ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାର ଗ୍ରାମାଞ୍ଚଳରେ ଭାରତନେଟ ପ୍ରକଳ୍ପ ଅନ୍ତର୍ଗତ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା
  • ଓପିଟିସିଏଲ୍, ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ
  • ଉପକୃତ ହେବେ ରାଜ୍ୟର ୧୩୨ ବ୍ଲକର ୨୯୩୨ ଗ୍ରାମ ପଞ୍ଚାୟତ

ଓଡ଼ିଶାର ଗ୍ରାମାଞ୍ଚଳରେ ଭାରତନେଟ ପ୍ରକଳ୍ପ ଅନ୍ତର୍ଗତ ଦ୍ରୁତ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ଏନେଇ ଶୁକ୍ରବାର ଦିନ ଓପିଟିସିଏଲ୍, ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷର ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଇଲେକ୍ଟୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।

ଭାରତନେଟ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଏହି ଦ୍ରୁତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏହା ପୂର୍ବରୁ ଭାରତନେଟର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୨୦ ହଜାର କିଲୋମିଟର ଲମ୍ବର ଅପଟିକାଲ ଫାଇବର କେବୁଲ ବିଛା ଯାଇଥିଲା।

ଓପିଟିସିଏଲ୍ ଓ ଓକାକ୍ ମିଳିତ ଭାବେ ୫୪୫ କୋଟି ଟଙ୍କା ବିନିମୟ କରି ଏହି କେବୁଲ ବିଛାଇଛନ୍ତି। ଏବେ ଏହା ମାଧ୍ୟମରେ ବିଏସଏନଏଲ ପକ୍ଷରୁ ରାଜ୍ୟର ୧୩୨ ବ୍ଲକର ୨୯୩୨ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ।

“ବର୍ତ୍ତମାନ ସମୟରେ ପ୍ରାୟ ସବୁ ସରକାରୀ ସେବା ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି କ୍ଷେତ୍ରରେ ଇଣ୍ଟରନେଟ୍‌ ବ୍ୟବହାର କରି ବିଭିନ୍ନ ସେବା ପାଇ ପାରୁଛନ୍ତି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳର ଲୋକେ କିଭଳି ଦ୍ରୁତ ଇଣ୍ଟରନେଟ ସେବା ପାଇବେ ସେ ନେଇ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି”, କହିଛନ୍ତି ତୁଷାରକାନ୍ତି ବେହେରା।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଭାରତନେଟ୍‌ ପ୍ରକଳ୍ପ ଦ୍ୱାରା ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ପଞ୍ଚାୟତରେ ମଧ୍ୟ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ମିଳିବ। ଓକାକ୍ ଓ ଓପିଟିସିଏଲ୍ ଧାର୍ଯ୍ୟ ସମୟରେ ଅପ୍‌ଟିକାଲ ଫାଇବର କେବୁଲ ବିଛାଇବାର କାର୍ଯ୍ୟ ଶେଷ କରିଥିବାରୁ ମୁଁ ବହୁତ ଖୁସି।”

ଏହି ଚୁକ୍ତି ସ୍ଵାକ୍ଷର ଅବସରରେ ଓଡ଼ିଶା ଇଲେକ୍ଟୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲ୍‌ର ନିର୍ଦେଶକ ବି.ବି. ମେହେଟ୍ଟା, ଓକାକର ସିଇଓ ମନୋଜ ପଟ୍ଟନାୟକ, ଭାରତ ସଞ୍ଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌.ଏନ୍‌. ପଲ୍ଲାଇ ଏବଂ ଓକାକର ଜେନେରାଲ ମ୍ୟାନେଜର ମଧୁମିତା ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଅନେକ ବିଭାଗୀୟ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ।

Tags: #HighSpeedInternet #BharatnetProject #OPTCL #OCAC #BSNL #Odisha

 

Comment