ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା ନଜର ରଖିବ ବୋଲି ଏସ୍‌ଓପିରେ କୁହାଯାଇଛି। ଏଥିସହ ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।

ନୂଆ ଏସ୍‌ଓପି ଅନୁଯାୟୀ, ବିଏମ୍‌ସି ହୋମ୍‌ ଓ ପେଡ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ହେଲେ ତାଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇ ଦେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଏହି ନମ୍ବର ଦୁଇଟି ହେଉଛି ୧୮୦୦୩୪୫୦୦୬୧ ଓ ୦୬୭୪-୨୪୩୧୨୫୩।ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତମାନେ ଏହି ଦୁଇଟି ନମ୍ବରରେ ଫୋନ୍ କରି ନିଜର ସମସ୍ୟା, ଅଭିଯୋଗ ଜଣାଇପାରିବେ। ଏଥିସହ ସେମାନେ ଡାକ୍ତରୀ ପରାମର୍ଶ ମଧ୍ୟ ପାଇପାରିବେ। ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ରୁ ଏହି ନମ୍ବର ପରିଚାଳିତ ହେବ। ଆୟୁଷ ଡାକ୍ତର, ବିଏମ୍‌ସିକୁ ଡେପୁଟେସନ୍‌ରେ ଆସିଥିବା ଏଏସ୍‌ଓ ଏବଂ ଡାଟା ଏଣ୍ଟ୍ରି ଅପରେଟରମାନେ ହୋମ୍‌ ଆଇସୋଲେସନ୍‌ରୁ କଲ୍ କରୁଥିବା ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ।

ସେହିପରି ହୋମ୍‌ ଆଇସୋଲେସନ୍‌ରେ ଥିବା ଲକ୍ଷଣବିହୀନ କିମ୍ବା ଲକ୍ଷଣଯୁକ୍ତ ଆକ୍ରାନ୍ତ ଯଦି ଅସୁସ୍ଥ ହୋଇପଡ଼ନ୍ତି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ତେବେ ପେଡ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତ ଯଦି ଅସୁସ୍ଥ ହୁଅନ୍ତି କିମ୍ବା ଉନ୍ନତ ଚିକିତ୍ସା ଚାହୁଁଥାନ୍ତି, ତାଙ୍କୁ ବିଏମ୍‌ସି ପକ୍ଷରୁ ହସ୍ପିଟାଲ ନିଆଯିବ।BGUଅନ୍ୟ ପକ୍ଷରେ ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ପାଇଁ ବିଏମ୍‌ସିର ୩ଟି ଜୋନ୍‌ରେ ସ୍ଵତନ୍ତ୍ର ଆମ୍ବୁଲାନ୍ସ ରହିବ। ଏଗୁଡ଼ିକ ଜୋନାଲ ଡେପୁଟି କମିସନରଙ୍କ ଅଧୀନରେ ରଖାଯିବ। ଏହି ୩ଟି ଜୋନ୍‌କୁ ବିଏମ୍‌ସି ପାଖରୁ ସୂଚନା ଆସିଲେ ସେମାନେ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବେ ବୋଲି ଏସ୍‌ଓପିରେ କୁହାଯାଇଛି।

Comment