ଓଡ଼ିଶାଲାଇଭ୍ ବ୍ୟୁରୋ

  • କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ବେହାଲ
  • ଜିଲ୍ଲାର ୧ ଲକ୍ଷ ୨୨ ହଜାର ଲୋକ ପ୍ରଭାବିତ
  • ବନ୍ୟାଞ୍ଚଳ ଜଗିବାକୁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ସଚିବ ହେମନ୍ତ ଶର୍ମା
  • ବିପନ୍ନଙ୍କୁ ପିଇବା ପାଣି ଯୋଗାଇବାକୁ ତାଗିଦ 

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ବଢୁଛି ବନ୍ୟା ସମସ୍ୟା। ପାଣି ବଢିବା ସାଙ୍ଗକୁ ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ବନ୍ୟା ବିପତ୍ତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବାକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାର ବନ୍ୟା ସମସ୍ୟା ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା।କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ଉଭୟ ବ୍ରାହ୍ମଣୀ ସିଷ୍ଟମ ଓ ମହାନଦୀ ସିଷ୍ଟମରେ ଏକ ସଙ୍ଗେ ବନ୍ୟା ଆସିଛି। ବ୍ରାହ୍ମଣୀ ସିଷ୍ଟମର ବ୍ରାହ୍ମଣୀ, ବୈତରଣୀ, କାଣୀ ଓ ଖରସ୍ରୋତା ନଦୀ ଜିଲ୍ଲାର ରାଜକନିକା, ଆଳି, ରାଜନଗର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ଅଞ୍ଚଳକୁ ପ୍ରଭାବିତ କରିଛି।ସେହିପରି ମହାନଦୀ ସିଷ୍ଟମର ମହାନଦୀ, ବିରୂପା, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଓ ପାଇକା ନଦୀର ବନ୍ୟାରେ ପ୍ରଭାବିତ ହୋଇଛି ଡେରାବିଶ, ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ପ୍ରଭାବିତ ହୋଇଛି।BGUଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲାର ୫୪ଟି ଗ୍ରାମପଞ୍ଚାୟତର ୧ ଲକ୍ଷ ୨୨ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେ ଭିତରୁ ୩୬ ହଜାର ବିପନ୍ନଙ୍କୁ ଉଦ୍ଧାର କରାଯାଇଛି। ୧ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବାବେଳେ ୨୬ ହଜାର ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି। ବନ୍ୟାରେ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ୪ଟି ଓଡ୍ରାଫ ଦଳ,୪ଟି ଏନଡିଆରଏଫ୍ ଦଳ ଓ ୧୨ଟି ଅଗ୍ନିଶମ ଦଳଙ୍କୁ ସଜାଗ କରାଯାଇଛି। ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୨୦ଟି ଦେଶୀ ଓ ଯନ୍ତ୍ରଚାଳିତ ଡଙ୍ଗା ରଖାଯାଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିପରି ଜିଲ୍ଲାରେ ଚଳିତ ବନ୍ୟା ସମସ୍ୟାକୁ ମୁକାବିଲା କରୁଛି ତାକୁ ସମୀକ୍ଷା କରିବାକୁ ରାଜ୍ୟ ସରକାରଙ୍କର ବରିଷ୍ଠ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଆଜି ଜିଲ୍ଲାରେ ବନ୍ୟା ବିପତ୍ତିର ସମୀକ୍ଷା କରିବା ସହିତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟ ଜଳସେଚନ ବିଭାଗର ଅତିରିକ୍ତ ସଚିବ ସୁରେଶ ଦଳାଇ ଓ ଜିଲ୍ଲାର ବରିଷ୍ଠ ପ୍ରଶାସକମାନେ ଯୋଗ ଦେଇଥିଲେ।

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ବନ୍ୟାଞ୍ଚଳରେ ନଳକୂଅ ଓ ପାଇପ୍ ପାଣି ବ୍ୟବସ୍ଥା ଅଚଳ ହୋଇଥିବାରୁ ବିପନ୍ନମାନେ ଦୁଃଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ସଂକ୍ରାମକ ରୋଗ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ବିପନ୍ନମାନଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ସଚିବ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଜିଲ୍ଲାର ବିପନ୍ନମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚୁଛି କି ନାହିଁ ଓ ବନ୍ୟା ବେଳେ ବନ୍ଧବାଡ଼ର ଅବସ୍ଥା ତଦାରଖ କରିବାକୁ ବିଭିନ୍ନ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେମନ୍ତ ଶର୍ମା।

Comment