ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ଫଳାଫଳରେ ମହାମେଣ୍ଟକୁ ମାତ୍ ଦେଇଛି ଏନ୍‌ଡିଏ। ଭୋଟ ଗଣନାରେ ଏନ୍‌ଡିଏକୁ ମିଳିଛି ବେଶ୍ ଭଲ ସଫଳତା। ଭୂଲ ହୋଇଛି ଏକ୍‌ଜିଟ୍‌ ପୋଲ୍‌ର ଆକଳନ। ତେଣୁ ମ୍ୟାଜିକ୍ ନମ୍ବର ହାସଲ କରିଥିବାରୁ ବିହାରରେ ଏନ୍‌ଡିଏ ସରକାର କରିବାର ସ୍ଥିର ହୋଇଛି। କିନ୍ତୁ ନୀତିଶ୍‌ କୁମାରଙ୍କ ଜେଡିୟୁର ଖରାପ ପ୍ରଦର୍ଶନ ପରେ ଏନ୍‌ଡିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବ କି ନଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମଙ୍ଗଳବାର ହୋଇଥିବା ଭୋଟ ଗଣନାରେ ବିଜେପି ୭୪ ଏବଂ ଆରଜେଡି ୭୫ଟି ଆସନରେ ବିଜୟୀ ହୋଇଛନ୍ତି। ଏ ନିର୍ବାଚନରେ ଯଦି ସବୁଠାରୁ ଖରାପ ପ୍ରଦର୍ଶନ କିଏ କରିଥାଏ ସେ ହେଉଛି ନୀତୀଶଙ୍କ ଜେଡିୟୁ। ଗତ ନିର୍ବାଚନ ତୁଳନାରେ ୨୮ଟି ଆସନ ହରାଇଛି ଜେଡିୟୁ। ୧୨୨ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ମାତ୍ର ୪୩ଟି ଆସନ ଜିତିଛି।ବଡ଼ ଭାଇ ହେଲା ବିଜେପି

ବିହାରରେ ସରକାର ଗଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି ଏବଂ ନୀତିଶ୍‌ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ମଧ୍ୟରେ ମେଣ୍ଟ ହୋଇଥିଲା। ଧାର୍ଯ୍ୟ ହୋଇଥିଲା ପଚାଶ ପଚାଶ ଅନୁପାତରେ ପ୍ରାର୍ଥୀ ଦିଆଯିବ ଆଉ ନିର୍ବାଚନୀ ବୈତରଣୀରେ ଏନ୍‌ଡିଏ ଡଙ୍ଗାର ନାଉରୀ ହେବେ ନୀତିଶ୍ କୁମାର। ବିଜୟ ପରେ ମେଣ୍ଟର ବଡ଼ ଭାଇ ନୀତିଶ୍‌ ଧରିବେ ବିହାର ଶାସନର ମଙ୍ଗ। କିନ୍ତୁ ନିର୍ବାଚନୀ ଫଳାଫଳରେ ସମୀକରଣ ପୁରା ଓଲଟି ଯାଇଛି। ଜେଡିୟୁ ଅପେକ୍ଷା ବିଜେପି ପାଇଛି ଦୁଇଗୁଣା ସଫଳତା। ତେଣୁ ନୀତିଶ୍‌ଙ୍କ ବଦଳରେ ବିଜେପି ହୋଇଯାଇଛି ବଡ଼ ଭାଇ।ଡ୍ରାଇଭର ସିଟ୍‌ରେ ବିଜେପି

ଲୋକେ ଏଥର ବିଜେପିକୁ ଭୋଟ୍ ଦେଇଛନ୍ତି, କିନ୍ତୁ ନୀତିଶଙ୍କ ଆଡୁ ମୁହଁ ଫେରାଇଛନ୍ତି। ନିର୍ବାଚନୀ ଫଳାଫଳରୁ ତାହା ସ୍ପଷ୍ଟ ହୋଇଛି। ବିଜେପି ଏଥର ଜେଡିୟୁଠାରୁ ପ୍ରାୟ ଦୁଇଗୁଣା ଅଧିକ ଆସନ ଜିତିଛି। ତେଣୁ ମନ୍ତ୍ରୀମଣ୍ଡଳ କେମିତି ଭାଗ ହେବ ତାକୁ ନେଇ ବଡ଼ ଗଣିତ କଷିପାରେ ବିଜେପି। କାରଣ ସ୍ୱାଭାବିକ ଭାବେ ଉପମୁଖ୍ୟମନ୍ତ୍ରୀ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିପାରେ ବିଜେପି। ନୀତିଶଙ୍କ ଟାଣ ଏଥର ସରକାରରେ କେତେ ରହିବ ତାହା ସମୟ କହିବ।ଲାଲୁଙ୍କ ଅବସୋସ

ପୁରୁଣା ରାଗ ଅଭିମାନ ଭୁଲି ନୀତିଶ୍‌ଙ୍କୁ ୨୦୧୫ ନିର୍ବାଚନରେ କୋଳାଇ ନେଇଥିଲେ ଲାଲୁ। ଲାଲୁଙ୍କ ଇଛାରେ ହିଁ  ନୀତିଶ୍‌ ଓ କଂଗ୍ରେସକୁ ନେଇ ମହାମେଣ୍ଟ ଗଠନ ହୋଇଥିଲା। ହେଲେ ପୁଣି ଧୋକ୍କା ଦେଇଥିଲେ ନୀତିଶ୍। କିନ୍ତୁ ଏଥର ପ୍ରତିଶୋଧ ନେବାର ସ୍ୱପ୍ନ ଦେଖୁଥିବା ଲାଲୁଙ୍କ ସ୍ୱପ୍ନ କେବଳ ଅବସୋସରେ ହିଁ ରହିଗଲା।ଚିରାଗ ଜଳିଲାନି

ନିର୍ବାଚନ ସମୟରେ ବାପା ରାମବିଳାସ ପାଶ୍ୱାନ ଚାଲିଗଲେ। ଚିରାଗଙ୍କୁ କିନ୍ତୁ ସାମାନ୍ୟ ଅନୁକମ୍ପା ମିଳିଲାନି। ଗତଥର ନିର୍ବାଚନରେ ୨ଟି ଆସନରେ ଏଲଜେପି ଜିତିଥିବା ବେଳେ ଏଥର ଗୋଟିଏ ଆସନକୁ ଖସିଆସିଲା ଦଳ। ଏଥର ନିର୍ବାଚନରେ ସେ ପୂରା ଫେଲ୍ ମାରିଲେ। ବାପାଙ୍କ ସମୟର ଦବଦବା ବି ରହିଲାନି ଏଥର ନିର୍ବାଚନରେ।

Comment