ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ କୋଚିଂ ସେଣ୍ଟରରେ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଉଛନ୍ତି ରାଜୁ ସାହି ଶାରଦା କୋଚିଙ୍ଗ ସେଣ୍ଟରର ଭୂଗୋଳ ସାର୍ ଅକ୍ଷୟ କୁମାର ପଣ୍ଡା। ଅଭିଯୋଗ ପରେ ପୋଲିସ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।
ମୟୁରଭଞ୍ଜର ଜଣେ ନାବାଳିକା ଜୟପୁରରେ ନିଜ ମାମୁଘରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ। କୋଚିଂ କ୍ଲାସ୍ ପାଇଁ ରାଜୁ ସାହିରେ ଥିବା ଶାରଦା କୋଚିଙ୍ଗ ସେଣ୍ଟରରେ ସେ ଟ୍ୟୁସନ ପଢୁଥିଲେ। କୋରନା ଲକଡାଉନ ପାଇଁ କୋଚିଙ୍ଗ ସେଣ୍ଟର ବନ୍ଦ ରହିଥିବା ବେଳେ ଅନଲାଇନରେ ପାଠ ପଢାଯାଇ ପରୀକ୍ଷା ମଧ୍ୟ କରାଯାଉଥିଲା।ସବୁ ମାସ ପରି ଚଳିତ ମାସ ମଧ୍ୟ ୧୯ ତାରିଖରୁ ୨୨ ତାରିଖ ଯାଏ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ ଉତ୍ତର ଖାତାକୁ କୋଚିଙ୍ଗ ସେଣ୍ଟରରେ ଦାଖଲ କରିବାକୁ ନିୟମ ରହିଥିଲା। ସେହି ଅନୁସାରେ ଛାତ୍ରୀ ଜଣକ ଗତ ୨୨ ତାରିଖରେ କୋଚିଙ୍ଗ ସେଣ୍ଟକୁ ଯାଇ ଉତ୍ତର ଖାତା ଭୂଗୋଳ ଶିକ୍ଷକ ଅକ୍ଷୟ କୁମାର ପଣ୍ଡାକୁ ଦେଇଥିଲେ।
ମାତ୍ର କୋଚିଙ୍ଗ ସେଣ୍ଟରରେ କେହି ନଥିବାର ସୁଯୋଗ ନେଇ ଶିକ୍ଷକ ପଣ୍ଡା ନାବାଳିକା ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ନାବାଳିକା ଜଣକ ଡରିଯାଇ ମାମୁଘରେ କିଛି ନ କହି ତାଙ୍କ ବାପା ମାଙ୍କୁ ଫୋନକରି ଏ ବିଷୟରେ କହିଥିଲେ।ନାବାଳିକାକୁ ଭୟଭୀତ ରହିଥିବା ଦେଖି ମାମୁଘର ଲୋକେ ତାକୁ ପଚରା ଉଚରା କରି ସତ କଥା ଜାଣି ପାରିଥିଲେ। ଏନେଇ ଗତ ଗୁରୁବାର ସେମାନେ ଟାଉନ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ମାମଲା ଏକ ରୁଜୁ କରି ଉକ୍ତ କୋଚିଙ୍ଗ ସେଣ୍ଟର ଯାଇ ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖଇଛନ୍ତି।
ଶିକ୍ଷକ ଜଣକ ଆଗରୁ ମଧ୍ୟ ଏପରି ଘଟଣାରେ ଜଡ଼ିତ ଥିବାନେଇ ପୋଲିସ ସୂଚନା ଦେଇଛି। ତେବେ ଉଭୟ ଛାତ୍ରୀ ଏବଂ ଶିକ୍ଷକଙ୍କ ଡାକ୍ତରୀ ମାଇନା କରିବା ପରେ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବାଲେଶ୍ୱର ଗିଧି କହିଛନ୍ତି।