ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଏଥିପାଇଁ ଫ୍ରାଞ୍ଚାଇଜମାନଙ୍କଠାରୁ ଆରମ୍ଭ କରି ଆୟୋଜକ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଦଳର ଅଧିନାୟକମାନେ ମଧ୍ୟ ନିଜ ଟିମକୁ ଚାମ୍ପିୟନ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।
ତେବେ ଏହା ପୂର୍ବରୁ ଆସନ୍ତୁ ନଜର ପକାଇବା ଆଇପିଏଲ୍ ଦଳର କ୍ୟାପଟେନମାନଙ୍କର ସଫଳତା ଓ ବିଫଳତାର ରେକର୍ଡ ଉପରେ।
ଏମ୍ ଏସ୍ ଧୋନୀ (ଚେନ୍ନାଇ ସୁପର୍ କିଙ୍ଗସ)
ଆଇପିଏଲ୍ ଇତିହାସରେ ଜଣେ ସଫଳ ଅଧିନାୟକ ଭାବେ ଧୋନୀଙ୍କ ନାଁ ଆଗରେ ରହିଛି। ସେ ଦଳ ପାଇଁ ୧୭୬ଟି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଥିବାବେଳେ ସେଥିମଧ୍ୟରୁ ୧୦୪ରେ ବିଜୟୀ ହୋଇପାରିଛନ୍ତି। ସେହିପରି ଏପର୍ଯ୍ୟନ୍ତ ସେ ଆଇପିଏଲରେ ମୋଟ ୪୪୩୨ ରନ୍ କରିବା ସହ ୨୩ଟି ଅର୍ଧଶତକ ମାରିଛନ୍ତି।
ବିରାଟ କୋହଲି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ)
ଆଇପିଏଲରେ ଏଯାବତ କୋହଲି ମୋଟ ୧୭୭ଟି ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ୧୧୦ଟି ମ୍ୟାଚରେ ସେ ଆରସିବିର ନେତୃତ୍ୱ ନେଇଛନ୍ତି। ଯେଉଁଥିରେ ସେ ୫୫ଟି ମ୍ୟାଚ୍ ହାରିଥିବାବେଳେ ମାତ୍ର ୪୯ଟି ମ୍ୟାଚ୍ ଜିତିଛନ୍ତି। କ୍ୟାପଟେନ୍ ହିସାବରେ ତାଙ୍କର ଆଇପିଏଲ୍ ରେକର୍ଡ ସେତେଟା ଭଲ ନାହିଁ। ହେଲେ ଖେଳାଳି ଭାବେ ସେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ଏଯାବତ ମୋଟ ୫୪୧୨ ରନ୍ ସଂଗ୍ରହ କରିଛନ୍ତି।
ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ)
ରୋହିତଙ୍କ ନେୃତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନେକ ସଫଳତା ମିଳିଛି। ଦଳ ଚାରିଥର ଆଇପିଏଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଆଇପିଏଲ୍ ଟ୍ରଫି ଜିତିବାରେ ଏବେ ରୋହିତ ସବୁଠୁ ସଫଳ ଅଧିନାୟକ ରହିଛନ୍ତି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୧୦୪ଟି ମ୍ୟାଚ୍ ଖେଳିଥିବାବେଳେ ସେଥିମଧ୍ୟରୁ ୬୦ଟି ମ୍ୟାଚରେ ବିଜୟୀ ଏବଂ ୪୦ ମ୍ୟାଚରେ ପରାଜୟ ବରଣ କରିଛି।
ଦିନେଶ କାର୍ତ୍ତିକ (କୋଲାକାତା ନାଇଟ ରାଇଡର୍ସ)
ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଏଥର କେକେଆର୍ ଦଳର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଏପର୍ଯ୍ୟନ୍ତ ମୋଟ ୩୬ଟି ମ୍ୟାଚ୍ ଖେଳିସାରିଛି। ସେଥିମଧ୍ୟରୁ ଦଳ ୧୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୧୮ଟି ମ୍ୟାଚରେ ପରାଜୟ ଭୋଗିଛି। ତେବେ ଖେଳାଳି ଭାବରେ କାର୍ତ୍ତିକ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କର ବ୍ୟାଟିଂ ଷ୍ଟ୍ରାଇକରେଡ୍ ୧୨୯.୮୦ ରହିଛି।
ଡେଭିଡ୍ ୱାର୍ନର (ସନରାଇଜର୍ସ ହାଇଦ୍ରାବାଦ୍)
ସନରାଇଜର୍ସ ହାଇଦ୍ରାବାଦ ପାଇଁ ଅଧିନାୟକ ଭାର ସମ୍ଭାଳିଥିବା ଡେଭିଡ୍ ୱାର୍ନରଙ୍କ ଆଇପିଏଲ୍ କ୍ୟାରିୟର ବେଶ୍ ଭଲ ଅଛି। ହେଲେ ବଲ୍ ଟାମ୍ପରିଂ ପାଇଁ ସେ ଦଳରୁ ବାଦ୍ ପଡ଼ିବା ପରେ କେନ୍ ୱିଲିମସନ ତାଙ୍କ ଜାଗା ନେଇଥିଲେ। ୱାର୍ନର ଦଳ ପାଇଁ ମୋଟ ୪୫ଟି ମ୍ୟାଚରେ ଅଧିନାୟକ ହୋଇଥିବାବେଳେ ଦଳ ୨୬ଟି ମ୍ୟାଚରେ ବିଜୟୀ ହୋଇଥିଲା।
ଷ୍ଟିଭ୍ ସ୍ମିଥ (ରାଜସ୍ଥାନ ରୟାଲ୍ସ)
ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟିଭ୍ ସ୍ମିଥ ପୁଣେ ୱାରିୟର୍ସ, ରାଜସ୍ଥାନ ରୟାଲ୍ସ ଓ ପୁଣେ ସୁପରଜ୍ୟାଣ୍ଟ ପାଇଁ ଅଧିନାୟକ ରହିସାରିଛନ୍ତି। ହେଲେ ସେ ରାଜସ୍ଥାନ ପାଇଁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଅଧିନାୟକ ଭାବେ ସେ ଆଜି ପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ହାତେଇପାରିନାହାନ୍ତି। ହେଲେ ଖେଳାଳି ଭାବେ ସେ ୧୨୮.୯୫ ଷ୍ଟ୍ରାଇକରେଟରେ ମୋଟ ୨୦୨୨ ରନ୍ କରିପାରିଛନ୍ତି।
ଶ୍ରେୟାସ୍ ଆୟାର (ଦିଲ୍ଲୀ କ୍ୟାପିଟାଲ୍ସ)
ପୂର୍ବ ଥର ଭଳି ଏଥର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ଯୁବ କ୍ରିକେଟର ଶ୍ରେୟାସ୍ ଆୟାର। ତାଙ୍କ ନେତୃତ୍ୱରେ ଦଳ ଗତ ବର୍ଷ ଭଲ ପ୍ରଦର୍ଶନ କରିଥିଲା। ଆୟାରଙ୍କ ନେତୃତ୍ୱରେ ଦଳ ଏଯାବତ ୨୪ଟି ମ୍ୟାଚ୍ ଖେଳିଥିବାବେଳେ ୧୩ଟିରେ ବିଜୟ ଓ ୧୦ଟିରେ ପରାଜୟ ଭୋଗିଛି।
କେ ଏଲ୍ ରାହୁଲ (କିଙ୍ଗସ୍ ଇଲେଭେନ୍ ପଞ୍ଜାବ)
ଲୋକେଶ ରାହୁଲ ଚଳିତ ବର୍ଷ ପ୍ରଥମ କରି ଆଇପିଏଲ ଦଳ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ନେତୃତ୍ୱ ନେବେ। ଏହା ପୂର୍ବରୁ ଜଣେ ଖେଳାଳି ଭାବେ ସେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିସାରିଛନ୍ତି। ସେ ୧୩୮ ଷ୍ଟ୍ରାଇକ ରେଟରେ ଏପର୍ଯ୍ୟନ୍ତ ମୋଟ ୧୯୭୭ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।