ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଖ୍ୟାତ ଯାତ୍ରା କଳାକାର ମହେନ୍ଦ୍ର ଦାସ (ଭିକୁ ସେଠ୍)ଙ୍କ ପରଲୋକ। ମାତ୍ର ୫୫ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ଏନେଇ ତାଙ୍କର ପରିବାର ଲୋକ ସୂଚନା ଦେଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଜି ଚୌଦାରରୁ କଟକ ନିଆଯାଉଥିଲା। ହେଲେ ବାଟରେ ସେ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି।

ଓଡ଼ିଆ ଯାତ୍ରା ଜଗତରେ ଜଣେ ଲୋକପ୍ରିୟ ଖଳନାୟକ ଭାବେ ତାଙ୍କର ବେଶ ନାଁ ରହିଛି। ବିଶେଷକରି ‘ଶାଗୁଣା ବସିଛି ଡେଲା ମେଲାଇ’ ଯାତ୍ରା ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। ଏଥିସହ ତାଙ୍କର ‘ମୀନା’ ଡାଇଲଗକୁ ଆଜି ପର୍ଯ୍ୟନ୍ତ ଲୋକମାନେ ମନେ ରଖିଛନ୍ତି।

ଅନ୍ୟପଟେ ମହେନ୍ଦ୍ର ଦାସଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଟୁଇଟରେ ଲେଖିଛନ୍ତି ଯେ,ମହେନ୍ଦ୍ର ଦାସଙ୍କ ମୃତ୍ୟୁ ଓଡ଼ିଆ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ନିଆରା ଯାତ୍ରା ପରିବେଷଣ ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି ଲେଖିଛନ୍ତି ଯେ, ମହେନ୍ଦ୍ର ଦାସଙ୍କ ମୃତ୍ୟୁ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କର ମୃତ୍ୟୁ ଯାତ୍ରା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିବ।

Comment