ଓଡ଼ିଶାଲାଇଭ୍ ବ୍ୟୁରୋ

ସେ ଥିଲେ ଓଲିଉଡ ଜଗତର ହାକିମ୍ ବାବୁ। ସଭିଏଁ ତାଙ୍କୁ ଅଜିତ ଦାସ ଭାବେ ଜାଣନ୍ତି। ରବିବାର ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ସେହି ହାକିମ୍ ବାବୁ ବୋଲାଉଥିବା ଅଜିତ ଦାସଙ୍କର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଓଡ଼ିଆ ସିନେକଳା ଦୁନିଆକୁ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ଅଜିତ। କେବଳ ଯେ ଅଭିନୟ ତାହା ନୁହେଁ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସେ ବେଶ୍ ପ୍ରସିଦ୍ଧିଲାଭ କରିଥିଲେ।

୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗ୍ରାମର ଏକ ଜମିଦାର ପରିବାରରେ ଅଜିତ‌ଙ୍କ ଜନ୍ମ। ଅଜିତ‌ଙ୍କ ବଡ଼ବାପା ଜଣେ ନାଟ୍ୟକାର ଥିଲେ। ତାଙ୍କର ଏକ ଛୋଟ ନାଟକ ଦଳ ମଧ୍ୟ ଥିଲା। ପିଲାଟି ବେଳୁ ଅଜିତ ସେହି ଦଳରେ ରହି ଅଭିନୟ ଦେଖୁଥିଲେ। ଧୀରେ ଧୀରେ ତାଙ୍କ ମନରେ ବି ଅଭିନୟ ପ୍ରତି ଏକ ଦୁର୍ବଳତା ଆସିଯାଇଥିଲା। ଏଥିପାଇଁ ସେ କଲେଜ ଜୀବନ ପରେ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରେ ଯୋଗ ଦେଇଥିଲେ।ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ତିନି ବର୍ଷର ଅଭିନୟ ପାଠ୍ୟକ୍ରମ ସାରି ଓଡ଼ିଶା ଫେରିଥିଲେ ଅଜିତ। ଏହାପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଅଭିନୟ କ୍ଷେତ୍ରରେ ସେ ପାଖାପାଖି ତିନି ଦଶନ୍ଧି ଅଧ୍ୟାପନା କରିଛନ୍ତି।

୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଅଜିତ। ନାୟକ, ଖଳନାୟକ ଭଳି ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଜିତ ନିଜ ଦର୍ଶକମାନଙ୍କୁ ହାକିମ ବାବୁ, ପରଦେଶୀ ଚଢ଼େଇ, ଅଭିମାନ, ବଳିଦାନ, ଗୌରୀ, ବାଟ ଅବାଟ, ଗୋଲାମଗିରି, ସରପଞ୍ଚବାବୁ, ତୁଣ୍ଡ ବାଇଦ, କପାଳ ଲିଖନ, ମା’ ଓ ଘର ମୋର ସ୍ଵର୍ଗ ଭଳି ଫିଲ୍ମ ଭେଟିଦେଇଥିଲେ।BGUଚଳଚ୍ଚିତ୍ର ଅପେକ୍ଷା ମଞ୍ଚ ଅଭିନୟକୁ ଅଧିକ ପସନ୍ଦ କରୁଥିଲେ ଅଜିତ। ଓଡ଼ିଆ କଥାସାହିତ୍ୟର ଅନେକ ଗଳ୍ପ ଉପନ୍ୟାସକୁ ସେ ନାଟକରେ ରୂପାନ୍ତରିତ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ରେବତୀ, ମାମୁଁ, ଲଚ୍ଛମା, ବୁଢ଼ା ସଂଖାରୀ ଭଳି କାଳଜୟୀ ନାଟକ। ଏଥିସହିତ ନିଜ ନାଟକର ସଂଗୀତ ମଧ୍ୟ ସେ ନିଜେ ଲେଖୁଥିଲେ। ଯେଉଁଥିପାଇଁ ତାଙ୍କ ନାଟକଗୁଡ଼ିକ ଭଳି ସେଗୁଡ଼ିକର ସଂଗୀତ ମଧ୍ୟ ଦର୍ଶକମାନଙ୍କୁ ବେଶ୍ ବାନ୍ଧି ରଖିପାରୁଥିଲା।

ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ ଅଫ୍ ଥିଏଟର(ଅଜିତ) ନାମକ ଏକ ନାଟ୍ୟ ସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରୁଥିଲେ ଅଜିତ୍। ଯେଉଁ ସଂସ୍ଥାରୁ ଅଭିନୟ ଶିକ୍ଷାକରି ଶହ ଶହ କଳାକାର ଆଜି ଚଳଚ୍ଚିତ୍ର ଦୁନିଆରେ ନିଜକୁ ପ୍ରତିଷ୍ଠା କରିପାରୁଛନ୍ତି।

Comment