ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏ ବର୍ଷର ବିଷୟ – ‘କୋଭିଡ୍‌ ପରେ ପୁନର୍ବାସ’
  • ସୁନ୍ଦରଗଡ଼ ଜିଲ୍ଲା ଓ ବ୍ଳକ ସ୍ତରରେ ଫିଜିଓଥେରାପି ଦିବସ ପାଳନ
  • ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବରଦାନ – ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ଦିନ ‘ବିଶ୍ୱ ଫିଜିଓଥେରାପି ଦିବସ’ ପାଳନ କରାଯାଇଛି। ଏହାସହ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦିବସ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସିଡିଏମଓଙ୍କ ମାର୍ଗଦର୍ଶନରେ ଜିଲ୍ଲାବ୍ୟାପୀ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ (ଏମଏସ) ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ନୋଡାଲ ଅଫିସର ଡାକ୍ତର ପ୍ରଭାକର ବଳ, ଡିପିଏମ୍‌ ଡାକ୍ତର ଦୀପକ ମହାନ୍ତି, ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଆରବିଏସକେ ମ୍ୟାନେଜର ପ୍ରଶାନ୍ତ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

‘‘ଅତ୍ୟାଧୁନିକ ଫିଜିଓଥେରାପି ଚିକିତ୍ସା ବଳରେ ଆମେ କେତେକ ଜଟିଳ ସମସ୍ୟାକୁ ଭଲ କରିପାରିବା। କେବଳ ଜଣେ ରୋଗୀକୁ ଫିଜିଓଥେରାପି, ବ୍ୟାୟାମ ଓ ଯୋଗ ଦରକାର ତାହା ନୁହଁ, ବରଂ ସୁସ୍ଥ ରହିବା ପାଇଁ ଆମ ସମସ୍ତଙ୍କୁ ନିୟମିତ ଭାବେ ବ୍ୟାୟାମ ଓ ଯୋଗ କରିବାର ଆବଶ୍ୟକତା ରହିଛି’’, କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ।

ଏହି ଅବସରରେ କରୋନାରୁ ସୁସ୍ଥ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ଲାଜମା ଦାନ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହା ସହ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଦିଆଯାଉଥିବା ରୋବୋଟିକ୍ସ ଫିଜିଓଥେରାପି ଚିକିତ୍ସା ଏବଂ କୃତ୍ରିମ ଅଙ୍ଗରୋପଣ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ), ଡିଏସଏସଓ, ଆରବିଏସକେ, ଆଇପିୟୁ ଏବଂ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ପକ୍ଷରୁ ପରିଚାଳନା କରାଯାଇଥିଲା।

ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍‌ ହେଉଛି ‘କୋଭିଡ୍‌ ପରେ ପୁନର୍ବାସ’। ‘‘ଅନ୍ୟ ଗୁରୁତର ରୋଗ ସମେତ କୋଭିଡ୍‌-୧୯ରୁ ସୁସ୍ଥ ହେବା ପାଇଁ ଫିଜିଓଥେରାପି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କୋଭିଡ୍ ପାଇଁ ଚିକିତ୍ସା ନେଉଥିବା ଜଣେ ବ୍ୟକ୍ତି କି ପ୍ରକାର ବ୍ୟାୟାମ କରିପାରିବେ ସେ ବାବଦରେ ଜଣେ ଫିଜିଓଥେରାପିଷ୍ଟ୍ ପରାମର୍ଶ ଦେଇପାରିବେ। ତେବେ ଜଣେ ଯେ କେହି ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ, ଯୋଗ ଆଦି ଅଭ୍ୟାସ କରିବା ଦରକାର’’, କହିଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ।ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବରଦାନ – ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)ର ଆର୍ଥିକ ସହାୟତା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ରେ ଗଢ଼ିଉଠିଛି ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’। ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର ହିତାଧିକାରୀ ଏହି କେନ୍ଦ୍ରରେ ମିଳୁଥିବା ଚିକିତ୍ସା ସୁବିଧା ପାଉଛନ୍ତି।

ଏଠାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା ସହ କମ୍ପ୍ୟୁଟର ଆଧାରରେ କୃତ୍ରିମ ଅଙ୍ଗରୋପଣ ସୁବିଧା ହିତାଧିକାରୀଙ୍କ ପାଇଁ ବରଦାନ ହୋଇପାରିଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କର ଏଠାରେ ଚିକିତ୍ସା କରାଯାଉଛି।  ବିଶେଷକରି, ସମସ୍ତଙ୍କ ପାଇଁ ଫିଜିଓଥେରାପି ସେବା ମାଗଣା ହେବା ସହ  ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଏଠାରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା ରହିଛି।BGUଅତ୍ୟାଧୁନିକ ଫିଜିଓଥେରାପି ଚିକିତ୍ସା ଓ ପୁନର୍ବାସ ସେବା ପାଇଁ ହିତାଧିକାରୀମାନେ ସୁନ୍ଦରଗଡ଼ ଜିଲ୍ଲା ହେଲପଲାଇନ୍ ନମ୍ବରରେ କଲ୍ କରି ପାରିବେ। ଏହି ଟୋଲ ଫ୍ରି ନମ୍ବରଟି ହେଲା ୦୧୧-୪୧୧୮୨୧୧୩୮।

LEAVE A REPLY

Please enter your comment!
Please enter your name here