ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିହାର ରାଜନୀତିରେ ଦଳିତ ଭୋଟରଙ୍କ ଉପରେ ସମସ୍ତଙ୍କ ଆାଖି। ବିଶେଷ କରି ଏନଡିଏର ଦୁଇ ପ୍ରମୁଖ ଅଂଶୀଦାରଙ୍କ ପ୍ରମୁଖ ଏଜେଣ୍ଡା ହେଉଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ନିର୍ବାଚନ ଜିତିବା। ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ପାଇଁ ଏନଡିଏ ଘୋଷଣା କରିସାରିବା ପରେ ମଧ୍ୟ, ଏକକ ସଂଖ୍ୟା ଗରିଷ୍ଠ ଦଳ ହେବା ପାଇଁ ଉଭୟଙ୍କ ମଧ୍ୟରେ ପ୍ରଚ୍ଛଦ ପଟରେ ଲଢ଼େଇ ଆରମ୍ଭ ହୋଇଛି। ରଣନୀତି ପ୍ରସ୍ତୁତ ହୋଇଛି। ଦଳିତ ଭୋଟ ହାତେଇବା ପାଇଁ ବିଜେପି ପାଇଁ ଏଲଜେପି ଓ ଜେଡିୟୁ ପାଇଁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ହେଉଛନ୍ତି ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଟ। ଏ ଏଜେଣ୍ଟମାନଙ୍କୁ ଆଗରେ ରଖି ଉଭୟ ଦଳ ଅଧିକ ଦଳିତ ଭୋଟ୍ ହାସଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ଯିଏ ଏକକ ସଂଖ୍ୟା ଗରିଷ୍ଠର ଯେତେ ନିକଟତର ହେବ ମନ୍ତ୍ରୀମଣ୍ଡଳରେ ସେତେ ଗୁରୁତ୍ୱପୂର୍ଣ୍ଣ ବର୍ଥ ନେବା ପାଇଁ ଦାବି କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ଜେଡିୟୁ ଜୀତନରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଓ ବିଜେପି ରାମବିଳାସ ପାଶୱାନଙ୍କ ଏଲଜେପିକୁ ସମ୍ମୁଖରେ ରଖି ଏ ଦଳିତ ରାଜନୀତି କରୁଛନ୍ତି। ୧୬ ପ୍ରତିଶତ ଭୋଟରୁ ଯିଏ ଅଧିକ ଭୋଟ ହାସଲ କରିବ, ସେ ସେତେ ଅଧିକ ଆସନରେ ପରିଣତ କରିପାରିବ। କାରଣ ଗତ ନିର୍ବାଚନରେ ବିଜେପି ଅଧିକ ପ୍ରତିଶତ ଭୋଟ୍ ହାସଲ କରିଥିଲେ ମଧ୍ୟ, ଏ ସମୀକରଣରେ ପଛରେ ପଡ଼ିଯିବାରୁ ଭୋଟ ପ୍ରତିଶତକୁ ଆସନରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲା।

BGU

ଜୀତନରାମ ମାଞ୍ଝୀ ସିଧାସଳଖ ଏଲଜେପି ବିରୋଧରେ ଜେଡିୟୁକୁ ସମର୍ଥନ କରିବା ପାଇଁ ଖୋଲାଖୋଲି ଘୋଷଣା କରିସାରିଛନ୍ତି। ସେପଟେ ବିହାରରେ ଏନଡିଏ ମେଣ୍ଟରେ ନ ଥିବାରୁ ଏଲଜେପି ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କରିବା ପାଇଁ ଘୋଷଣା କରିଛି। ଯଦି ଏଲଜେପି ଜେଡିୟୁ ବିରୋଧରେ ପ୍ରାର୍ଥୀ ଦିଏ, ତେବେ ଦଳିତ ଭୋଟ ନିର୍ଣ୍ଣାୟକ ହୋଇଥିବାରୁ ଜେଡିୟୁକୁ ଘାଟା ହୋଇପାରେ। ତେଣୁ ଏ ଘାଟାକୁ ଭରଣା କରିବା ପାଇଁ ସବୁ ଆସନରେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାକୁ ସମ୍ମୁଖରେ ରଖିଛି ଜେଡିୟୁ।

ଏଲଜେପି ଓ ଜେଡିୟୁ ମଧ୍ୟରେ ଲଢ଼େଇ ବେଶ ପୁରୁଣା। ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ବେଶ କିଛି ଦିନ ହେଲା ଲଗାତର ଭାବେ ଦୁର୍ନୀତି ଓ ବନ୍ୟା ମୁକାବିଲା ନେଇ ନୀତିଶଙ୍କୁ ସିଧାସଳଖ ଟାର୍ଗେଟ କରିଆସୁଛନ୍ତି।

jitan ram manjhi_bihar

ଜୀତନରାମ ମାଞ୍ଝୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେବା ପରେ ଜେଡିୟୁ ଛାଡ଼ି ନିଜର ଦଳ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଗଠନ କରିଥିଲେ। ୨୦୧୫ ନିର୍ବାଚନରେ ବିଜେପିର ସହଯୋଗୀ ଭାବେ ୨୧ଟି ବିଧାନସଭା ଆସନରୁ ଲଢ଼ିଥିଲେ। ହେଲେ ଏବେ ସ୍ଥିତି ବଦଳିସାରିଛି। ଜେଡିୟୁକୁ ସମର୍ଥନ କରିବା ପାଇଁ ଘୋଷଣା କରିସାରିଛନ୍ତି ଜୀତନରାମ। ଦଳିତ ଭୋଟ ପାଇଁ ରାମବିଳାସ ପାଶୱାନଙ୍କୁ ବ୍ୟବହାର କରୁଥିବା ବିଜେପି ଆଉ ଜଣେ ଦଳିତ ନେତାଙ୍କୁ ନେଇ ନିର୍ବାଚନ ଲଢ଼ିବ, ତାଙ୍କୁ କେତେ ଆସନ ଛାଡ଼ିବା ପାଇଁ ରାଜି ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ଜୀତନରାମ ମଧ୍ୟ ନିଜ ଦଳ ପାଇଁ ଦୁଇ ଅଙ୍କର ଆସନ ଦାବି ରଖିଛନ୍ତି। ୧୬ ପ୍ରତିଶତ ଦଳିତଙ୍କୁ ଆକର୍ଷିତ କରିବା ପାଇଁ ନୀତିଶ କୁମାର ଅନେକ ଯୋଜନା ହାତକୁ ନେଇଥିଲେ। ବିଶେଷ କରି ୨୦୧୦ ନିର୍ବାଚନ ପୂର୍ବରୁ ଦଳିତମାନଙ୍କୁ ଭାଗ କରି ୨୧ ଜାତିକୁ ମହାଦଳିତ ଭାବେ ମାନ୍ୟତା ଦେଇଥିଲେ। ଏଥିରେ ପାଶୱାନଙ୍କ ଜାତି ସାମିଲ ହୋଇ ନ ଥିଲା।

ଭୂମିହୀନ ମହାଦଳିତମାନଙ୍କୁ ଘର ତିଆରି ପାଇଁ ୩ ଡେସିମିଲ ଜମି ମଧ୍ୟ ପ୍ରଦାନ ପାଇଁ ଘୋଷଣା କରିଥିଲେ। ଦଳିତ ରାଜନୀତିରୁ ପାଶୱାନମାନଙ୍କୁ ଅଲଗା ରଖିବା ପାଇଁ ଏହି ପଦକ୍ଷେପ ନେଇଥିଲେ ନୀତିଶ କୁମାର। ଏହାଦ୍ୱାରା ନୀତିଶଙ୍କୁ ବେଶ ଫାଇଦା ମଧ୍ୟ ହୋଇଥିଲା। ପୂର୍ବ ନିର୍ବାଚନ ତୁଳନାରେ ଏନଡିଏ ମେଣ୍ଟ ଅଧିକ ଆସନ ଜିତିଥିଲା। ଏବେ ନୀତିଶ ଦଳିତ ଓ ଆଦିବାସୀଙ୍କ ଭୋଟକୁ ଅଧିକ ସଂଗଠିତ କରିବା ପାଇଁ କୌଣସି ଅଘଟଣରେ ପ୍ରାଣ ହରାଉଥିବା ଦଳିତଙ୍କ ପରିବାରରୁ ଜଣଙ୍କୁ ଚାକିରି ଘୋଷଣା କରିଥଇଲେ। ଏହାଛଡ଼ା ଆଟ୍ରୋସିଟି ମାମଲାଗୁଡ଼ିକର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଥିଲେ ନୀତୀଶ କୁମାର। ଏସବୁ ଦଳିତତୁଷ୍ଟୀକରଣ ଯୋଜନା ପଛରେ କେବଳ ଏକକ ସଂଖ୍ୟାଗରିଷ୍ଠ ଦଳ ହେବାର ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ରାଜନୀତି ସମୀକ୍ଷକଙ୍କ ମତ ବି ସମାନ।

sanjay paswan

ତେବେ ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହ, ଗିରିରାଜ ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶୱାନଙ୍କ ଭଳି ବିଜେପି ନେତାଙ୍କ କହିବା କଥା, ବିଜେପି ବିହାରରେ ଏକାକୀ ସରକାର ଗଠନ କରିବା ଭଳି କ୍ଷମତା ରଖିଛି। କିନ୍ତୁ ଆମର ଜେଡିୟୁ ପ୍ରତି ସମ୍ମାନ ରହିଛି, ତେଣୁ ମେଣ୍ଟ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ ବୋଲି ଏ ନେତାମାନେ କହିଛନ୍ତି।

ବିହାର ନିର୍ବାଚନ (୧) – ଆସନ ବୁଝାମଣା ଉପରେ ନଜର

Comment