ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ତଥା ଫିଲ୍ମ ମେକର କରଣ ଜୋହରଙ୍କୁ ଖୁବଶୀଘ୍ର ସମନ କରିପାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏନସିବିକୁ କରଣଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ମିଳିଛି, ଯାହାକୁ ଆଧାର କରି ତାଙ୍କୁ ପଚରାଉଚୁରା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ କାରବାର ଘଟଣାକୁ ନେଇ ବିବାଦ ଭିତରେ ଛନ୍ଦି ହୋଇଯାଇଛି ବଲିଉଡ୍। ତଦନ୍ତକାରୀ ସଂସ୍ଥା ଏନସିବି ଏବେ ବଲିଉଡ୍ କଳାକାରମାନଙ୍କୁ ସମନ ଜାରି କରିବା ସହିତ ସେମାନଙ୍କୁ ପଚରାଉଚୁରା ଆରମ୍ଭ କରିଛି। ଏପରିକି ଡ୍ରଗ୍ସ ଲିଙ୍କ୍ ମାମଲାରେ ବଲିଉଡର ପ୍ରାୟ ୫୦ ଜଣ ସେଲିବ୍ରିଟି ଏନସିବି ରାଡାରରେ ଅଛନ୍ତି ବୋଲି ଗତକାଲି ଖବର ପ୍ରକାଶ ପାଇଥିଲା।
ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଓ ରକୁଲ୍ ପ୍ରୀତି ସିଂହଙ୍କ ଭଳି ଆଗ ଧାଡ଼ିର ବଲିଉଡ ନାୟିକା ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଏନସିବିକୁ ସୁରାକ୍ ମିଳିଛି। ସେହି କାରଣରୁ ଏନସିବି ସେମାନଙ୍କୁ ସମନ ଜାରି କରିବା ସହିତ ପଚରାଉଚୁରା କରିବାକୁ ଡକାଇଛି।
ଅନ୍ୟପଟେ ୨୦୧୯ ମସିହାରେ କରଣଙ୍କ ଘରେ ହୋଇଥିବା ଏକ ପାର୍ଟିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅନେକ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହି ପାର୍ଟିରେ ଡ୍ରଗ୍ସ କାରବାର ହୋଇପାରେ ବୋଲି ଏନସିବି ସନ୍ଦେହ କରୁଛି। ତେଣୁ କରଣଙ୍କୁ ଏନେଇ ଏନସିବି ପଚରାଉଚୁରା କରିବ।
ଏହାପୂର୍ବରୁ ଧର୍ମା ପ୍ରଡକ୍ସନର ଏକ୍ୟୁକୁଟିଭ୍ ପ୍ରଡ୍ୟୁସର କ୍ଷିତିଜ୍ ପ୍ରସାଦଙ୍କୁ ମଧ୍ୟ ଡ୍ରଗ୍ସ କାରବାର ଘଟଣା ନେଇ ଏନସିବି ପଚରାଉଚୁରା କରୁଛି।