ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଅନ୍ୟ ସବୁଠି କୋଭିଡ୍‌ ନିୟମ ସଠିକ୍ ଭାବେ ପାଳନ କରାଯାଉଛି। କିନ୍ତୁ ଭୁବନେଶ୍ୱର-କଟକ ମହାନଗର ଅଞ୍ଚଳରେ କୋଭିଡ୍‌ ନିୟମ ପାଳନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ନିମୟର ସଠିକ୍‌ କାର୍ଯ୍ୟକାରିତା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିଜେ ଏଥିପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦେବେ। ବୁଧବାର କୋଭିଡ୍‌ ପରିଚାଳନା ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଡିଜିପି, ଭୁବନେଶ୍ୱର କଟକର ପୋଲିସ କମିଶନର କୋଭିଡ୍‌ ନିୟମ ପାଳନ କଡ଼ାକଡ଼ି କରିବାକୁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ।

ସୁସ୍ଥ ହେଲେଣି ୧.୨୫ ଲକ୍ଷ ରୋଗୀ, ଗତ ୫ ସପ୍ତାହରେ ଲକ୍ଷେ ସୁସ୍ଥ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧.୨୫ ଲକ୍ଷ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଗତ ୫ ସପ୍ତାହରେ କେବଳ ୧ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ବୈଠକରେ ସନ୍ତୋଷ ପ୍ରକାଶ କରିବା ସହ ଡାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି।

ଗ୍ରାମାଞ୍ଚଳ ପାଇଁ ପର୍ଯ୍ୟାପ୍ତ ରୋଜଗାର, ପାଣ୍ଠି, ଋଣକୁ ପ୍ରାଥମିକତା

ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ପାଇଁ ଗ୍ରାମାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟ ଜୀବନ ଜୀବିକା ପ୍ରକଳ୍ପରେ ଅଧିକ ରୋଜଗାର ଓ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇବାକୁ କୁହାଯାଇଛି। ବୁଧବାର ଭିଡିଓ କନଫରେନ୍ସିଂରେ ସବୁ ଜିଲାପାଳମାନଙ୍କ ସହ ସମୀକ୍ଷା ଆଲୋଚନା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି କୃଷି, ମତ୍ସ୍ୟ, ଗୃହପାଳନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ କରୋନା ମହାମାରୀକାଳୀନ ଜୀବନ ଜୀବିକା ପ୍ୟାକେଜ୍‌ ଘୋଷଣା କରିଥିଲେ, ତାହାକୁ ପ୍ରାଥମିକତା ଦେବା ପାଇଁ ସେ କହିଛନ୍ତି। ଏହାସହ ଚାଷୀ, ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ, ଏମ୍‌ଏସ୍‌ଏମ୍‌ଇ ଓ ବୁଣାକାରମାନଙ୍କୁ ଆବଶ୍ୟକ ଋଣ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Comment