ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦର ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ପାରମ୍ପରିକ ହସ୍ତତନ୍ତରେ ନିର୍ମିତ କିଛି ମାସ୍କକୁ ସାଂସଦ ସୁରେଶ ପୂଜାରୀ ତାଙ୍କ ସାଥି ସାଂସଦମାନଙ୍କୁ ବାଣ୍ଟିଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମନଙ୍କୁ ବରଗଡ଼ ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି…
ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ ……#Vocal4Sambalpuri. pic.twitter.com/DCByCyMUuL— Suresh Pujari (@sureshkpujari) September 14, 2020
ଟୁଇଟରେ ସେ ଲେଖିଛନ୍ତି ଯେ, ବୟନିକାର ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ଦ୍ୱାରା ନିର୍ମିତ ସମ୍ବଲପୁରୀ ମାସ୍କକୁ ସେ ତାଙ୍କ ସାଥି ସାଂସଦମାନଙ୍କୁ ଉପହାର ଦେଇଛନ୍ତି। ଏହାଦ୍ୱାରା ଆମ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀର ପ୍ରଚାର ଭାରତର କୋଣ ଅନୁକୋଣରେ ପହଞ୍ଚିପାରିବ।
ସାଂସଦଙ୍କ ଏହି ଉପହାରକୁ ସାଥି ସାଂସଦମାନେ ବେଶ ପସନ୍ଦ କରିଛନ୍ତି। ସାଂସଦମାନେ ଏହି ମାସ୍କକୁ ପିନ୍ଧି ଅଧିବେଶନରେ ଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ମହାରାଷ୍ଟ୍ର, ତାମିଲନାଡୁ ଅଞ୍ଚଳର ସାଂସଦମାନେ ଏହି ସମ୍ବଲପୁରୀ ମାସ୍କକୁ ବେଶ୍ ପସନ୍ଦ କରୁଥିବା କହିଛନ୍ତି ସାଂସଦ ସୁରେଶ ପୂଜାରୀ।ସାଂସଦମାନଙ୍କୁ ମାସ୍କ ଉପହାର ଦେବା ପରେ ସେମାନେ ସାଙ୍ଗ ହୋଇ ଫଟୋ ଉଠାଇବା ସହିତ ସାଂସଦ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ସୁପ୍ରିୟା ସୁଲେ ଏନେଇ ଟୁଇଟ୍ ମଧ୍ୟ କରିଛନ୍ତି।