ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ କରୋନା ମୃତ୍ୟୁ
- ପ୍ରାଣ ହରାଇଲେ ଆଉ ୧୩ ଆକ୍ରାନ୍ତ
- ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି
ଗୋଟିଏ ପଟେ ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟାକ ୩୩୭୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏହାକୁ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ଆଜି ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ରୋଗୀ କରୋନାରେ ଆଖି ବୁଜିବା ସହ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ଏହି ମୃତକଙ୍କ ମଧ୍ୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଲେଖାଏଁ ରହିଛନ୍ତି। ସେହିପରି କଟକ ଓ ଗଞ୍ଜାମ ଜିଲ୍ଲାର ମଧ୍ୟ ଦୁଇଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀର ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୮୩କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ ଏହିସଂଖ୍ୟା ୫୬ , କଟକରେ ୨୮, ସୁନ୍ଦରଗଡ଼ରେ ୩୩ ଓ ରାୟଗଡ଼ାରେ ୨୧ ରହିଛି।














