ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ଖବରକାଗଜ ବିକାଳିଙ୍କୁ ନିଜଠୁ ବି ଧନୀ ବୋଲି ମାନନ୍ତି ବିଲ୍ ଗେଟ୍ସ। ଜାଣନ୍ତୁ ପୂରା ଘଟଣା..

“ଯଦି ତମେ ଗରିବ ପରିବାରରେ ଜନ୍ମ ନେଇଛ ତେବେ ସେଥିରେ ତମର କୌଣସି ଭୁଲ ନାହିଁ , କିନ୍ତୁ ଯଦି ତମେ ସେହି ଗରିବ ହୋଇ ଦୁନିଆ ଛାଡ଼ୁଛ ତେବେ ସେଇଟା ତମର ଭୁଲ। କାରଣ ଏହାର ଅର୍ଥ ତମେ ପୂରା ଜୀବନରେ କିଛି ଉନ୍ନତି କରିନାହଁ, ବଡ଼ ହେବା ପାଇଁ କୌଣସି କାମ କରିନାହଁ”, ଏକଥା ହେଉଛି ଦୁନିଆର ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କମ୍ପାନିର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର। ଗୋଟିଏ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ସାରା ବିଶ୍ଵର ଏକ ନମ୍ବର ଧନୀ ହେବାର ଗୌରବ ଅର୍ଜନ କରିଛନ୍ତି ବିଲ୍ ଗେଟ୍ସ। ତେବେ ସବୁଠୁ ବଡ଼ କଥା ହେଉଛି ସେ ନିଜକୁ ଦୁନିଆର ସବୁଠୁ ଧନୀ ବୋଲି ମାନନ୍ତି ନାହିଁ। ବରଂ ଜଣେ ସାଧାରଣ ଖବରକାଗଜ ବିକାଳିଙ୍କୁ ସେ ନିଜଠୁ ଧନୀ ବୋଲି ମନେ କରନ୍ତି। ତେବେ କିଏ ସେହି ଖବରକାଗଜ ବିକାଳି ଏବଂ ବିଲ୍ ଗେଟ୍ସ ତାଙ୍କୁ କାହିଁକି ଧନୀ ବୋଲି କୁହନ୍ତି ଆସନ୍ତୁ ଜାଣିବା।

ବିଲ୍ ଗେଟ୍ସ ଥରେ ନ୍ୟୁୟର୍କ ଏୟାରପୋର୍ଟରେ ଜଣେ ଖବରକାଗଜ ବିକାଳିଙ୍କଠାରୁ ଖବରକାଗଜଟିଏ କିଣିବାକୁ ଗଲେ। ସେତେବେଳେ ବିଲ୍ ଗେଟ୍ସ ଧନୀର ମାନ୍ୟତା ପାଇନଥିଲେ କି ଲୋକେ ତାଙ୍କୁ ଜାଣିନଥିଲେ। ଖବରକାଗଜଟିକୁ ହାତରେ ଧରି ଯେତେବେଳେ ସେ ପଇସା ବାହାର କଲେ, ସେତେବେଳେ ସେ ଦେଖିଲେ ଯେ ତାଙ୍କ ପାଖରେ ବହୁତ କମ୍ ଖୁଚୁରା ଟଙ୍କା ଅଛି, ଯାହାକି ଖବରକାଗଜଟି କିଣିବାକୁ ପର୍ଯ୍ୟାପ୍ତ ନୁହେଁ।ତେଣୁ ସେ ଖବରକାଗଜଟିକୁ ସେହି ବିକାଳିଙ୍କୁ ଫେରାଇଦେଲେ ଏବଂ ଖୁଚୁରା ନଥିବା କଥା କହିଲେ। ଏହା ଶୁଣି ବିକାଳିଜଣଙ୍କ ତାଙ୍କ ହାତକୁ ସେହି ଖବରକାଗଜ ବଢ଼ାଇ ଦେଲେ ଓ ମାଗଣାରେ ଦେଉଛି ବୋଲି କହିଲେ। ପ୍ରଥମେ ବିଲ୍ ଗେଟ୍ସ ଅମଙ୍ଗ ହେଉଥିଲେ। କିନ୍ତୁ ବିକାଳି ବାଧ୍ୟ କରିବାରୁ ସେ ଖବରକାଗଜଟିକୁ ନେଇଆସିଲେ।

ଏହି ଘଟଣାର ଦୁଇ-ତିନି ମାସ ପରେ ବିଲ୍ ଗେଟ୍ସ ପୁଣି ଥରେ ନ୍ୟୁୟର୍କ ଏୟାରପୋର୍ଟରୁ ଯିବା ବାଟରେ ସେହି ଖବରକାଗଜ ବିକାଳିଙ୍କୁ ଦେଖିଲେ। କିନ୍ତୁ ଏଥର ମଧ୍ୟ ପୂର୍ବ ପରି ଖବରକାଗଜଟିଏ କିଣିବାକୁ ଖୁଚୁରା କମ୍ ଥିଲା। ହେଲେ ସେହି ବିକାଳିଜଣଙ୍କ ପୁଣି ଥରେ ବିଲ୍ ଗେଟ୍ସଙ୍କୁ ମାଗଣାରେ ଖବରକାଗଜଟିଏ ବଢ଼ାଇଦେଲେ। ବିଲ୍ ଗେଟ୍ସ ମନା କଲେ। କିନ୍ତୁ ବିକାଳି କହିଲେ, “ଆପଣ ଖବରକାଗଜଟିକୁ ନେଇପାରନ୍ତି। ମୁଁ ଏହାକୁ ମୋ ଲାଭରୁ ଆପଣଙ୍କୁ ଦେଉଛି। ଆପଣ ମାଗଣାରେ ଏହି ଖବରକାଗଜ ନେଲେ ମୋର ଜମା କ୍ଷତି ହେବ ନାହିଁ।” ବିକାଳିଙ୍କ ଏହି କଥାରେ ବିଲ୍ ଗେଟ୍ସ ଖବରକାଗଜଟି ଆଣିଲେ।

ଏହାର ୧୯ ବର୍ଷ ପରେ ବିଲ୍ ଗେଟ୍ସ ପ୍ରସିଦ୍ଧ ହେଲେ। ତାଙ୍କୁ ଲୋକମାନେ ଜାଣିଲେ। ଦିନେ ହଠାତ୍ ତାଙ୍କର ସେହି ଖବରକାଗଜ ବିକାଳି କଥା ମନେପଡ଼ିଲା। ତେଣୁ ସେ ତାଙ୍କୁ ଖୋଜିବାରେ ଲାଗିପଡ଼ିଲେ। ପ୍ରାୟ ଦେଢ଼ ମାସ ଖୋଜା ଖୋଜି କରିବା ପରେ ବିଲ୍ ଗେଟ୍ସ ସେହି ଖବରକାଗଜ ବିକାଳିଙ୍କୁ ପାଇବାରେ ସଫଳ ହେଲେ।

BGUବିକାଳିଙ୍କୁ ବିଲ୍ ଗେଟ୍ସ ପଚାରିଲେ, “ତୁମେ ମୋତେ ଜାଣିଛ କି ନା?” ବିକାଳି ଉତ୍ତର ଦେଲେ, “ଆଜ୍ଞା! ଆପଣ ହେଉଛନ୍ତି ବିଲ୍ ଗେଟ୍ସ।”

ଏହାପରେ ବିଲ୍ ଗେଟ୍ସ ବିକାଳିଙ୍କୁ କହିଲେ, “ତୁମେ ମତେ ଥରେ ମାଗଣାରେ ଗୋଟିଏ ଖବରକାଗଜ ଦେଇଥିଲ ବୋଲି ତମର ମନେ ଅଛି କି?”

ବିକାଳି ଜଣଙ୍କ ଉତ୍ତର ଦେଲେ, “ଆଜ୍ଞା! ମୋର ମନେ ଅଛି। ମୁଁ ଆପଣଙ୍କୁ  ଦୁଇଥର ମାଗଣାରେ ଖବରକାଗଜ ଦେଇଛି।”

ଏହାପରେ ବିଲ୍ ଗେଟ୍ସ ବିକାଳିଙ୍କୁ ତାଙ୍କ ସାହାଯ୍ୟର ପ୍ରତିଦାନ ଦେବାକୁ ଯାଇ କହିଲେ, “ଜୀବନରେ ତମେ ଯାହା ବି ଚାହୁଁଛ ମତେ କୁହ, ମୁଁ ସେସବୁ ପୂରଣ କରିବି’’।

ଏହା ଶୁଣି ବିକାଳି ଜଣଙ୍କ କହିଲେ, “ସାର୍! ଏମିତି କରି ଆପଣ ମୋ ସାହାଯ୍ୟର ସମକକ୍ଷ ହୋଇପାରିବେନି ବୋଲି ଭାବୁନାହାନ୍ତି କି?”

ବିଲ୍ ଗେଟ୍ସ କାହିଁକି ସେମିତି ଭାବିବି ବୋଲି ପ୍ରଶ୍ନ କରିବାରୁ ବିକାଳି କହିଲେ, “ମୁଁ ଯେତେବେଳେ ଜଣେ ଗରିବ ଖବରକାଗଜ ବିକାଳି ଥିଲି ସେତେବେଳେ ଆପଣଙ୍କୁ ସାହାଯ୍ୟ କରିଥିଲି। କିନ୍ତୁ ଏବେ ଆପଣ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ହୋଇ ମତେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ମୋ ସାହାଯ୍ୟ ସହିତ ତମ ସାହାଯ୍ୟ କେମିତି ସମାନ ହୋଇପାରିବେ?”ସେଦିନ ଖବରକାଗଜ ବିକାଳିଙ୍କ ଏହି କଥା ବିଲ୍ ଗେଟ୍ସଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସେବେଠୁ ବିଲ୍ ଗେଟ୍ସ ସେହି ଖବରକାଗଜ ବିକାଳିଙ୍କୁ ନିଜଠୁ ବି ଧନୀ ବୋଲି ମାନନ୍ତି। କାରଣ ସେହି ବିକାଳି କାହାକୁ ସାହାଯ୍ୟ କରିବା ପାଇଁ ଧନୀ ହେବା ଯାଏଁ ଅପେକ୍ଷା କରିନଥିଲେ। ନିଜର ସାଧ୍ୟମତେ ସେ ଗରିବ ଥାଇ ମଧ୍ୟ ବିଲ୍ ଗେଟ୍ସଙ୍କୁ ସାହାଯ୍ୟ କରିଥିଲେ।

ତେଣୁ ଲୋକଙ୍କ ପାଇଁ ଧନୀ ବ୍ୟକ୍ତିର ପରିଭାଷା ବଦଳିବା ଦରକାର ବୋଲି ବିଲ୍ ଗେଟ୍ସ କୁହନ୍ତି। ତାଙ୍କ ମତରେ ପ୍ରଚୁର ଟଙ୍କା ମଣିଷକୁ ଧନୀ କରିପାରେନା। ଭଲ ହୃଦୟଟିଏ ବାସ୍ତବରେ ମଣିଷକୁ ଧନୀ କରିଥାଏ।

Comment