ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ଏବଂ ଅଧିକ ଫାଇଦାବିଶିଷ୍ଟ ପ୍ଲାନ୍କୁ ନେଇ ଟେଲିକମ୍ କମ୍ପାନିଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏହାରି ଭିତରେ ସରକାରୀ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ନିଜ ଗ୍ରାହକଙ୍କ ପାଇଁ ଏପରି ଏକ ପ୍ଲାନ୍ ଲଞ୍ଚ୍ କରିଛି ଯାହାକୁ ଥରେ ରିଚାର୍ଜ କରିବା ପରେ ବର୍ଷ ସାରା ଅନ୍ୟ କୌଣସି ରିଚାର୍ଜ କରିବାକୁ ପଡ଼ିବନି। ଏହି ପ୍ଲାନ୍ର ନାଁ ରହିଛି PV-୧୪୯୯। ଏହି ପ୍ଲାନ୍ ଆଜିଠାରୁ ଉପଲବ୍ଧ ହେଉଛି।
ସୁବିଧା
ଏହି ପ୍ଲାନ୍ରେ ଫ୍ରି କଲିଂ, ଡାଟା, ଭାଲିଡିଟି ଆଦି ଅନେକ ପ୍ରକାର ସୁବିଧା ମିଳୁଛି। ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୨୪ ଜିବି ଡାଟା ସହିତ ଅନ୍ଲିମିଟେଡ୍ କଲିଂ ସୁବିଧା ପ୍ରଦାନ କରାଯାଉଛି।
PV-୧୪୯୯ ପ୍ଲାନ୍ର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ରହିଛି। କିନ୍ତୁ ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନ୍ର ପ୍ରମୋଶନାଲ ଅଫର ଆରମ୍ଭ ହେବାର ୯୦ ଦିନ ଭିତରେ ଯେଉଁ ଗ୍ରାହକମାନେ ପ୍ଲାନ୍ଟିକୁ ରିଚାର୍ଜ କରିବେ ସେମାନଙ୍କୁ ୩୦ ଦିନର ଅତିରିକ୍ତ ଭାଲିଡିଟି ପ୍ରଦାନ କରାଯିବ ବୋଲି କମ୍ପାନି ଘୋଷଣା କରିଛି। ଅର୍ଥାତ୍ ଏଭଳି ଗ୍ରାହକଙ୍କୁ ୩୬୫ ଦିନ ବଦଳରେ ୩୯୫ ଦିନ ପାଇଁ ଭାଲିଡିଟି ମିଳିବ।
କେମିତି ରିଚାର୍ଜ କରିବେ
ଏହି ପ୍ଲାନ୍କୁ ଆକ୍ଟିଭେଟ୍ କରିବା ପାଇଁ ଗ୍ରାହକମାନେ ବିଏସ୍ଏନ୍ଏଲ୍ ଓ୍ଵେବସାଇଟ୍କୁ ଯାଇପାରିବେ। ନଚେତ୍ ନିଜ ରିଚାର୍ଜ ହୋଇଥିବା ମୋବାଇଲ୍ ନମ୍ବରରୁ ୧୨୩ ନମ୍ବରକୁ PLAN BSNL ୧୪୯୯ ଲେଖି ଏସ୍ଏମ୍ଏସ୍ କରିପାରିବେ। ଏହି ପ୍ଲାନ୍ ସେପ୍ଟେମ୍ବର ୧ ଅର୍ଥାତ୍ ଆଜିଠାରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।
୩୬୫ ଦିନିଆ ଅନ୍ୟାନ୍ୟ ଅଫର୍
PV-୧୪୯୯ ଛଡ଼ା କମ୍ପାନି ୩୬୫ ଟଙ୍କିଆ ପ୍ଲାନ୍ ମଧ୍ୟ ପ୍ରଦାନ କରୁଛି। ଏହି ପ୍ଲାନ୍ରେ ମଧ୍ୟ ଗ୍ରାହକମାନଙ୍କୁ ୩୬୫ ଦିନ ପାଇଁ ଅନ୍ଲିମିଟେଡ୍ କଲିଂ ସୁବିଧା ମିଳୁଛି। ଏଥିସହ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ଏବଂ ୧୦୦ ଏସ୍ଏମ୍ଏସ୍ ସୁବିଧା ପ୍ରଦାନ କରାଯାଉଛି। ତେବେ ଅନ୍ଲିମିଟେଡ୍ କଲିଂ, ଡାଟା ଏବଂ ଏସ୍ଏମ୍ଏସ୍ ସୁବିଧା କେବଳ ରିଚାର୍ଜ କରିବାର ୬୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ। ୬୦ ଦିନ ପରେ ଗ୍ରାହକଙ୍କୁ ଭାଉଚର ବ୍ୟବହାର କରିବାକୁ ପଡ଼ିବ।













