ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି।

  • ରାଜଧାନୀରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ
  • ୧୦ଟି ୱାର୍ଡରୁ ୧୫୦୦ ଲୋକଙ୍କ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ
  • ଏହାପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ସେରୋ ସର୍ଭେଲାନ୍ସ ହୋଇଥିଲା
  • ଲୋକଙ୍କ ଶରୀରରେ କରୋନା ଆଣ୍ଟିବଡିର ରିପୋର୍ଟ ଦେବ ସେରୋଲୋଜିକାଲ୍ ସର୍ଭେ

ବିଏମସି ଓ ଆରଏମ୍ଆରସି ପକ୍ଷରୁ ଗତକାଲିଠାରୁ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଦୁଇ ଦିନଧରି ହେବାକୁ ଥିବା ଏହି ସର୍ଭେରେ ରାଜଧାନୀର ମୋଟ ୧୦ଟି ୱାର୍ଡରୁ ୧୫୦୦ ଲୋକଙ୍କ ନମୁନା ସଂଗ୍ରହ କରାଯିବ। ଏହି ନମୁନାର ରିପୋର୍ଟ ଦ୍ୱାରା ହିଁ ରାଜଧାନୀବାସୀଙ୍କ ଶରୀରରେ କରୋନାର ରୋଗ ପ୍ରତିରୋଧକ ଶକ୍ତି ଅଥବା ଆଣ୍ଟିବଡ଼ି ପ୍ରସ୍ତୁତ ହେଲାଣି କି ନାହିଁ ତାହା ଜଣାପଡ଼ିବ।ଗତକାଲି ପ୍ରଥମ ଦିନରେ ମୋଟ ୬୩୫ ଜଣ ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ଦ୍ୱିତୀୟ ଦିନରେ ମଧ୍ୟ ଏହି ନମୁନା ସଂଗ୍ରହ ଜାରି ରହିବ। ଏଥିପାଇଁ ବିଏମସି ଓ ଆରଏମଆରସି ପକ୍ଷରୁ ଭୁବନେଶ୍ୱରର ୧୦ଟି ୱାର୍ଡରେ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନଙ୍କୁ ମଧ୍ୟ ସେଚ୍ଛାକୃତ ଭାବେ ନମୁନା ଦେବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି।BGUକରୋନା ଭାଇରସକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣଠାରୁ ଆରମ୍ଭ କରି ଲୋକମାନଙ୍କୁ ମାଗଣାରେ ଟେଷ୍ଟିଂ ଆଦି ସୁବିଧା ଯୋଗାଇଦିଆଯାଉଛି। ହେଲେ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢ଼ିଲାଣି ଏବଂ ଆଣ୍ଟିବଡି କେତେ ଉନ୍ନତ ହେଲାଣି ତାହା ଜାଣିବାକୁ ସେରୋଲୋଜିକାଲ୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି।ସର୍ବପ୍ରଥମେ ରଥଯାତ୍ରା ସମୟରେ ପୁରୀରେ ସେରୋଲୋଜିକାଲ୍ ସର୍ଭେ ଆରମ୍ଭ କରାଯାଇଥିଲା। ଏହାପରେ ରାଜଧାନୀ ଭୁବନେଶ୍ୱର ସମତେ ବ୍ରହ୍ମପୁର, କଟକ ବଡମ୍ବା ଓ ସିଏମସି ଅଞ୍ଚଳରେ ମଧ୍ୟ ସର୍ଭେ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ସର୍ଭେର ରିପୋର୍ଟ ଅନୁସାରେ ବ୍ରହ୍ମପୁର ଅଞ୍ଚଳର ଲୋକଙ୍କ ପାଖରେ ସବୁଠୁ ଅଧିକ କରୋନା ଆଣ୍ଟିବଡି ଦେଖିବାକୁ ମିଳିଥିଲା। ବ୍ରହ୍ମପୁରର ପ୍ରାୟ ୩୧ ପ୍ରତିଶତ ଲୋକଙ୍କ ଶରୀରରେ କରୋନାର ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଥିବା ଆରଏମ୍ଆରସି ସୂଚନା ଦେଇଥିଲା। ସେହିପରି ପ୍ରଥମ ସେରୋଲୋଜିକାଲ୍ ସର୍ଭେରେ ଭୁବନେଶ୍ୱରର ମାତ୍ର ୧.୪୨ ପ୍ରତିଶତ ଲୋକଙ୍କ ପାଖରେ କରୋନା ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଥିବା  ଆରଏମଆରସି ସୂଚନା ଦେଇଥିଲା।“ସେରୋ ସର୍ଭେ ଗୋଟିଏ ଥରରେ ସରେନାହିଁ। ଗୋଟିଏ ପର୍ଯ୍ୟାୟ ଶେଷ ହେଲେ, ଏହାର ୪ ସପ୍ତାହ ପରେ ପୁଣି ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତି କେତେ ବଢ଼ିଛି, ତାହା ଦେଖାଯାଏ। ସେହି ଅନୁସାରେ ଯୋଜନା ହୁଏ। ଆଗାମୀ ଦିନରେ ଟେଷ୍ଟିଂ କରିବା, ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରିବା ସହ ସେରୋଲୋଜିକାଲ ସର୍ଭେ ଚାଲୁ ରଖିଲେ ମହାମାରୀକୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖାଯାଇପାରିବ”, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ଗତ କିଛିଦିନ ତଳେ ଏଭଳି କହିଥିଲେ ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।

 

ତେଣୁ ରାଜଧାନୀର ଏହି ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ଦ୍ୱାରା ରାଜଧାନୀବାସୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି କି ନାହିଁ ଓ ଲୋକମାନଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବ ବୋଲି କୁହାଯାଉଛି।

Comment