ଓଡିଶାଲାଇଭ୍ ବ୍ୟୁରୋ

ଏଫ୍‌ଏଟିଏଫ୍(ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ) କଳା ତାଲିକାରୁ ବର୍ତ୍ତିବା ପାଇଁ ପାକିସ୍ତାନ ୮୮ ଜଣ ଆତଙ୍କବାଦୀଙ୍କ ଏକ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ଆର୍ଥିକ ବାସନ୍ଦ ଲାଗୁ କରିଛି। ଏହି ତାଲିକାରେ ଅଛି ମୋଷ୍ଟ ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଦାଉଦ ଇବ୍ରାହିମ୍। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଦାଉଦ ପାକିସ୍ତାନରେ ଥିବା ନେଇ ଭାରତ ଯେଉଁ ଦାବି କରି ଆସୁଥିଲା ତାହା ଦୀର୍ଘ ୨୭ ବର୍ଷ ପରେ ସତ ବୋଲି ପ୍ରମାଣିତ ହୋଇଛି ଏବଂ ପାକିସ୍ତାନର ମିଛ ଉପରୁ ପରଦା ହଟିଛି।

ପାକିସ୍ତାନର ବନ୍ଦର ନଗରୀ କରାଚୀରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ୍ ରହୁଥିବା ନେଇ ଭାରତ ଦାବି କରି ଆସୁଥିଲା। ମାତ୍ର ପାକିସ୍ତାନ ସରକାର ତାହାକୁ ଖଣ୍ଡନ କରି ଆସୁଥିଲେ। କିନ୍ତୁ କଳା ତାଲିକାଭୁକ୍ତ ହେବା ଭୟରେ ପାକିସ୍ତାନ ୮୮ଟି ଆତଙ୍କବାଦୀ ସଙ୍ଗଠନର ନେତାଙ୍କ ଉପରେ ଆର୍ଥିକ ବାସନ୍ଦ ଲଗାଇଛି। ଏହି ନେତାଙ୍କ ମଧ୍ୟରେ ଦାଉଦ ଇବ୍ରାହିମ୍ ନାଁ ମଧ୍ୟ ଅଛି। ତେଣୁ ଦାଉଦ ପାକିସ୍ତାନରେ ଥିବା ନେଇ ସ୍ପଷ୍ଟ ହୋଇଯାଇଛି।ଦାଉଦ ଉପରେ ପ୍ରତିବନ୍ଧକ

ପାକିସ୍ତାନ ସରକାରଙ୍କ ଘୋଷଣା ଅନୁସାରେ ଦାଉଦ ଇବ୍ରାହିମ୍‌ର ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ତା’ର ଅସ୍ତ୍ରଶସ୍ତ୍ର ବେପାରକୁ ବନ୍ଦ କରାଯାଇଛି। ଦାଉଦ ଇବ୍ରାହିମ୍ ସହିତ ଜଡ଼ିତ ସବୁ ବ୍ୟାଙ୍କ ଖାତାକୁ ଜବତ କରାଯାଇଛି। ପାକିସ୍ତାନ ସରକାର ଗତ ଅଗଷ୍ଟ ୧୮ ତାରିଖରେ ଦୁଇଟି ଅଧିସୂଚନା ଜାରି କରିବା ସହ ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଏବଂ ଜମାଦ-ଉଦ-ଦାଓ୍ଵା ମୁଖ୍ୟ ହାଫିଜ୍ ସୟିଦ ଏବଂ ଜୈସ୍-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାର ଏବଂ ୧୯୯୩ ବମ୍ବେ ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ଅପରାଧୀ ଦାଉଦ ଇବ୍ରାହିମ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଦାଉଦର ଠିକଣା

ଏହି ଘୋଷଣା ସହିତ ପାକିସ୍ତାନ ନିଜ ଅଜାଣତରେ ମାନିନେଇଛି ଯେ ଦାଉଦ ଇବ୍ରାହିମ୍ ଦୀର୍ଘ ୨୭ ବର୍ଷ ହେଲା ପାକିସ୍ତାନରେ ହିଁ ରହିଆସୁଛି। କରାଚୀର ୩ଟି ସ୍ଥାନରେ ଦାଉଦର ଘର ଥିବା ପାକିସ୍ତାନ ଦସ୍ତାବିଜ୍‌ରୁ ଜଣାପଡ଼ିଛି। ସାଟେଲାଇଟ୍ ଇମେଜ୍‌ ଆଧାରରେ ଦାଉଦର ଗୋଟିଏ ଘର ଡିଫେନ୍ସ ଫେଜ୍-୫ର ଗଳି ନମ୍ବର ୩୦ରେ ଥିବା ବେଳେ ଘର ନମ୍ବର ୩୭ ବୋଲି ଜଣାପଡ଼ିଛି।

ଏହି ସାଟେଲାଇଟ୍‌ ଇମେଜ୍ ବ୍ୟତୀତ କରାଚୀରେ ଦାଉଦର ଆଉ ଗୋଟିଏ ହ୍ଵାଇଟ୍ ହାଉସ୍ ରହିଛି, ଯାହାର ନମ୍ବର ୫୭ ବୋଲି ଜଣାପଡ଼ିଛି।ପାସ୍‌ପୋର୍ଟ

ଦାଉଦ ପାଖରେ ୧୪ଟି ପାସ୍‌ପୋର୍ଟ ଥିବା ପାକିସ୍ତାନ ନିଜ ଦସ୍ତାବିଜ୍‌ରେ ଉଲ୍ଲେଖ କରିଛି। ପ୍ରଥମ ପାସ୍‌ପୋର୍ଟ ନମ୍ବର ହେଉଛି ଜି-୮୬୬୫୩୭। ଏହାକୁ ରାଓ୍ଵଲପିଣ୍ଡିରୁ ଜାରି କରାଯାଇଥିଲା। ଯେତେବେଳେ ଭାରତ ଏହି ପାସ୍‌ପୋର୍ଟ ବିଷୟରେ ପାକିସ୍ତାନକୁ କହିଥିଲା ସେତେବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା। କିନ୍ତୁ ଏବେ ଏହି ପାସ୍‌ପୋର୍ଟ ବିଷୟରେ ପାକିସ୍ତାନ ଦସ୍ତାବିଜ୍‌ରେ ଉଲ୍ଲେଖ କରିଛି। ଦାଉଦର ଦ୍ଵିତୀୟ ପାସ୍‌ପୋର୍ଟ ନମ୍ବର ସି-୨୬୭୧୮୫ ବୋଲି ଭାରତ ୨୦୧୫ରେ ପାକିସ୍ତାନକୁ କହିଥିଲା। ୧୮ ଅଗଷ୍ଟରେ ପାକିସ୍ତାନ ଯେଉଁ ଦସ୍ତାବିଜ୍ ଦାଖଲ କରିଛି ସେଥିରେ ମଧ୍ୟ ସମାନ ନମ୍ବରର ପାସ୍‌ପୋର୍ଟ କଥା ଉଲ୍ଲେଖ କରାଯାଇଛି।

ସେହିପରି କରାଚୀରୁ ଜାରି ହୋଇଥିବା କେସି-୨୮୫୯୦୧ ନମ୍ବରବିଶିଷ୍ଟ ପାସ୍‌ପୋର୍ଟ ବିଷୟରେ ମଧ୍ୟ ଭାରତ ପାକିସ୍ତାନକୁ କହିଥିଲା। ସେତେବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ  ଏବେ ତାହାକୁ ସ୍ଵୀକାର କରିଛି। ତେଣୁ ପାକିସ୍ତାନର ସବୁ ମିଛ ଧରାପଡ଼ିଯାଇଛି।

ପାକିସ୍ତାନର ମିଛ

ପାକିସ୍ତାନ ଦାଉଦ ଇବ୍ରାହିମ୍ ଉପରେ ଆର୍ଥିକ ବାସନ୍ଦ ଲଗାଇବା ପରେ ଦାଉଦ କରାଚୀରେ ଥିବା ନେଇ ସ୍ପଷ୍ଟ ହୋଇଛି। କିନ୍ତୁ ନିଜ କଥାରୁ ଓହରି ଯିବା ପାକିସ୍ତାନର ପୁରୁଣା ଅଭ୍ୟାସ ହୋଇଥିବାରୁ ଏଥିର ମଧ୍ୟ ସମାନ କଥା ଦୋହରାଇଛି ପାକିସ୍ତାନ। ୨୪ ଘଣ୍ଟା ଭିତରେ ହିଁ ପାକିସ୍ତାନ ଅଧିକାରିକ ସ୍ତରରେ ଦାଉଦ ପାକିସ୍ତାନରେ ଥିବା କଥାକୁ ଖଣ୍ଡନ କରିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ପାକିସ୍ତାନ ନୂା ପ୍ରତିବନ୍ଧକ ଲଗାଉଛି। ତେଣୁ ଦାଉଦ ପାକିସ୍ତାନରେ ଅଛି ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହାର କୌଣସି ସତ୍ୟତା ନାହିଁ। ଏଭଳି ଦାବି ନିରାଧାର ଏବଂ ଭ୍ରମାତ୍ମକ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି।BGUଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବାରୁ ୨୦୧୮ରେ ଏଫ୍‌ଏଟିଏଫ୍‌ ପକ୍ଷରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା। ଏଥିସହ ପାକିସ୍ତାନକୁ ୨୦୧୯ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହି ସମୟ ଭିତରେ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି କୁହାଯାଇଥିଲା।

ତେବେ କରୋନା ମହାମାରୀ ଯୋଗୁଁ ଏହି ସମୟସୀମାକୁ ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ଗ୍ରେ ଲିଷ୍ଟରେ ଥିବାରୁ ପାକିସ୍ତାନକୁ ଆଇଏମ୍‌ଏଫ୍, ବିଶ୍ଵବ୍ୟାଙ୍କ ଆଦିରୁ ଆର୍ଥିକ ସହାୟତା ମିଳିବା କଷ୍ଟକର ହୋଇପଡ଼ିଛି। ଯଦି କଳା ତାଲିକାଭୁକ୍ତ ହୁଏ ତେବେ ଆର୍ଥିକ ସହାୟତା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଦାଉଦ ଇବ୍ରାହିମ୍ ସମେତ ଜେୟୁଡି, ତାଲିବାନ, ଅଲ୍‌କାଏଦା, ଟିଟିପି ପରି ୮୮ଟି ସଙ୍ଗଠନ ବିରୋଧରେ ଆର୍ଥିକ ବାସନ୍ଦ ଲାଗୁ କରିଛି।

Comment