ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ଜିଲ୍ଲାରେ ୧୦ ହଜାର ଟପିଲା କରୋନା ସଂକ୍ରମଣ
  • ଆଜି ଚିହ୍ନଟ ହେଲେ ୨୯୫ ନୂଆ ପଜିଟିଭ୍ 
  • ଗତ ୧୫ ଦିନରେ ଚିହ୍ନଟ ହୋଇଛନ୍ତି ୫ ହଜାର ଆକ୍ରାନ୍ତ 
  • କଟକ ସହରରେ ବଢୁଛି ସଂକ୍ରମଣ

କଟକ: କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦ ହଜାର ଟପିଛି । ଜିଲ୍ଲାରୁ ୨୯୫ ଜଣ ନୂଆ ପଜିଟିଭ୍ ବାହାରିଥିବା ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୪୩ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରୁ  ୬ହଜାର ୯୮୭ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସୁସ୍ଥ ହାର ରହିଛି ୬୯.୫୭ ପ୍ରତିଶତ ରହିଛି। ସେହିଭଳି ଜିଲ୍ଲାରେ ୩୦୧୫ ଜଣ ଆକ୍ଟିଭ୍ କରୋନା ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି।ଅଗଷ୍ଟ ମାସରେ ସ୍ଥିତି ସାଂଘାତିକ ହୋଇଛି । କରୋନାର ପ୍ରକୋପ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି । ଅଗଷ୍ଟ ପହିଲା ସୁଦ୍ଧା କଟକରେ ପ୍ରାୟ ଅଢେଇ ହଜାର ପଜିଟିଭ୍ ଥିଲେ। ମାସକରେ ସଂକ୍ରମଣ ସବୁ ସୀମା ପାର୍ କରିଲା। ଗୋଟିଏ ମାସରେ ପ୍ରାୟ ୭ହଜାର ପଜିଟିଭ୍ ବାହାରିଲେ। ଯଦି ଗତ ୧୫ଦିନ କଥା ବିଚାରକୁ ନିଆଯାଏ ତେବେ ଅଗଷ୍ଟ ୨୨ ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ କଟକ ଜିଲ୍ଲାରୁ ୫ହଜାର ପଜିଟିଭ୍ ବାହାରିସାରିଲେଣି। ସେଥିରେ କଟକ ସହରର ଭୂମିକା ଯଥେଷ୍ଟ ଅଧିକ ରହିଛି ।

ଅନ୍ୟପଟେ ଗ୍ରାମାଞ୍ଚଳ ମଧ୍ୟ ପଛରେ ପଡ଼ିନାହିଁ। ଆଠଗଡ଼, ବାଙ୍କୀ, ସାଲେପୁର, ତିଗିରିଆ, ନରସିଂହପୁର ଓ ବଡମ୍ବାରୁ ପ୍ରାୟ ହଜାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିବା ସଂକ୍ରମଣର ଭୟବହତାକୁ ଦର୍ଶାଇଛି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନିୟମ ପ୍ରତ୍ୟାହାର କରିନେବା ପରେ ସଂକ୍ରମଣ ସୀମା ଲଂଘିଛି।BGUଜିଲ୍ଲାରୁ ବାହାରିଥିବା ୨୯୫ଜଣ ନୂଆ ଆକ୍ରାନ୍ତଙ୍କୁ ବିଚାରକୁ ନେଲେ ସେଥିରୁ ୧୮୪ଜଣ କଟକ ସହରର ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ୬ଜଣ ପୁରୁଣା ଆକ୍ରାନ୍ତଙ୍କ ତଥ୍ୟ ପୁନର୍ବାର ପ୍ରକାଶ ପାଇଛି। ଏହାବାଦ୍ ସର୍ବାଧିକ ୪୨ଜଣ ସାଲେପୁରରୁ ବାହାରିଥିବା ଜଣାପଡିଛି କିନ୍ତୁ ୧୬ଜଣଙ୍କ ତଥ୍ୟ ସାଲେପୁର ବ୍ଲକ୍ ପ୍ରଶାସନକୁ ହସ୍ତଗତ ହୋଇଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଦେବରାଜ ସେଠୀ କହିଛନ୍ତି। ଅନ୍ୟପଟେ ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ସାଲେପୁରରେ ମୋଟ୍ ୨୩୮ଜଣ ପଜିଟିଭ୍ ହୋଇସାରିଥିବା ସୂଚନା ରହିଛି।

ଅନ୍ୟପକ୍ଷରେ ବାଙ୍କୀରୁ ୨୧ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ସମସ୍ତ ଆକ୍ରାନ୍ତ ବାଙ୍କୀ ଏନ୍‌ଏସିର ବୋଲି ଜଣାପଡିଛି। ସେହିପରି କଟକ ସଦରରୁ ବାହାରିଥିବା ୬ ଜଣ ଆକ୍ରାନ୍ତ କିଶନନଗର ବୋଲି ସୂଚନା ରହିଛି। ବାରଙ୍ଗରୁ ୧୫ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଆଠଗଡ଼ରୁ ୨ଜଣ, ବଡମ୍ବାରୁ ଜଣେ, ଚୌଦ୍ୱାରରୁ ୫ଜଣ, ନରସିହପୁରରୁ ୨ଜଣ, ନିଆଳିରୁ ୪ଜଣ, ଟାଙ୍ଗୀରୁ ୫ଜଣ ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ।

Comment