ଓଡ଼ିଶାଲାଇଭ୍ ବ୍ୟୁରୋ 

  • କେନ୍ଦ୍ରପଡ଼ାରେ ବନ୍ୟା ପରିସ୍ଥିତି
  • ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ
  • ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୧୮ହଜାର ଲୋକ ପ୍ରଭାବିତ
  • ଲୋକଙ୍କୁ ରିଲିଫ୍ ସାମଗ୍ରୀ ଦେବାକୁ ଦାବି

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରଭାହିତ ବ୍ରାହ୍ମଣୀ ନଦୀରେ ଗୁରୁବାର ବନ୍ୟା ଆସି ସମଗ୍ର ଧୋୟା ଅଞ୍ଚଳ ଜଳମଗ୍ନ ହୋଇପଡିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଅଳଭାଠାରେ ବ୍ରାହ୍ମଣୀର ବିପଦ ସଂକେତ ୧୬ ଫୁଟ ଥିବା ବେଳେ ଏବେ ସେଠାରେ ୧୮ ଫୁଟ ୬ ଇଞ୍ଚ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଉତ୍ତର ଓ ପଶ୍ଚିମ ପାର୍ଶ୍ୱରେ ଥିବା ଖରସ୍ରୋତା ନଦୀର ଶାଖା କାଣୀ ନଦୀରେ ବନ୍ୟା ଆସି ୭ଟି ପଞ୍ଚାୟତକୁ ଜଳମଗ୍ନ କରିଦେଇଛି।ଅନ୍ୟପଟେ ଦାମୋଦର ପାଟଣାଠାରୁ ବଲୁରୁଆ ପର୍ଯ୍ୟନ୍ତ ଥିବା ୯ କିମି ରାସ୍ତା ପେଣ୍ଠପାଳଠାରେ ବୁଡ଼ି ଏହା ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଧୋୟା ଅଞ୍ଚଳରେ ହଜାର ହଜାର ଏକର ଧାନ କ୍ଷେତ ପାଣିରେ ବୁଡି ରହିବା ଫଳରେ ଫସଲ ପଚିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧ନମ୍ବର ୱାର୍ଡଠାରୁ ୯ ନମ୍ବର ୱାର୍ଡ ପର୍ଯ୍ୟନ୍ତ ବନ୍ୟାରେ ବୁଡିଯାଇଛି। ପୌରାଞ୍ଚଳରେ ୧୮ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ବ୍ଲକର ୧୪ଟି ପଞ୍ଚାୟତର ୬୫ ହଜାରରୁ ଅଧିକ ଲୋକ ବନ୍ୟା ଦାଉରେ ହନ୍ତସନ୍ତ ହେଉଛନ୍ତି। ବନ୍ୟା ଘେରରେ ଜଳବନ୍ଦୀ ହୋଇପଡିଥିବା ବିପନ୍ନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ରିଲିଫ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।BGUପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ବିଡିଓ ଭରତ ଚନ୍ଦ୍ର ପରିଡା, ସହକାରୀ ବିଡ଼ିଓ ସନ୍ତୋଷ ମନ୍ତ୍ରୀ, ତହସିଲଦାର ସରତ କୁମାର ଗିରି ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସମସ୍ୟା ଅନୁଧ୍ୟାନ କରି ଫେରିଛନ୍ତି। କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟା ଅଞ୍ଚଳର ୭ଟି ପଞ୍ଚାୟତ ବୁଲି ବିପନ୍ନଙ୍କ ଅବସ୍ଥା ଦେଖିଛନ୍ତି।

Comment