଂ କରୁଥିବା ଯେ କେହି ବ୍ୟକ୍ତି ନିଜ ମୋବାଇଲରେ ଏହି ଆପ୍ ଡାଉନଲୋଡ କରି ବ୍ୟବହାର କରିପାରିବେ।
ଅପଣ ଆଗରୁ କେବଳ ବି–ଟୁ–ବି ମୋଡ୍ରେ ଥିଲେ। ଏବେ ବି–ଟୁ–ବି ସହିତ ବି–ଟୁ–ସି ସେବାକୁ ଆସିଲେ। ତେବେ ସାଧାରଣ ଭାବେ ଆପଣ ହୋଟେଲ କିମ୍ବା ଗ୍ରାହକଙ୍କଠାରୁ ଆପ୍ ବ୍ୟବହାର ପାଇଁ କୌଣସି ଅର୍ଥ ନେବେ ନାହିଁ। ତା’ ହେଲେ ଆପଣଙ୍କ ବିଜନେସ୍ ମଡେଲ୍ କ’ଣ ରହିବ?
ଶିବାଶିଷ ମିଶ୍ର: ଦେଖନ୍ତୁ, ମୋଟାମୋଟି ଭାବେ ଏହି ଆପ୍କୁ ଆମେ ଫ୍ରି ରଖିଛୁ। ତେବେ ବିଭିନ୍ନ ପ୍ରକାର ଅତିରିକ୍ତ ବା ସ୍ଵତନ୍ତ୍ର ସେବା ପାଇଁ ଆମେ ଆମର ପାର୍ଟନର ହୋଟେଲଗୁଡ଼ିକଠାରୁ ଅଲଗା ଦେୟ ରଖିବୁ। କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ହେଟେଲ ଶିଳ୍ପ କିପରି ପୁଣିଥରେ ଠିଆ ହେବ ଏବଂ ଗ୍ରାହକ ଓ ପର୍ଯ୍ୟଟକମାନଙ୍କୁ ସେବା ଯୋଗାଇଦେବ ସେଥିପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର। କାରଣ ଏହି ଶିଳ୍ପ ଆମ ଅର୍ଥନୀତିର ଏକ ବଡ଼ ଅଂଶ ବୋଲି କହିଲେ ଭୁଲ ହେବ ନାହିଁ। ତା’ ଛଡ଼ା ସାରା ପୃଥିବୀରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ବହୁତ ବଡ଼ ନିଯୁକ୍ତି ସୁଯୋଗ ଦେଇ ଆସିଛି।
ଠିକ୍ କଥା କହିଲେ। କରୋନା ପରିସ୍ଥିତି ଆଜି ହୋଟେଲ ବ୍ୟବସାୟର ଏକପ୍ରକାର ଅଂଟା ମୋଡ଼ି ହେଇଛି। ଆପଣଙ୍କ ନଜରରେ ଭାରତରେ ଏବଂ ଆମ ରାଜ୍ୟରେ ଏବେ କ’ଣ ପରିସ୍ଥିତି ରହିଛି?
ଶିବାଶିଷ ମିଶ୍ର: ଗତ ୪ ମାସରୁ ଅଧିକ ସମୟ ହେଲା ଦେଶରେ ପ୍ରାୟ ହୋଟେଲ ବନ୍ଦ ରହିଥିଲା। ପଞ୍ଜାବ, ଚଣ୍ଡିଗଡ଼ ଓ ରାଜସ୍ଥାନରେ ଏବେ ହୋଟେଲ ଖୋଲିଲାଣି। ସେଠାରେ ପ୍ରାୟ ୩୦ ପ୍ରତିଶତ ବୁକିଂ ହେଲାଣି। ଆଜି ହୋଟେଲକୁ ଅଧିକାଂଶ ବିଜ୍ନେସ ଟ୍ରାଭେଲର ଆସୁଛନ୍ତି। ସାଧାରଣ ପର୍ଯ୍ୟଟକଙ୍କ କଥା ଆମେ ଏବେ ଚିନ୍ତା କରିପାରିବାନି।
ଓଡ଼ିଶାରେ ପ୍ରାୟ ୧୦ ପ୍ରତିଶତ ହୋଟେଲ ଖୋଲିଛି। ଭୁବନେଶ୍ୱରରେ ସ୍ୱସ୍ତି, ମେ ଫେୟାର, ପାଲହାଇଟ୍ସ, ମାରିୟନ ଭଳି ଅଳ୍ପ କେତେଟା ହୋଟେଲ ଖୋଲିଛି। ଆଗାମୀ ଦିନରେ ଅନ୍ୟମାନେ ଖୋଲିବେ। ତେଣୁ ଏହି ବଡ଼ ବଡ଼ ହୋଟେଲ ସହ ଯୋଡ଼ି ହୋଇ ଅତିଥିଙ୍କୁ ନୂଆ ଅନୁଭୂତି ଦେବା ସହିତ ବୁକିଙ୍ଗଜିନି ହୋଟେଲିୟର ଓ ଅତିଥିଙ୍କ ମଧ୍ୟରେ ଡିଜିଟାଲ ସେତୁ ଭାବେ କାର୍ଯ୍ୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।