ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମାଜ କିନ୍ନରଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖେ। ଏଥିପାଇଁ ସେମାନଙ୍କୁ ଲୋକଙ୍କ ଟାହି ଟାପରା ଶୁଣିବାକୁ ପଡ଼େ। କିନ୍ତୁ ଏହି ଟାହିଟାପରାକୁ ଖାତିର ନକରି ନିଜ ପାଇଁ ସଂଘର୍ଷ କରିଥିବା କିନ୍ନରଙ୍କୁ ମଧ୍ୟରୁ ଜଣେ ହେଲେ ନୀଲମ।

ଦ୍ୱିତୀୟ ଶ୍ରେଣୀରେ ପଢ଼ିଲା ବେଳେ ଜଣେ ଭଉଣୀ କହିଲେ, ‘ଏଇଟା ମାଇଚିଆଟା’

‘‘ଗାଁ ଦାଣ୍ଡରେ ଚାଲିଗଲା ବେଳେ ଶୁଣିବାକୁ ମିଳୁଥିଲା ଟାହିଟାପରା’’

‘‘ଘରେ ବି ସହିବାକୁ ପଡୁଥିଲା ଗଞ୍ଜଣା’’

‘‘ବାପା, ମା’ ମତେ ଦୂରେଇ ଦେଲେ’’

‘‘ଜେଜେ ମା’ ପୁରୀରେ ମତେ ଛାଡ଼ିଦେଇ କୁଆଡ଼େ ଚାଲିଗଲା’’

ଘରେ, ବାହାରେ ଟାହିଟାପରା ଶୁଣି ବଡ଼ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ନୀଲମ କିନ୍ନରଙ୍କର ଏହା ହେଉଛି ସଂଘର୍ଷର କାହାଣୀ।

ପିଲାବେଳେ ବାପା, ମା’ ନାଁ ଦେଇଥିଲେ ନୀଲୁ। ବଡ଼ ହେବା ପରେ ନିଲୁରୁ ନାଁ ସ୍କୁଲରେ ଲେଖାଇଲେ ବାପା। ନୀଲୁ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲା ସେତେବେଳେ ସ୍କୁଲର ଜଣେ ବଡ଼ ଭଉଣୀ କହିଥିଲେ ‘ଏଇଟା ମାଇଚିଆଟା’। ଇଏ ପାଠ କ’ଣ ପଢ଼ିବ? ସେଦିନର ସେ ବଡ଼ ଭଉଣୀଙ୍କ କଥା କୁ ସହଜରେ ବୁଝି ପାରି ନଥିଲେ ନୀଲୁ।

ଘରକୁ ଆସି ଜେଜେ ମା’ଙ୍କୁ ସବୁ କଥା କହିଲେ। ଜେଜେ ମା’ ନୀଲୁକୁ କହିଲେ ତୁ ଆଉ ପାଠ ପଢ଼ିବୁନି। ଜେଜେ ମା’ ସେଦିନ କାହିଁକି ଏମିତି କହିଲେ ତାହା ବି ବୁଝି ନଥିଲେ ନୀଲୁ। ଶେଷରେ ନୀଲୁ ପୁରୁଷୋତ୍ତମପୁରର ଏକ ହୋଟେଲରେ କାମ କଲେ। ୬ ମାସ ପରେ ପୁଣି ଘରକୁ ଫେରି ଆସିଲେ। କିନ୍ତୁ ଘରେ ସେ ବେଶୀଦିନ ରହିଲେନି। ଗାଁରେ ବି ଟାହିଟାପରା ଶୁଣିବାକୁ ମିଳିଲା।

ଜେଜେ ମା’ତାଙ୍କୁ ପୁରୀ ଆଣି ବଡ଼ ଦେଉଳ ପାଖରେ ବସାଇ କୁଆଡ଼େ ଚାଲିଗଲେ। ଗଲାବେଳେ ହାତର ୧୦ ଟଙ୍କା ଧରାଇ ଦେଇଥିଲେ। ଦିନ ଯାଇ ସନ୍ଧ୍ୟା ହେଲା, କିନ୍ତୁ ନିଲିଙ୍କ ଜେଜେ ମା’ ଆସିଲେନି। ନୀଲୁର କାନ୍ଦ ଶୁଣି କିଛି କିନ୍ନର ତା’ ପାଖକୁ ଆସିଲେ। ସବୁ କଥା ଶୁଣିବା ପରେ ତାକୁ ସୁରଟ ନେଇଗଲେ। ସୁରଟରେ ନୀଲୁର ନାଁ ବଦଳିଗଲା। ନୀଲୁରୁ ସେ ହୋଇଗଲେ ନୀଲମ କିନ୍ନର।

‘‘ଘର କଥା ମନେପଡ଼ିଲେ ମୁଁ କାନ୍ଦେ’’

ସୁରଟ ଚାଲି ଆସିବା ପରେ ନୀଲୁକୁ ଅନ୍ୟ କିନ୍ନରମାନେ ଭଲ ପାଇଲେ। ଧିରେ ଧିରେ ବଡ଼ ହେବା ପରେ ଅନ୍ୟ କିନ୍ନରମାନଙ୍କ ସହ ମିଶି ନୀଲମ ଟ୍ରେନରେ ପଇସା ମାଗିଲେ । ସେହି ପଇସାରେ ହିଁ ନୀଲମ ବଡ଼ ହେଲେ।

‘‘ସୁରଟରେ ରହିବା ଭିତରେ ଘର କଥା ମୋର ବହୁନ ମନେ ପଡୁଥିଲା। ଘର କଥା ମନେପକାଇ ମୁଁ ବହୁତ କାନ୍ଦୁଥିଲି। ଜେଜେ ମା’ ଉପରେ ରାଗୁଥିଲି। ଭଗବାନଙ୍କୁ ଗାଳି ଦେଇ ପ୍ରଶ୍ନ କରୁଥିଲି ମୋର ଭୁଲ କ’ଣ? କାହିଁକି ମୋ’ ପିଲାଦିନ ଛଡ଼େଇ ନେଲ? ମା’କୁ ବି ମନେମନେ ଗାଳି ଦେଉଥିଲି।’’, ଓଡ଼ିଶାଲାଇଭ୍‌କୁ ଦେଇଥିବା ଏକ ସାକ୍ଷାତକାରେ କହିଥିଲେ ନୀଲୁ।

ସୁରଟରୁ ପୁଣି ପୁରୁଷୋତ୍ତମପୁର

ସୁରାଟରେ କାମ କରୁଥିବା ବେଳେ ଗାଁ ର ଜଣେ ଘର ପାଖ ଖୁଡ଼ି ଦେଖା ହୁଅନ୍ତି ନୀଲମଙ୍କର। ନିଲୁ ତାଙ୍କୁ ଚିହ୍ନି ପ୍ରଥମେ ନିଜ ପରିଚୟ ଲୁଚାଇ ରଖିଲେ।

ଗାଁର ଖୁଡ଼ି ତାଙ୍କୁ ଦେଖି ଦୋ ଦୋ ଚିହ୍ନା ହେଲେ। ପଚାରିଲେ ତମେ ନୀଲୁକୁ ଜାଣିଛ? ନୀଲୁ କିନ୍ତୁ ନଜାଣିଲା ପରି ଛିଡ଼ା ହେଲେ। ତା’ପରେ ଖୁଡ଼ି ନୀଲୁଙ୍କ ପରିବାର କଥା କହିଲେ। ତାଙ୍କରିଠାରୁ ହିଁ ସେ ଶୁଣିଥିଲେ ଯେ ନୀଲୁଙ୍କୁ  ତାଙ୍କ ବାପା ମାରିଦେବାକୁ ଚାହୁଁଥିଲେ। ଏଣୁ ଜେଜେ ମା’ତାଙ୍କୁ ଆଣି ପୁରୀରେ ଛାଡ଼ିଦେଇ ଚାଲିଯାଇଥିଲେ।

ଖୁଡ଼ିଙ୍କଠାରୁ ଘର କଥା ଶୁଣି ନୀଲୁଙ୍କର ଘରକୁ ଆସିବାକୁ ମନ ହେଲା। ବାପା, ମା’ ଜେଜେ ମା’ଙ୍କୁ ଦେଖିବାକୁ ମନ ହେଲା। ଗାଁକୁ ଆସିବାକୁ ଇଚ୍ଛା ହେଲା। ଶେଷରେ ଗାଁ ଆସିଲେ ନୀଲୁ। ହେଲେ ପୁଣି ସେହି ଟାହି ଟାପରା ଓ ଗାଁ ଲୋକଙ୍କ ନାଲି ଆଖି ତାଙ୍କୁ କଷ୍ଟ କଷ୍ଟ ଦେଲା।

ଗାଁରେ ପାଦ ଦେଉ ଦେଉ ଲୋକଙ୍କ ନାଲିଆଖି

ଗାଁରେ ରହିବାକୁ ହେଲେ ଶାଢ଼ି, ଚୁଡ଼ି ଖୋଲିବାକୁ ପଡ଼େ। ଚୁଟି କାଟି ବାହା ହେବାକୁ ପଡ଼ିବ। ନହେଲେ ଗାଁରେ ସ୍ଥାନ ନାହିଁ। ଗାଁ ଲୋକଙ୍କ ଏହି ଧମକ ସେଦିନ ନୀଲଙ୍କ ମନରେ ଆଘାତ ଦେଇଥିଲା।

ଯେଉଁ ଜେଜେ ମା’ ଛୋଟ ବେଳେ ପୁରୀରେ ଛାଡ଼ି ଦେଇଥିଲେ ସେହି ଜେଜେ ମା’ ଆସି ଗାଁ ଲୋକଙ୍କୁ ଧିକ୍କାର କରି ଘରକୁ ନେଇଥିଲେ ତାଙ୍କୁ। ହେଲେ ଗାଁ ଲୋକଙ୍କ ଟାହି ଟାପରା ଘର ଲୋକଙ୍କୁ ଭଲ ଲାଗିଲାନି। ଲୋକଙ୍କ କଥା ଶୁଣି ନୀଲୁ ବାହା ହୋଇଥିଲେ।

ନୀଲୁ ଯାହାକୁ ବାହା ହୋଇଥିଲେ ତାଙ୍କୁ ପୂର୍ବରୁ ସବୁ କଥା କହିଦେଇଥିଲେ। ବାହା ହୋଇ ପୁଣି ନୀଲମ ଗାଁ ଛାଡ଼ି ସୁରଟ ଗଲେ। ୧୪ ବର୍ଷ ପରେ ଭୁବନେଶ୍ୱର ଆସି କିନ୍ନର ଗୁରୁ ମୀରା ପରିଡ଼ାଙ୍କୁ ଦେଖା କଲେ। ସେବେଠାରୁ ମୀରା ତାକୁ ନିଜର କରିନେଇଛନ୍ତି। ପିଲାଟି ଦିନରୁ ସଂଘର୍ଷ କରି ବଞ୍ଚିଥିବା ନୀଲମ ଆଜି ସମାଜରେ ନିଜ ପରିଚୟରେ ବଞ୍ଚି ଅନ୍ୟମାନଙ୍କୁ ସ୍ନେହ ବାଣ୍ଟୁଛନ୍ତି।

Comment