ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

bihar polls

ରାଜନୀତିରେ ପରିବାରବାଦ କିଛି ନୂଆକଥା ନୁହେଁ। ରାଜନେତାମାନେ ସବୁବେଳେ ଏହାକୁ ନିଜ ସୁବିଧାରେ ଗ୍ରହଣ କରନ୍ତି। ଅନ୍ୟ ଦଳକୁ ଆକ୍ଷେପ କଲେ ପରିବାର ରାଜନୀତି, ନିଜ କଥା ମନେପଡ଼ିଲେ, ପିଲାମାନଙ୍କ ନିଜ ଇଛା। ସେ ଯାହା ବି ହେଉ, ନଭେମ୍ବରରେ ବିହାର ନିର୍ବାଚନ ହେଉଥିବାରୁ, ଏବେ ସେଠାରେ କେମିତି ଅଛି ପରିବାରବାଦ ତା ଉପରେ ନଜର ପକାଇବା। ଗତ ନିର୍ବାଚନ ପରେ ଏ ନିର୍ବାଚନରେ ଯେ ବାପା ମାନେ ପୁଅ, ଝିଅ, ଜ୍ୱାଇଁ ଓ ବୋହୂ ଏପରିକି ନାତି ନାତୁଣିଙ୍କ ପାଇଁ ମଧ୍ୟ ଟିକେଟ ଦାବି କରିବେ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ।

ବିହାର ରାଜନୀତି ଯେମିତି ଜାତି ଉପରେ ଆଧାରିତ, ସେମିତି ପରିବାରବାଦ ବି ଏ ରାଜ୍ୟର ରାଜନୀତିର ଏକ ଅବିଛେଦ୍ୟ ଅଂଶ। ୨୦୧୫ ନିର୍ବାଚନରେ ରାଜନୀତିରେ ଗୋଟେ ଗୋଟେ ପରିବାରରୁ ଏକାଧିକ ସଦସ୍ୟ ସିଧାସଳଖ ନିର୍ବାଚନରେ ସାମିଲ ହୋଇଥିଲେ। ବିଭିନ୍ନ ଦଳର ଟିକଟରେ ନିର୍ବାଚନ ଲଢ଼ିଥିଲେ। ଆଉ ଯେଉଁମାନେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନ ଥିଲେ, ସେମାନେ ନିର୍ବାଚନୀ ରଣନୀତି ସ୍ଥିର କରୁଥିଲେ। ୨୦୧୫ ନିର୍ବାଚନରେ ବିଭିନ୍ନ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ୨୨ ଜଣ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୧୫ଜଣ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

BGU

ଭାରତୀୟ ଜନତାପାର୍ଟିରୁ ପରିବାରବାଦକୁ ପ୍ରତିନିଧିତ୍ୱ କରିଥିଲେ ୮ଜଣ ପ୍ରାର୍ଥୀ, ଲୋକଜନଶକ୍ତି ପାର୍ଟିରୁ ୬, ଜେଡିୟୁରୁ ୫, ଆରଜେଡିରୁ ୩, ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାରୁ ୩ ଓ ସମାଜବାଦୀ ପାର୍ଟିରୁ ଜଣେ ନିର୍ବାଚନ ଲଢ଼ିଥିଲେ।

tej pratap and tejaswi pratap

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀପ୍ରତାପ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେହିପରି ବଡ଼ପୁଅ ତେଜପ୍ରତାପ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ଲାଲୁଙ୍କ ଝିଅ ମିସା ଭାରତୀ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ପୁଅ ଅରିଜିତ ଶାଶ୍ୱତ ମଧ୍ୟ ବିଜେପି ଟିକେଟରେ ବିଧାନ ସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଇ ନ ଥିଲା। ସେହିପରି ଟାଣୁଆ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସିପି ଠାକୁରଙ୍କ ପୁଅ ବିବେକ ଠାକୁର ମଧ୍ୟ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରିଯାଇଥିଲେ।

bihar polls

 

ବିହାରରେ ସକ୍ରିୟ ଆରଜେଡି, ଏଲଜେପି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ମୁଖ୍ୟତଃ ପରିବାର ଦଳ କହିଲେ କିଛି ଭୁଲ ହେବନାହିଁ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ। ପ୍ରଥମେ ପରିବାର ଭିତରେ ଟିକେଟ ବାଣ୍ଟି ସାରିବା ପରେ, ଅନ୍ୟମାନଙ୍କୁ ଏହି ଦଳରେ ଟିକଟ ମିଳେ ବୋଲି ବହୁ ପୁରୁଣା ଅଭିଯୋଗ ରହିଛି। ଗତ ନିର୍ବାଚନରେ ଲାଲୁ ଓ ରାମ ବିଳାସ ପାଶୱାନ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ, ସେମାନଙ୍କ ଦଳର ଟିକଟ ବଣ୍ଟନ ସମୀକରଣକୁ ନିୟନ୍ତ୍ରଣ କରିଥିଲେ। ରାମ ବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ, ଭାଇ ରାମଚନ୍ଦ୍ର ପାଶୱାନ ନିର୍ବାଚନ ଲଢ଼ିଥିଲେ। ତେବେ ତାଙ୍କ ଜ୍ୱାଇଁ, ପୁତୁରା, ବୋହୁମାନଙ୍କୁ ମଧ୍ୟ ଟିକଟ ଦେଇଥିଲେ ରାମବିଳାସ। ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀ ତାଙ୍କ ପୁଅଙ୍କୁ ଟିକଟ ଦେଇଥିଲେ। ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ନେତା ନରେନ୍ଦ୍ର ସିଂ ତାଙ୍କ ଦୁଇ ପୁଅଙ୍କୁ ଟିକଟ ଦେଇଥିଲେ।

୨୦୨୦ ନିର୍ବାଚନରେ ମେଣ୍ଟ ବଦଳିଛି, ସହୋଯୋଗୀ ବି ବଦଳିଛନ୍ତି। ଏ ପରିସ୍ଥିତିରେ, ଭୋଟ ବିଭାଜନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଗତଥର ବିଜେପି ସର୍ବାଧିକ ପ୍ରତିଶତ ଭୋଟ୍ ପାଇଥିଲେ ମଧ୍ୟ, ବିରୋଧୀଙ୍କ ଭୋଟ୍ ବିଭାଜନ କରି ନ ପାରିବାରୁ ତାକୁ ସିଟରେ ପରିଣତ କରିପାରିଲାନାହିଁ। ଯେତେବେଳେ ଭୋଟ ବିଭାଜନ କଥା ଉଠିବ, ସେତେବେଳେ ଜାତିଆଧାରରେ ନିର୍ବାଚନ ଲଢ଼ିବେ ଦଳ। ଆଉ ଏହା ଭିତରେ ପରିବାର ଆଉ ପଲିଟିକ୍ସ ରାଜନୈତିକ ଦଳଗୁଡ଼ିକର ପ୍ରମୁଖ ଏଜେଣ୍ଡା ମଧ୍ୟରେ ରହିବ।

ବିହାର ନିର୍ବାଚନ (୧) – ଆସନ ବୁଝାମଣା ଉପରେ ନଜର

Comment