ଓଡ଼ିଶାଲାଇଭ୍ ବ୍ୟୁରୋ

- କରୋନାରେ ଆଖି ବୁଜିଲେ ଆଉ ୯ ଆକ୍ରାନ୍ତ
- ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ମୃତ
- ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୨୮କୁ ବୃଦ୍ଧି
ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୯ ଜଣ କରୋନା ରୋଗୀ ଆଖି ବୁଜିବା ସହିତ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି। ସେହିପରି ବାଲେଶ୍ୱର, ଭୁବନେଶ୍ୱର, ବଲାଙ୍ଗିର, କଟକ ଓ ଗଜପତିର ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ତେବେ ଏହି ଆକ୍ରାନ୍ତମାନେ କରୋନାରେ ପୀଡ଼ିତ ଥିବା ସହିତ ଡାଇବେଟିସ୍, ହାଇପରଟେନସନ୍ ଭଳି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୮୧କୁ ବୃଦ୍ଧି ପାଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୫୫ ଜଣ, କଟକର ୨୬ ଜଣ, ସୁନ୍ଦରଗଡ଼ର ୩୦ ଜଣ ଆକ୍ରାନ୍ତ ଏଯାବତ କରୋନାରେ ପ୍ରାଣ ହରାଇସାରିଲେଣି।














