ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିପଦରେ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା।

  • ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
  • ଅଚଳ ହୋଇ ପଡ଼ିଛି ବନବିଭାଗର ସ୍ପିଡ୍ ବୋଟ୍ ଓ ଟ୍ରଲର
  • ଟ୍ରଲର ମାଫିଆମାନେ ବେଆଇନ୍ ଭାବେ ମାଛ ମାରୁଛନ୍ତି
  • ଅଲିଭରିଡଲେଙ୍କ ପାଇଁ ବିପଦ ବଢ଼ୁଛି

ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ତଥା ଅଲିଭ ରିଡଲେ ସାମୂଦ୍ରିକ କଇଁଛମାନଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ବିପଦରେ। ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ସ୍ପିଡ୍ ବୋଟ୍ ଓ ଟ୍ରଲର ଅଚଳ ହୋଇପଡ଼ିଛି। ଫଳରେ ଅଭୟାରଣ୍ୟ ମଧ୍ୟରେ ଥିବା ଅଲିଭରିଡଲେ କଇଁଛମାନଙ୍କର ପ୍ରିୟ ଖାଦ୍ୟ ମାଛ, କଙ୍କଡ଼ା ଓ ଜେଲି ଫିସ୍ ଆଦିଙ୍କୁ ଟାର୍ଗେଟ କରିଛନ୍ତି ଟ୍ରଲର ମାଫିଆମାନେ। ଅନ୍ୟପଟେ ଆଉ ଗୋଟିଏ ମାସ ପରେ ଏଠି ପହଞ୍ଚିବେ ଲକ୍ଷଲକ୍ଷ ସଂଖ୍ୟାରେ ଅଲିଭରିଡଲେ କଇଁଛ। କିନ୍ତୁ ଏଠାକାର ଢିଲା ସୁରକ୍ଷା ବ୍ୟବସ୍ଥା କଇଁଛମାନଙ୍କ ପାଇଁ ଘାତକ ସାଜିପାରେ ବୋଲି ଆଶଙ୍କା କରାଯାଉଛି।କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଅଲିଭରିଡଲେ କଇଁଛମାନଙ୍କ ପାଇଁ ସାରା ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାକାର ଅନୁକୂଳ ପରିବେଶ ଯୋଗୁଁ ପ୍ରତିବର୍ଷ ଶୀତଋତୁରେ ଲକ୍ଷ ଲକ୍ଷ ଅଲିଭ ରିଡଲେ କଇଁଛ ଏଠାକୁ ଅଣ୍ଡା ଦେବାକୁ ଆସିଥାନ୍ତି। ଏହି ଅଞ୍ଚଳରେ ମିଳୁଥିବା ପ୍ରଚୁର ମାଛ, କଙ୍କଡ଼ା ଓ ଜେଲି ଫିସ୍ ଅଲିଭ ରିଡଲେ କଇଁଛମାନଙ୍କର ପ୍ରିୟ ଖାଦ୍ୟ। ତେଣୁ ଏହି ସମୁଦ୍ର ଉପକୂଳରେ ପ୍ରଚୁର ଖାଦ୍ୟ ମିଳୁଥିବାରୁ କଇଁଛମାନେ ଏଠାରେ ଭିଡ଼ ଜମାନ୍ତି।

ଏହାଛଡ଼ା ଏହି ଅଞ୍ଚଳରେ ରହିଛି ଗହୀରମଥାର ବାଲୁକା ଦ୍ଵୀପପୁଞ୍ଜ। ନାସୀ-୧ ଓ ନାସୀ -୨ ଦ୍ଵୀପର ବାଲିର ଗଠନ ନିଆରା। ଦାନାଯୁକ୍ତ ଏହି କୋମଳ ବାଲିର ଶଯ୍ୟା ଅଲିଭରିଡଲେଙ୍କ ପାଇଁ ଉପଯୁକ୍ତ ଅଣ୍ଡାଦେବାସ୍ଥଳୀ ପାଲଟିଛି।

ଅଲିଭରିଡଲେ କଇଁଛମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିବା ସହ ଏହା ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଛି। ଧାମରା ମୁହାଣ ପାଖରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଏହି ବିସ୍ତୀର୍ଣ୍ଣ ସମୁଦ୍ର ଇଲାକା ବର୍ଷ ସାରା ବନ ବିଭାଗର କଡ଼ା ନଜର ମଧ୍ୟରେ ରହିଛି।କିନ୍ତୁ ଏହା ମଧ୍ୟରେ ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା ମିଳୁଥିବାରୁ ଏହି ଅଞ୍ଚଳ ମଧ୍ୟ ଟ୍ରଲର ମାଫିଆଙ୍କ ଟାର୍ଗେଟରେ ରହିଥାଏ। ଲୁଚା ଛପାରେ ଏହି ମାଫିଆମାନେ ବିଭିନ୍ନ ଅଞ୍ଚଳରୁ ଆସି ଏଠାରୁ ଲକ୍ଷଲକ୍ଷ ଟଙ୍କାର ମାଛ ମାରି ନେଇଥାନ୍ତି।

ଗହୀରମଥାରେ ଏହି ବିରଳ ସାମୁଦ୍ରିକ ପ୍ରାଣୀ ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ଭାରତର ସର୍ବୋଚ୍ଚ ଅଦାଲତ ମଧ୍ୟ ନିର୍ଦ୍ଦିଷ୍ଟ ନୀତିନିୟମ ପ୍ରଣୟନ କରିଛନ୍ତି। କୂଳଠାରୁ ୨୦ କିଲୋମିଟର ସମୁଦ୍ର ମଧ୍ୟକୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରୁଥିବା ଟ୍ରଲର ଓ ବୋଟ୍‌ଗୁଡ଼ିକୁ ଜଗିବା, ଘଉଡ଼ାଇବା ଓ କାବୁ କରି ଜବତ କରିବାକୁ ବନବିଭାଗର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି।

ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ବା ଆଇସିଜେଡ୍‌ଏମ୍‌ପି ପକ୍ଷରୁ ଏହି ଅଞ୍ଚଳର ସୁରକ୍ଷା ପାଇଁ ୨୦୧୬ -୧୭ ବର୍ଷରେ ମହିନ୍ଦ୍ରା ମେରାଇନ୍ ଦୁଇଟି ହାଇ-ସ୍ପିଡ୍ ବୋଟ୍ ଯୋଗାଇ ଦେଇଛି। ସମୁଦ୍ରର ନିଷିଦ୍ଧାଞ୍ଚଳ ଭିତରେ ବେଆଇନ ମାଛ ମାରୁଥିବା ଟ୍ରଲରଗୁଡ଼ିକୁ ଆଖିପିଛୁଳାକେ ଟାର୍ଗେଟ କରେ ଏହି ସ୍ପିଡ୍ ବୋଟ୍। ଏହାଛଡା ଏଠାରେ ରହିଛି ଆଉ ଏକ ଟ୍ରଲର ଏମ୍ଏଲ୍ ଅଲିଭିଆ ଓ ଦୁଇଟି ସପୋର୍ଟ ବୋଟ୍।କିନ୍ତୁ ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଟ୍ରଲିଂକୁ ଠାବ କରିବା ଓ ଜବତ କରିବା କାମରେ ଲାଗୁଥିବା ଦୁଇ ସ୍ପିଡ୍ ବୋଟ୍ ଓ ଅଲିଭିଆ ଟ୍ରଲର ଏବେ ଅଚଳ। ବନ ବିଭାଗର ଏପରି ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଏବେ ବେଆଇନ୍ ଟ୍ରଲର ମାଫିଆମାନେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରିବା ଆରମ୍ଭ କରିଦେଲେଣି।

ଏମିତି ବେଆଇନ ମାଛ ମାରିବା ବଢ଼ିଲେ ଏହି ଅଞ୍ଚଳରେ କଇଁଛ ମାନଙ୍କର ଖାଦ୍ୟ, ମାଛ, କଙ୍କଡ଼ା ସଂଖ୍ୟା ମଧ୍ୟ କମିଯିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ଏହାଛଡ଼ା ଆସନ୍ତା ନଭେମ୍ବର ମାସ ଆରମ୍ଭରୁ ଗହୀରମଥା ଉପକୂଳକୁ ଅଲିଭରିଡଲେ କଇଁଛମାନଙ୍କର ଆଗମନ ହେବ। ସୁରକ୍ଷା ବ୍ୟବସ୍ଥାରେ ସୁଧାର ନଆସିଲେ ଟ୍ରଲର ମାଫିଆମାନଙ୍କ ବେଧଡ଼କ ଅନୁପ୍ରବେଶକୁ ରୋକି ହେବନି। ଏବେ ଟ୍ରଲର ମାଲିକମାନେ ସେମାନଙ୍କ ଟ୍ରଲରଗୁଡ଼ିକରେ ଚାଇନା ନିର୍ମିତ ନୂଆ ନୂଆ ହାଇ-ସ୍ପିଡ୍ ୟୁ ଚାଇ ଓ ଓ୍ଵାଇ ଚାଇ ମେସିନ ଲଗାଇଲେଣି।ଏହି ମେସିନଗୁଡ଼ିକ ବନ ବିଭାଗର ଟ୍ରଲର ଓ ବୋଟ୍ ସ୍ପିଡ୍‌ଠାରୁ ବହୁ ଅଧିକ। ଏହାଛଡ଼ା ଏବେ ବାହାର ରାଜ୍ୟରୁ ଫେରି ଆସିଥିବା ଯୁବ ପ୍ରବାସୀମାନେ ଏହି ଟ୍ରଲରଗୁଡ଼ିକରେ ନିୟୋଜିତ ହୋଇଛନ୍ତି। ଆସନ୍ତା ନଭେମ୍ବର ମାସଠାରୁ ସମୁଦ୍ର ଭିତରେ କଇଁଛ ସୁରକ୍ଷାକୁ ନେଇ ବନ ବିଭାଗ ଓ ଆଧୁନିକ ଯନ୍ତ୍ରପାତିରେ ସଜ୍ଜିତ ଟ୍ରଲର ମାଫିଆମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବାର ଆଶଙ୍କା କରିଛନ୍ତି କଇଁଛ ବିଶାରଦ ତଥା ପରିବେଶବିତ୍ ହେମନ୍ତ ରାଉତ।

ଗହୀରମଥା ବନ ବିଭାଗର ରେଞ୍ଜ୍ ଅଫିସର ଦେବାଶିଷ ଭୋଇଙ୍କ କହିବା ଅନୁସାରେ ଗତ ମାସରେ ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ମାଛ ମାରିବା ଅଭିଯୋଗରେ ଏକ ବୋଟ୍‌କୁ ଜବତ କରାଯାଇଛି। ଖରାପ ହୋଇଥିବା ଟ୍ରଲର ଅଲିଭିଆକୁ ମରାମତି କରାଯାଉଛି। କଇଁଛମାନଙ୍କ ଆସିବା ବେଳକୁ ଅଚଳ ହୋଇ ପଡ଼ିଥିବା ସ୍ପିଡ୍ ବୋଟ୍ ଓ ଟ୍ରଲରକୁ ସଜାଡ଼ିବା ଜରୁରୀ ହୋଇପଡ଼ିଛି।

Comment